ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ହେବ! ଏହାକୁ ନେଇ ଦେଶ ଜନତା ଆଶଙ୍କାରେ ରହିଥିବା ବେଳେ ବିଶେଷଜ୍ଞମାନେ କ’ଣ ମତ ଦେଇଛନ୍ତି ଜାଣନ୍ତୁ।

ପାକିସ୍ତାନ ମାଟିରେ ଭାରତୀୟ ସେନା ଦେଖାଇଲେ ଦମ୍। ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା ଭାରତ। ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ନିପାତ କରି ଶତ୍ରୁ ରାଷ୍ଟ୍ରକୁ ମୁହଁତୋଡ଼ ଜବାବ ଦେବା ପରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଉଭୟ ଦେଶ ଭିତରେ ଯୁଦ୍ଧ ହୁଏ ତାହାଲେ ପରିସ୍ଥିତି କ’ଣ ହେବ ତାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

“ଯୁଦ୍ଧ ହେଲା ଭଳି ପରିସ୍ଥିତି ବର୍ତ୍ତମାନ ଉପୁଜିନି। କାରଣ ଲମ୍ବା ସମୟ ଧରି ଯୁଦ୍ଧ କରିବା ପାଇଁ ଉଭୟ ଦେଶ ପାଖରେ ସେତିକି ସମ୍ବଳ ନାହିଁ। ଉଭୟ ଦେଶର ଆର୍ଥିକ ସ୍ଥିତି ଭଲ ନଥିବାରୁ ଦୁଇ ଦେଶ ଏତେଶୀଘ୍ର ସମ୍ମୁଖ ଯୁଦ୍ଧକୁ ଓହ୍ଲାଇବେ ନାହିଁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ।

ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଜମ୍ମୁରୁ ଶ୍ରୀନଗର ଅଭିମୁଖେ ୭୦ଟି ବସ୍‌ରେ ଯାଉଥିବା ୨୫୦୦ ଯବାନଙ୍କ ବସ୍‌କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ବିସ୍ଫୋରକ ଭର୍ତ୍ତି କାର୍‌ ଗୋଟିଏ ବସ୍‌କୁ ଧକ୍କା ଦେବାରୁ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏହି ଘଟଣା ଚାରିଆଡ଼େ ପ୍ରଚାର ହେବା ପରେ ପାକିସ୍ତାନ ବିରୋଧରେ କଠୋର ହୋଇଥିଲା ଭାରତ।

ପାକିସ୍ତାନକୁ ସବୁଥିରୁ ବାସନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଭାରତରେ ପାକିସ୍ତାନ ବିରୋଧୀ ନାରା ଉଠିଥିଲା। ଗତ ୧୨ ଦିନ ହେଲା ଭାରତର ଜନସାଧାରଣଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ତାହା ଆଜି ପ୍ରଶମିତ ହୋଇଛି। ଉରୀ ଆକ୍ରମଣ ବେଳେ ଭାରତୀୟ ଯବାନ ପାକିସ୍ତାନ ସୀମାରେ ଯେଉଁଭଳି ଜବାବ ଦେଇଥିଲେ ତାହାର ପୁନରାବୃତ୍ତି ଘଟିଛି।

ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଶିବିରକୁ ଛାରଖାର କରିଦେଇଛନ୍ତି। ଭାରତୀୟ ଯବାନଙ୍କ ଏହି ଅତର୍କିତ ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି।

ଭାରତୀୟ ସେନାର ଏହି ସର୍ଜିକାଲ ଷ୍ଟ୍ରାଇକ ପରେ ପୁଣିଥରେ ପାକିସ୍ତାନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଛ୍ ସେକ୍ଟରରୁ ପାକିସ୍ତାନ ସିଜ୍‌ ଫାୟାର କରିଛି। ଫଳରେ ଭାରତ ଏବଂ ପାକ୍‌ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି।

