ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦାମଙ୍କ ଗଡ଼ ପାରାଦୀପକୁ ୨୦୧୯ ନିର୍ବାଚନରେ କେଉଁ ଦଳ କରିବେ ଦଖଲ?

ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନମଣ୍ଡଳୀ ଉପରେ ଏବେ ସବୁ ଦଳର ନଜର। ୨୦୧୯ ନିର୍ବାଚନରେ ପାରାଦୀପରେ କିଏ ରାଜୁତି କରିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଦାମ ଏହି ଆସନକୁ କବ୍‌ଜାରେ ରଖିବେ ନା ଅନ୍ୟ ଦଳର ନେତା ଏହାକୁ ଛଡ଼ାଇ ନେବେ ତାକୁ ନେଇ ବିଭିନ୍ନ ଶିବିରରେ ଚାଲିଛି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି।

ପାରାଦୀପ ପୌରାଞ୍ଚଳ, କୁଜଙ୍ଗ ବ୍ଲକ ଏବଂ ତିର୍ତ୍ତୋଲ ବ୍ଲକର ୭ଟି ଗ୍ରାମପଞ୍ଚାୟତକୁ ନେଇ ୨୦୦୯ରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ୨୦୦୯ ରୁ ଆଜି ପର୍ଯ୍ୟନ୍ତ ଏହି ଆସନଟି ବିଜେଡି ହାତରେ ରହିଥିଲା। ଡାକ୍ତର ଦାମୋଦର ରାଉତ ଏହି ନିର୍ବାଚନମଣ୍ଡଳୀରୁ ଜିତି ଆସୁଥିଲେ।

କିନ୍ତୁ ଦାମ ଏବେ ବିଜେଡିରେ ନାହାନ୍ତି। ଦଳ ବିରୋଧୀ କାମ ଅଭିଯୋଗରେ ଦାମଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ବିଜେଡି ଏବେ ପାରାଦୀପ ହାତେଇବା ପାଇଁ ନୂଆ ମୁହଁ ଖୋଜୁଛି।

ବିଜେଡିରୁ ତିନି ନାଁ

ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ପାଇଁ ଲବି ଜୋର୍ ଧରିଛି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଜଗତସିଂହପୁର ସାଂସଦ କୁଳମଣି ସାମଲ ଏବଂ ପାରାଦୀପର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ।

କୁଳମଣି ଏବଂ ବସନ୍ତଙ୍କୁ ପଛରେ ପକାଇ ଦେବାଶିଷ ଆଗରେ ରହିଛନ୍ତି। ଦେବାଶିଷଙ୍କ ଘର ତିର୍ତ୍ତୋଲ ବ୍ଳକରେ ହୋଇଥିବାରୁ ସେ ଏହି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଲବି ଚଳାଇଛନ୍ତି। ଗତ ୨୦୧୪ରେ ମଧ୍ୟ ଦେବାଶିଷ ପାରାଦୀପରୁ ଲଢ଼ିବା ପାଇଁ ଗୋଟି ଚାଳନା କରିଥିଲେ। କିନ୍ତୁ ଦାମ ବାବୁ ବାଜି ମାରି ନେଇଥିଲେ। ଏବେ ଦେବାଶିଷ ପାରାଦୀରେ ବିଭିନ୍ନ ହୋର୍ଡିଂ ମାରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି।

କଂଗ୍ରେସରୁ ବାପି ନା ପ୍ରମୋଦ?

କଂଗ୍ରେସ ଟିକେଟକୁ ନେଇ ମଧ୍ୟ ଛକାପଞ୍ଝା ଚାଲିଛି। ଶ୍ରମିକ ନେତାରୁ ସକ୍ରିୟ ରାଜନୀତିକୁ ଆସିଥିବା ବାପି ସର୍ଖେଲ ଏବଂ ଜଣେ ଇଞ୍ଜିନିୟର ଭାବେ ପରିଚିତ ପ୍ରମୋଦ ଜେନାଙ୍କ ଭିତରେ ଗୋଡ଼ାଗୋଡ଼ି ଚାଲିଛି।

