ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ କିଏ ନେବ କଂଗ୍ରେସ ଟିକେଟ?

କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମାନିବାକୁ ପଡ଼ିବ। ଅନ୍ୟ ଦୁଇ ଦଳ ବିଜେଡି ଓ ବିଜେପି ଏଦିଗରେ କ’ଣ କରୁଛନ୍ତି ତାର ଟେର ପାଇବା କଷ୍ଟ ହେଉଥିବା ବେଳେ କଂଗ୍ରେସ କିନ୍ତୁ ଖୋଲାଖୋଲି ଭାବରେ ଟିକେଟ ପ୍ରକ୍ରିୟାକୁ ଶେଷ ସ୍ପର୍ଶ ଦେବାରେ ଲାଗିଛି।

ଖବର ଅନୁସାରେ ନିଖିଳ ଭାରତ କଂଗ୍ରେସ କମିଟିର ସ୍କ୍ରିନିଂ କମିଟି ସୋମବାର ଦିନ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭିଡି ସାଥୀସାନଙ୍କ ଅଧ୍ୟକ୍ଷତାରେ ଏହି ସ୍କ୍ରିନିଂ କମିଟି ଅବଶିଷ୍ଟ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିବେ। ନିକଟରେ ଏହି କମିଟି ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ଦିଲ୍ଲୀ ଫେରି ଯାଇଥିଲେ।

ସୋମବାର ଦିନ କମିଟିର ସଦସ୍ୟ ସାଥୀସାନ୍ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ। ଗସ୍ତ  ସମୟରେ ସେ ଜିଲ୍ଲା ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ଓ ମୟୂରଭଞ୍ଜ ଲୋକସଭା ଆସନ ଓ ବିଧାନସଭା ଆସନ ପାଇଁ ସେ ପ୍ରାର୍ଥୀ ଖୋଜିବେ।

ମଙ୍ଗଳବାର ଦିନ ସାଥୀସାନ୍ ଭଦ୍ରକ ଓ ବାଲେଶ୍ୱର ଯାଇ ନେତାଙ୍କ ମତାମତ ନେବେ। ସେହିଭଳି କମିଟିର ଅନ୍ୟ ନେତା ନୌଷଦ ସୋଲାଙ୍କି ସମ୍ବଲପୁର, ବରଗଡ଼ ଓ ସୁନ୍ଦେରଗଡ଼ ଲୋକସଭା ଓ ବିଧାନସଭା ଆସନ ପାଇଁ ନେତାଙ୍କ ସହ ଆଲୋଚନା କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଫେବ୍ରୁଆରି ୨୭ ତାରିଖରେ ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରେ ଏକ ବଡ଼ ଧରଣର ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଓଡ଼ିଶାର ଜଣେ କଂଗ୍ରେସ ନେତା। ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଜିତିନ ପ୍ରସାଦ ଯାଜପୁର ଓ କନ୍ଧମାଳ ଲୋକସଭା ତଥା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଭାଗ ନେବେ।

ପୂର୍ବରୁ ଘୋଷଣା କରାଯାଇ ସାରିଛି ଯେ ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଯେହେତୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି, ଆଶା କରାଯାଉଛି ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନହେଲେ ବି ଅଧିକାଂଶ ଆସନରେ କଂଗ୍ରେସର ପ୍ରାର୍ଥୀ କିଏ ହେବେ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ।

Comment