“ଭାରତ ଏବଂ ପାକିସ୍ତାନ ସମାସ୍କନ୍ଧ ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି। ଯେଉଁ ସର୍ଜିକାଲ ଷ୍ଟ୍ରାଇକ ଘଟିଲା ତାହା ପାକିସ୍ତାନ କିମ୍ବା ଏହାର ଜନସାଧାରଣଙ୍କ ବିରୋଧରେ ହୋଇନି। ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଏହା ଚଢ଼ଉ। ପୁଲୱାମା ଆକ୍ରମଣ ପରେ ଯେଉଁ ଆତଙ୍କବାଦୀ ସଙ୍ଗଠନ ବାଃବାଃ ନେଇଥିଲା ସେହିମାନଙ୍କୁ ଭାରତ ଉଚିତ ଜବାବ ଦେଇଛି। ଏହା କୌଣସି ଯୁଦ୍ଧ ନୁହେଁ, ପାକିସ୍ତାନ ପାଇଁ ଏହା ଏକ ଶିକ୍ଷା”, କହିଛନ୍ତି ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର।

ସେ ଆହୁରି କହିଛନ୍ତି ଯେ ପାକିସ୍ତାନରେ ଏକ ଅସ୍ଥିର ସରକାର ଏବଂ ଦୁର୍ବଳ ନେତୃତ୍ୱ ଅଛି। ପାକିସ୍ତାନ ଯଦି ଯୁଦ୍ଧ କରିବାକୁ ଆସେ ତାହାଲେ ତାକୁ ୧୯୬୫, ୧୯୭୧ ଏବଂ ୧୯୯୯ କଥା ସ୍ମରଣ କରିବାକୁ ପଡ଼ିବ। ଯଦି ଆତଙ୍କବାଦ ବିରୋଧରେ ଯୁଦ୍ଧ ହୁଏ ତାହାଲେ ଭାରତକୁ ସମସ୍ତେ ସମର୍ଥନ କରିବେ।

“ଭାରତ ସବୁବେଳେ ଶାନ୍ତି ଏବଂ ଅହିଂସାରେ ବିଶ୍ୱାସ କରି ଆସିଛି। ଆଜି ପର୍ଯ୍ୟନ୍ତ ଭାରତ କେବେ ବି କେଉଁ ଦେଶ ଉପରେ ଆଗୁଆ ଆକ୍ରମଣ କରିନାହିଁ। କିନ୍ତୁ ବାହାରୁ ଯେତେବେଳେ ଆକ୍ରମଣ ହୁଏ ତାହାର ଜବାବ ଦେବାକୁ ପଡ଼ିଥାଏ। ନିଜର ସୁରକ୍ଷା ପାଇଁ ଭାରତ ଏହା କରିଥାଏ। ତେବେ ଏତିକି କହିବି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନର ରାସ୍ତା ବାହାର କରିବନି”, କହିଛନ୍ତି ସୋସିଆଲ ଆକ୍ଟିଭିଷ୍ଟ ନମ୍ରତା ଚଡ୍ଡା।

ଉରୀଠୁ ବଡ଼ ସର୍ଜିକାଲ ଷ୍ଟ୍ରାଇକ!

୨୦୧୬ ମସିହାରେ ଉରୀରେ ବଡ଼ ଧରଣର ହମ୍‌ଲା କରିଥିଲେ ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାର ଜବାବରେ ଭାରତ ପାକିସ୍ତାନ ସୀମାରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ। ଶହ ଶହ ଆତଙ୍କବାଦୀ ନିହତ ହୋଇଥିବା ଭାରତ ଦାବି କରିଥିଲା। ସର୍ଜିକାଲ ଷ୍ଟ୍ରାଇକ ପରେ ଆତଙ୍କବାଦୀ ଆକ୍ରମଣ ଥମିବ ବୋଲି ଆଶା ରହିଥିଲା। କିନ୍ତୁ ଗତ ୧୪ ତାରିଖରେ ଉରିଠୁ ବଡ଼ ଧରଣର ହମ୍‌ଲା ହୋଇଥିଲା। ୪୦ ଜଣ ଯବାନ ସହିଦ ହେବା ପରେ ପୁଣି ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଛି।

୨୦୧୬ ସର୍ଜିକାଲ ଷ୍ଟ୍ରାଇକ ପରେ ଯେଉଁ ଯୁଦ୍ଧ କଥା ଉଠୁଥିଲା ତାହା ଏବେ ପୁଣି ଉଠିଛି। ତେବେ ଯୁଦ୍ଧ ଏତେଟା ସହଜ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।