ସବୁଠୁ ବଡ଼ କଥା ହେଉଛି ପ୍ରମୋଦ ଜେନା ୨୦୦୯ରେ ପାରାଦୀପରୁ କଂଗ୍ରେସ ଟିକେଟ ପାଇଥିବା ବେଳେ ୨୦୧୪ରେ ବାପି ସର୍ଖେଲ ନେଇଥିଲେ ଟିକେଟ। ତେବେ ୨୦୧୯ ନିର୍ବାଚନରେ ଟିକେଟ ପାଇଁ ଏହି ଦୁଇ ନେତାଙ୍କ ଭିତରେ ଘମାସାନ ଚାଲିଛି। ଏହି ଦୁଇ ନେତା ପାରାଦୀପରେ ସମାନ୍ତରାଳ ସମାବେଶ କରି ରାଜନୀତିକୁ ଜଟିଳ କରିଛନ୍ତି।

ବିଜେପିର ପ୍ରଭାବ ବଢ଼ୁଛି

ପାରାଦୀପ ନିର୍ବାଚନ ମଣ୍ଡଳୀରେ ଅମାନତ ହରାଉଥିବା ବିଜେପି ଏବେ ସ୍ଥିତି ସୁଦୃଢ଼ କରିଛି। ବିଜେଡି ଏବଂ କଂଗ୍ରେସକୁ ଟକ୍କର ଦେବା ଲାଗି ବିଜେପି ଅଣ୍ଟା ଭିଡ଼ିଛି। ବିଜେଡି ଗଡ଼ ପାରାଦୀପରେ ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟି ଜିଲ୍ଲା ପରିଷଦ ଜୋନରେ ପଦ୍ମ ଫୁଟିବା ପରେ ବିଜେପି ୨୦୧୯ ନିର୍ବାଚନ ଉପରେ ଫୋକସ୍ କରୁଛି। ଯୁବ ନେତା ସମ୍ପଦ ସ୍ୱାଇଁ ବିଜେପି ଟିକେଟ ନେବା ରେସ୍‌ରେ ସାମିଲ ହୋଇଛନ୍ତି।

ଦାମ ନେବେ ନିର୍ଣ୍ଣାୟକ ଭୂମିକା!

ପାରାଦୀପ ଗଡ଼ରେ ରାଜୁତି କରି ଆସୁଥିଲେ ଡାକ୍ତର ଦାମୋଦର ରାଉତ। କିନ୍ତୁ ଗତ କିଛି ମାସ ତଳେ ଦାମଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡିରୁ ବିଦା ହେବା ପରେ ଦାମ ବିଜେଡି ବିରୋଧୀ ସଙ୍ଗଠନକୁ ଜୋରଦାର କରିଛନ୍ତି। ପାରାଦୀପରେ ଶଙ୍ଖ ବଜାଇ ଦେବେ ନାହିଁ ବୋଲି ଦାମ ଏକ ପ୍ରକାର ପଣ କରିଛନ୍ତି। ହେଲେ ଦାମଙ୍କୁ ଚେକ୍ ଦେବା ପାଇଁ ବିଜେଡି ଗୋଟି ଚାଳନା କରୁଛି।

କୁହାଯାଉଛି ୨୦୧୯ରେ ଯଦି ଦାମ ସ୍ୱାଧୀନରେ ନିର୍ବାଚନ ଲଢ଼ନ୍ତି ତାହାଲେ ବିଜେଡି ପାଇଁ ବୁମେରାଂ ହୋଇପାରେ। କାରଣ ଦାମ ତାଙ୍କ ଲୋକ ସମ୍ପର୍କ ବଳରେ ବିଜେଡି ଭୋଟ ଭାଙ୍ଗିବା ପାଇଁ ଉଦ୍ୟମ କରିବେ। ଯଦି ପ୍ରାର୍ଥୀ ନହୁଅନ୍ତି ତାହାଲେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଦାମ କହିଛନ୍ତି। ଏଣୁ ଦାମ ପାରାଦୀପ ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।

Comment