ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଦେଇଛନ୍ତି ପରାମର୍ଶ।

ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ପ୍ରତିଟି ଛାତ୍ରଛାତ୍ରୀଙ୍କ ଲାଗି ଏହା ଏକ ମାଇଲଷ୍ଟୋନ ପରି। କାରଣ ଏହି ପରୀକ୍ଷା ପରେ ଛାତ୍ରାଛତ୍ରୀଙ୍କ ଲାଗି ନୂଆ ରାସ୍ତା ଆସିଥାଏ ନୂଆ ଲକ୍ଷ୍ୟ ଆସିଥାଏ। ତେଣୁ ଏହାକୁ ଜୀବନର ପ୍ରଥମ ପାହାଚ କୁହାଯାଉଥିବାରୁ ଛାତ୍ରଛାତ୍ରୀମାନଙ୍କ ଲାଗି ଅନେକ ଗୁରୁତ୍ୱ ରଖିଥାଏ ଏହି ପରୀକ୍ଷା। ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଚିନ୍ତାଶୂନ୍ୟ ହୋଇ ଦେବାକୁ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନିଳାମ୍ବର ରଥ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି।

ଶ୍ରୀଯୁକ୍ତ ରଥଙ୍କ କହିବା ଅନୁସାରେ,”ପରୀକ୍ଷାରେ ଭଲ କରିବା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି। ଅନେକ ସମୟରେ ପିଲାମାନେ ଚାପରେ ରହି ପରୀକ୍ଷା ଦେଇଥାନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ସେମାନଙ୍କର ମନୋବଳ ହରାଇ ପରୀକ୍ଷାରେ ଭଲ କରିପାରନ୍ତି ନାହିଁ, ତେଣୁ ମୁଁ ପରୀକ୍ଷାରେ ଭଲ କରିବାର ମନୋବଳ ରଖି ପରୀକ୍ଷାକେନ୍ଦ୍ରକୁ ଯିବା ଦରକାର।”

ବାପା-ମା’ଙ୍କର ଭୂମିକା ଅନେକ

”ପରୀକ୍ଷା ସମୟରେ ପିଲାଙ୍କ ସହ ଅଭିଭାବକମାନେ ମଧ୍ୟ ଚିନ୍ତାରେ ଥାନ୍ତି। ପିଲାଙ୍କ ଲାଗି ବ୍ୟସ୍ତ ବିବ୍ରତ ଥାନ୍ତି। କିନ୍ତୁ ନିଜର ବ୍ୟସ୍ତତା ଓ ବିବ୍ରତା ପିଲାଙ୍କୁ ନଦେଖାଇବା ଆବଶ୍ୟକ। କାରଣ ବିଶେଷକରି ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ପୂର୍ବ ସମୟ ଅପେକ୍ଷା ଟିକେ ଅଧିକ ଚିନ୍ତାରେ ଥାନ୍ତି।”

”ଏହାସହ ପରୀକ୍ଷାହଲରୁ ବାହାରିବା ପରେ ପିଲାଙ୍କୁ ଦୟାକରି ପଚାରନ୍ତୁ ନାହିଁ କେତେ ମାର୍କ ରହିବ। କେତେଟା ପ୍ରଶ୍ନର ଉତ୍ତର ଦେଇପାରିନ ପରି ଅନେକ ପ୍ରଶ୍ନ। କାରଣ ଏମିତି ପ୍ରଶ୍ନ ପଚାରିବା ଦ୍ୱାରା ପିଲା ମାନସିକ ସ୍ତରରେ ଦୁର୍ବଳ ହୋଇଥାଏ ଯେଉଁଥିପାଇଁ ସେ ଆଗାମୀ ପରୀକ୍ଷା ବି ଭଲ କରିପାରିନଥାଏ।”

ମାନସିକ ସ୍ତରରେ ପିଲାଙ୍କ ସହ ରୁହନ୍ତୁ

“ଅନେକ ସମୟରେ ପିଲା ଚାପରେ ଥାଏ ପରୀକ୍ଷାକୁ ନେଇ। ଯେହେତୁ ଆସନ୍ତାକାଲିଠୁ ପରୀକ୍ଷା ଆରମ୍ଭ ହେଉଛି ତେଣୁ ବାପା ମା’ ଜାଣିବା ଦରକାର ଯେ ତାଙ୍କ ପିଲା ପରୀକ୍ଷାକୁ ନେଇ ଚାପରେ ରହୁଛି କି ନାହିଁ? ଏହା ସହିତ ଏହି ସମୟରେ ଅଭିଭାବକ ମାନସିକ ସ୍ତରରେ ପିଲାଙ୍କ ସହ ରହିବାର ଆବଶ୍ୟକତା ରହୁଛି। ପରୀକ୍ଷା କେମିତି ସହଜରେ ଦେବେ ସେନେଇ ପିଲାକୁ ସହଜ କରାନ୍ତୁ।”

ଅନେକ ସମୟରେ ପିଲା ପରୀକ୍ଷା ହଲ୍‌ରୁ ବାହାରିବା ପରେ ସାଙ୍ଗମାନଙ୍କ ସହ ପ୍ରଶ୍ନ ବାବଦରେ ପରସ୍ପର ମଧ୍ୟରେ ଆଲୋଚନା କରିଥାନ୍ତି। ଅନେକ ସମୟରେ ପିଲା ଠିକ୍‌ ଉତ୍ତର ଦେଇଥିଲେ ବି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେଣୁ ଏ ନେଇ ପିଲାଙ୍କୁ ମାନସିକ ସ୍ତରରେ ବୁଝାନ୍ତୁ ଓ ତାଙ୍କ ସାଙ୍ଗରେ ରୁହନ୍ତୁ।

ଶେଷରେ ଶ୍ରୀଯୁକ୍ତ ରଥ ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଛନ୍ତି।

Comment