ଭାସ୍କର ପରିଚ୍ଛା

ମହିମା ଧର୍ମକୁ କୁହାଯାଏ ଓଡ଼ିଶାର ସ୍ୱତନ୍ତ୍ର ଧର୍ମ। ଯଦିଓ ଏହାର ପ୍ରଭାବ ପଡ଼ୋଶୀ ରାଜ୍ୟମାନଙ୍କରେ ଦେଖିବାକୁ ମିଳେ, ଓଡ଼ିଶାରେ କିନ୍ତୁ ଏହାର ପ୍ରାବଲ୍ୟ ଅନସ୍ୱୀକାର୍ଯ୍ୟ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱର ଧର୍ମ ବା ମନୋଥେଇଜମ ଭାବରେ ମହିମା ଧର୍ମର ବ୍ୟାପକ ପ୍ରତିଷ୍ଠା ରହିଛି। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଜୀବନାଦର୍ଶ କେବଳ ମହିମାବଲମ୍ବୀଙ୍କ ଭିତରେ ସୀମିତ ନୁହେଁ, ଏହା ଏକ ସାର୍ବଜନୀନ ଆଦର୍ଶ।

ଭୀମ ଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ – ଏହି ଶାଶ୍ୱତ ବାଣୀ କାହାକୁ ଅବା ଅଭିଭୂତ କରିନାହିଁ? ସୁଖର କଥା ଯେ ମହିମା ଧର୍ମ ଉପରେ ଏକ ବିଧିବଦ୍ଧ ଇତିହାସ ରଚନାର ଯେଉଁ ଅଭାବବୋଧଟି ଥିଲା ତାହା ଏବେ ଦୂର ହୋଇପାରିଛି। ଅବଶ୍ୟ ମହିମା ଧର୍ମ ସମ୍ପର୍କରେ ଆଗରୁ ବହୁ ପୁସ୍ତକ ରଚନା ହୋଇଛି। ନିଜେ ମହିମା ଧର୍ମର ବାବାମାନେ ବହୁ ପୁସ୍ତିକାର ରଚୟିତା। କିନ୍ତୁ ମହିମା ଧର୍ମର ଏକ ବିଧିବଦ୍ଧ ଗବେଷଣାତ୍ମକ ପ୍ରଚେଷ୍ଟା ପୂର୍ବରୁ କେବେ ହୋଇନଥିଲା। ଡକ୍ଟର  ଉଦ୍ଧବ ଚରଣ ନାୟକ ସେହି କାର୍ଯ୍ୟଟିକୁ ସମ୍ପାଦନ କରିଛନ୍ତି।

ମହିମା ଗୋସ୍ୱାମୀ, ତାଙ୍କ ପରବର୍ତ୍ତୀ ସାଧକଙ୍କ ଜୀବନୀ, ଧର୍ମପ୍ରଚାର, ସାହିତ୍ୟ ସୃଷ୍ଟି, ମହିମା ଧର୍ମର ସମାଜ ଗଠନ,ଏହାର ଉତ୍ତପ୍ତି, କ୍ରମବିକାଶ, ଭୀମଭୋଇ ଓ ସମସାମୟିକ  ଭକ୍ତକବି, ମହିମା ଧର୍ମର ନୀତିନିୟମ, ଆଦର୍ଶ ଓ ସାର୍ବଜନୀନତା ଏ ସବୁର ସମାହାର ଏହି ଗ୍ରନ୍ଥ।

ଡକ୍ଟର ନାୟକ ଓଡ଼ିଆ ସାହିତ୍ୟ ଓ ଭାଷାରେ ଜଣେ ପରିଚିତ ଲେଖକ କେବଳ ନୁହନ୍ତି ସେ ବିଭିନ୍ନ ବିଷୟରେ ପୁସ୍ତକ ଲେଖିଛନ୍ତି। ପ୍ରବନ୍ଧ, ଶିଶୁ ସାହିତ୍ୟ, ସାକ୍ଷରତା ବିଶେଷଜ୍ଞ ଭାବରେ ତାଙ୍କର ପ୍ରତିଷ୍ଠା ରହିଛି। ତେବେ ମହିମାଧର୍ମ ଓ ସାହିତ୍ୟର ଜଣେ ଆଗଧାଡ଼ିର ଗବେଷକ ଭାବେ ସେ ଅଧିକ  ଜଣାଶୁଣା। ଆଲୋଚ୍ୟ ପୁସ୍ତକଟି ତାଙ୍କ ପିଏଚଡି ଥେସିସର ଫଳ। ଡକ୍ଟର ନାୟକଙ୍କ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ଅବଦାନ ହେଉଛି ଯେ ସେ ଭୀମ ଭୋଇ ଗ୍ରନ୍ଥାବଳୀର ସମ୍ପାଦନା ଓ ସଂକଳନ କରିଛନ୍ତି।

ଏହିଭଳି ପୃଷ୍ଠଭୂମିର ଜଣେ ଲେଖକ ଯେତେବେଳେ ଗୋଟିଏ ଅନାସକ୍ତ  ଓ  ଆଚମ୍ବିତ ଧର୍ମର ଇତିହାସ ଲେଖିବେ ତାହା ନିଶ୍ଚିତ ଭାବରେ ପଠନଯୋଗ୍ୟ ହେବ। ପୁସ୍ତକଟିକୁ ଛାନଭିନ୍ କରିବା ପରେ  ମନେହେଲା ମହିମା ଧର୍ମ ସମ୍ପର୍କରେ ଜାଣିବା ପାଇଁ ସୁଧୀ ପାଠକଟିକୁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ।

