ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆକର୍ଷଣୀୟ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବ ଅବସରରେ ଏହି ପୁସ୍ତକ ଲୋକାର୍ପିତ ହେବ।

ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଏହି ଲୋକାର୍ପଣ ସମାରୋହରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଗଣମାଧ୍ୟମ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୪ ଜଣ ଯୁବ ପ୍ରତିଭାଙ୍କୁ ଏହି ଉତ୍ସବରେ ‘ଓଡ଼ିଶାଲାଇଭ୍‌ ୟୁଥ୍‌ ଆଇକନ୍’ ସମ୍ମାନରେ ସମ୍ମାନିତ କରାଯିବ।

ଯେଉଁ ଚାରି ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ ଯୁବ ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ, ଅରୁଣିମା ଆଚାର୍ଯ୍ୟ।

“ଓଡ଼ିଶାର କଳା, ସଂସ୍କୃତି ଏବଂ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଓଡ଼ିଶାଲାଇଭ୍‌ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ କରିବା ପାଇଁ ଉଦ୍ୟମ କରାଯାଇଛି। ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ଲୋକାର୍ପଣ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ”, କହିଛନ୍ତି ଓଡ଼ିଶାଲାଇଭ୍‌ ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଶିଳ୍ପୀ ନିତ୍ୟାନନ୍ଦ ଓଝା

୧୯୮୧ ମସିହାରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ନିତ୍ୟାନନ୍ଦ ଓଝା ଜଣେ ଯୁବ ଶିଳ୍ପୀ ଭାବେ ବେଶ୍ ଜଣାଶୁଣା। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ଥପତିରେ ବିଭିଏ ଏବଂ ୨୦୦୯ରେ ବରୋଦା ବିଶ୍ୱବିଦ୍ୟାଳୟରୁ ଫାଇନ୍ ଆର୍ଟସ୍‌ରେ ଏମ୍‌ଭିଏ ପାସ୍ କରିଥିଲେ ନିତ୍ୟାନନ୍ଦ।

ପାଠ ପଢ଼ା ଶେଷ ହେବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ନିତ୍ୟାନନ୍ଦ। ବିଭିନ୍ନ ଗ୍ରୁପ୍ ଶୋ’ରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ୨୦୦୦ ଏବଂ ୨୦୦୧ରେ ଓଡ଼ିଶା ଲଳିତ କଳା ଏକାଡେମୀର ଆନୁଆଲ ଏକ୍ସହିବିସନ, ୨୦୦୮ରେ ଇଣ୍ଟିଗ୍ରେସନ ଆଟ୍ ଫାକଲ୍‌ଟି ଅଫ୍ ଫାଇନ୍‌ ଆର୍ଟ୍ସ ଗ୍ୟାଲେରୀ, ୨୦୦୯ରେ ମୁମ୍ବାଇରେ ଅନୁଷ୍ଠିତ ବରୋଦା ମାର୍ଚ୍ଚ ଏବଂ ମୁନ୍ ୱାକ୍ ଆଟ୍ ଗ୍ୟାଲେରୀ ମସ୍‌କାରା ଶୋ’ରେ ସାମିଲ ହୋଇଥିଲେ।

୨୦୦୫ରେ କୋଲକାତା ଜିସିଏସି ଏବିବି ସ୍କଲାରସିପ୍ ଗ୍ରହଣ କରିଥିଲେ ନିତ୍ୟାନନ୍ଦ। ୨୦୦୨ରେ ଆଲାଇସ୍ ବୋନର ମେମୋରିଆଲ ଆୱାର୍ଡ, ୨୦୦୯ରେ ମହେନ୍ଦ୍ର ପାଣ୍ଡ୍ୟା ସ୍କଲାରସିପ୍ ପାଇଥିଲେ ନିତ୍ୟାନନ୍ଦ।

ଅରୋଶିଷ ପାଣି

ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଓଡ଼ିଶାର ଯେଉଁ କିଛି ଯୁବ ପ୍ରତିଭା ଆଗରେ ରହିଛନ୍ତି ସେମାନଙ୍କ ଭିତରେ ଜଣାଶୁଣା ଚେହେରା ହେଉଛନ୍ତି ଅରୋଶିଷ ପାଣି। ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଅରୋଶିଷ ଆଜି ଜଣେ ଆଗଧାଡ଼ିର ଯୁବ ଗାୟକ ଭାବେ ସୁନାମ ଅର୍ଜନ କରିପାରିଛନ୍ତି।

ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଆଇସିସିଆର୍ ଓଡ଼ିଶା ସର୍କଲ, ଭୁବନେଶ୍ୱର ମ୍ୟୁଜିକ ସର୍କଲ, ଓଡ଼ିଶା ଖଣି ନିଗମ ପକ୍ଷରୁ ଆୟୋଜିତ ‘ଗୁରୁକୁଳଗୀତାଞ୍ଜଳି’, ଏଭରଗ୍ରୀନ ଏବଂ ଭାରତୀୟ ବିଦ୍ୟାଭବନରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ମୁମ୍ବାଇର ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତ ବିଶାରଦ ହାସଲ କରିଛନ୍ତି ଅରୋଶିଷ। ବର୍ତ୍ତମାନ ସେ ଦିଲ୍ଲୀର ଟେକନିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁସ୍ତାନୀ ଭୋକାଲରେ ମାଷ୍ଟର ଡିଗ୍ରୀ କରୁଛନ୍ତି।

ଅରୁଣିମା ଆଚାର୍ଯ୍ୟ

ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓଡ଼ିଶୀରେ କ୍ୟାରିଅର ଆରମ୍ଭ କରିଥିଲେ ଅରୁଣିମା ଆଚାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସେ ପ୍ରତିଷ୍ଠିତ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଗୁରୁ ପବିତ୍ର କୁମାର ପ୍ରଧାନଙ୍କଠାରୁ ସେ ତାଲିମ୍ ନେଉଛନ୍ତି। ଭାରତ ସରକାରଙ୍କଠାରୁ ସେ ଓଡ଼ିଶୀରେ ସ୍କଲାରସିପ୍‌ ପାଇବା ସହ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରର ମାନ୍ୟତା ପାଇଛନ୍ତି।

ମାହେଶ୍ୱରୀ ପ୍ରଧାନ

ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରେ ଡିଗ୍ରୀ ହାସଲ କରିଥିବା ମାହେଶ୍ୱରୀ ପ୍ରଧାନ ଜଣେ ସଫଳ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ଓଡ଼ିଶୀ ନୃତ୍ୟରେ ସେ ନୃତ୍ୟ ବିଶାରଦ ହାସଲ କରିଛନ୍ତି। ଚଣ୍ଡିଗଡ଼ର ପ୍ରାଚୀନ କଳାକେନ୍ଦ୍ରରୁ ହିନ୍ଦୁସ୍ତାନି ଭୋକାଲରେ ସଙ୍ଗୀତ ଭୂଷଣ ପାଇଛନ୍ତି। ଗୁରୁ ମୁକ୍ତିଲତା ପାଲ୍‌ଙ୍କ ତତ୍ତ୍ୱାବଧାନରେ ସେ ଓଡ଼ିଶୀ ନୃତ୍ୟ ତାଲିମ୍ ନେଉଛନ୍ତି।

Comment