“ପାକିସ୍ତାନ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ବୋମା ମାଡ଼ ନିଶ୍ଚିତ ଭାବରେ ଉଭୟ ଦେଶ ଭିତରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଘଟଣାର ଗୋଟିଏ ବଡ଼ ଦିଗ ହେଉଛି ଯେ ପାକ ଅଧିକୃତ କଶ୍ମୀରର ଅନେକ ଆଗକୁ ଯାଇ ଆତଙ୍କବାଦୀ ଶିବିରକୁ ଧ୍ବଂସ କରାଯାଇଛି। ଏହି ଘଟଣାର ତତ୍‌କ୍ଷଣାତ୍ ପରିଣାମ ସ୍ୱରୂପ ରାଜଉରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା କରାଯାଇଛି ଯାହାର ଜବାବ ଭାରତର ସୁରକ୍ଷା କର୍ମଚାରୀ ଦେଇଛନ୍ତି। ମଙ୍ଗଳବାର ଘଟଣା ପରେ ପାକିସ୍ତାନ ଯେ ଚୁପ ଚାପ ବସିବ ସେ କଥା ନୁହେଁ। ଭାରତ ପକ୍ଷରୁ ଯେଉଁ କାର୍ଯ୍ୟାନୁଷ୍ଠାନ କରାଗଲା ତାହାକୁ ବିଭିନ୍ନ ଦେଶର ସମର୍ଥନ ମିଳିବା ସୁନିଶ୍ଚିତ”, କହିଛନ୍ତି ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା।

ସେ ଆହୁରି କହିଛନ୍ତି ଯେ ନିଜ ଲୋକଙ୍କ ସୁରକ୍ଷା ଓ ସାର୍ବଭୌମତ୍ୱ ପାଇଁ ଯେ କୌଣସି ଦେଶ ଶତ୍ରୁ ଦେଶ ଉପରେ  ଆକ୍ରମଣ କରିପାରିବ। ଏହା ଆନ୍ତର୍ଜାତିକ ସମୂହରେ ଏକ ସ୍ୱୀକୃତ ନୀତି। ଏଣୁ ପାକିସ୍ତାନର ବିଶେଷ କିଛି କହିବାର ନାହିଁ ଏଥିରେ। ତା ଛଡ଼ା ଏହି ଆକ୍ରମଣ ଯେହେତୁ ଆତଙ୍କବାଦୀ ଶିବିର ଉପରେ ହୋଇଛି, ବିଶ୍ୱର ସବୁ ଆଡ଼ୁ ସମର୍ଥନ ମିଳିବ ନିଶ୍ଚିତ। ଖାଲି ଦେଶ ଭିତରେ ଏହି କାର୍ଯ୍ୟାନୁଷ୍ଠାନରେ ରାଜନୀତି ନପଶିଲେ ହେଲା। ଆଗାମୀ କିଛି ଦିନ ଉଭୟ ଭାରତ ଓ ପାକିସ୍ତାନ ସୀମାନ୍ତରେ ଉତ୍ତେଜନା ଲାଗି ରହିବା ଦେଖାଯାଉଛି।

କୌଣସି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇନି। ଭାରତୀୟ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ଆକ୍ରମଣ କରିଛନ୍ତି। ହେଲେ ପାକିସ୍ତାନର ସେନା କିମ୍ବା ପାର୍ଲାମେଣ୍ଟ ଉପରେ ଆକ୍ରମଣ ହୋଇନି। ଭାରତୀୟ ବାୟୁସେନା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି। ହେଲେ ଏଥିରେ କୌଣସି ଯୁଦ୍ଧର ଆଶଙ୍କା ନାହିଁ। ଏହାକୁ ନେଇ ଉଭୟ ଦେଶ କେବଳ ସତର୍କରେ ରହିବେ”, କହିଛନ୍ତି ଲେଫ୍ଟେନଣ୍ଟ କର୍ଣ୍ଣେଲ୍ ଅସିତ୍ ମହାପାତ୍ର।

Comment