ମହିମାଧର୍ମ ପୁସ୍ତକଟିକୁ ଆଠଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି। ସବୁଠୁ ବଡ଼ କଥା ଏହାର ପରିଶିଷ୍ଟ। ତତ୍କାଳୀନ ସରକାରୀ ରେକର୍ଡ ପତ୍ରର ନକଲ, ଯୋରନ୍ଦା ମେଳା,ସାଧୁସୁନ୍ଦର ଦାସଙ୍କ ଅଦ୍ୱୈତବାଦ, ଚଉପଦୀ, ଛାନ୍ଦ ଓ ଭୀମଭୋଇଙ୍କ ରଚିତ ପୁସ୍ତକର ତାଲିକାରେ ସମୃଦ୍ଧ ଏହି ଗ୍ରନ୍ଥର ଆବେଦନ ସର୍ବକାଳୀନ ଏଥିରେ ଦ୍ୱିମତ ନାହିଁ। ପୁସ୍ତକର ଅଷ୍ଟମ ପରିଚ୍ଛେଦଟି ନିହାତି ପଢ଼ାଯିବା ଦରକାର। କାରଣ ଏଥିରେ ରହିଛି ମହିମାଧର୍ମର ଉପଦେଶାବଳୀ, ନୀତିନିୟମ, ସାର୍ବଜନୀନତା ଓ ମାନବିକ ମୂଲ୍ୟବୋଧ। ସେହିଭଳି ମହିମାବଲମ୍ବୀ ବିଭିନ୍ନ ବାବାଙ୍କ ସମ୍ପର୍କରେ ବେଶ୍ କିଛି ରୋଚକ ତଥ୍ୟ ବି ଏଥିରେ ରହିଛି।

ଓଡ଼ିଆ ଗ୍ରନ୍ଥ, ପତ୍ର ପତ୍ରିକା, ପ୍ରାଚୀନ ଅଭିଲେଖ, ବଙ୍ଗଳା ଗ୍ରନ୍ଥ, ହିନ୍ଦୀ ଗ୍ରନ୍ଥ, ବିଭିନ୍ନ ଖବରକାଗଜରେ ପ୍ରକାଶିତ ଲେଖା ଏହି ସବୁ ସହାୟକ ଉପାଦାନରେ ରଚିତ ଏହି ପୁସ୍ତକରେ ଅନେକ ତଥ୍ୟ ରହିଛି ଯାହାକି ମହିମା ଧର୍ମର ସ୍ଥୂଳ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି।

ପୁସ୍ତକର ମୁଖବନ୍ଧରେ ଡକ୍ଟର ନାୟକ କହିଛନ୍ତି, “ଏହି ଧର୍ମ ଅଲେଖ ଧର୍ମ ବା କୁମ୍ଭୀରପଟିଆ ଧର୍ମ ଭାବରେ ସୁପରିଚିତ। ମହିମା ଧର୍ମ ଉନ୍ନବିଂଶ ଶତାବ୍ଦୀରେ ବଙ୍ଗଳା ଦେଶ ଓ ନେପାଳରେ ବି ପ୍ରଚାର ଓ ପ୍ରସାର ଲାଭ କରିଥିଲା। ବିଶ୍ୱର ଯେଉଁ ସବୁ ଧର୍ମ  ଏକେଶ୍ୱରବାଦ ଉପରେ ବିଶ୍ୱାସ କରନ୍ତି ତନ୍ମଧ୍ୟରେ ଓଡ଼ିଶାର ମହିମା ଧର୍ମ ଅନ୍ୟତମ। ଏହି ଧର୍ମ ଏକ ସଂସ୍କାରବାଦୀ ଧର୍ମ।”
କହିବା ବାହୁଲ୍ୟ ଯେ ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସେଇଁ (୧୮୨୬-୧୮୭୬) ଓ ଏହାର ମୁଖ୍ୟ ପ୍ରଚାରକ ଭୀମଭୋଇ (୧୮୪୬-୧୮୯୫)।

ପୁସ୍ତକର ଅନ୍ୟ ଏକ ମହତ ସଂଯୋଜନା ହେଉଛି ୬ ଅଗଷ୍ଟ ୧୮୮୧ରେ ବାଙ୍କୀ ତହସିଲ ଅଫିସରୁ ଓଡ଼ିଶା ଡିଭିଜନର କମିଶନରଙ୍କ ନିକଟକୁ ଲେଖାଯାଇଥିବା ଏକ ପତ୍ର। ତତ୍କାଳୀନ ଢେଙ୍କାନାଳ ଇଷ୍ଟେଟର ମ୍ୟାନେଜର ବନମାଳୀ ସିଂହ ମଧ୍ୟ ଅକ୍ଟୋବର ୧୮୮୧ରେ ଇଂରାଜିରେ ଲେଖିଥିବା ଚିଠିରୁ ଜଣାଯାଏ ମହିମା ଧର୍ମ କିଭଳି ସେତେବେଳେ ପ୍ରଚାର ଓ ପ୍ରସାର ଲାଭ କରିଥିଲା।

ଡକ୍ଟର ନାୟକଙ୍କ ଯୁକ୍ତି ହେଉଛି ଯେ ତତ୍କାଳୀନ ହିନ୍ଦୁ ସମାଜରେ ନିଷ୍ପେସିତ ହୋଇଥିବା ଅସ୍ପୃଶ୍ୟ ଲୋକେ ମହିମା ଧର୍ମକୁ ଏକ ‘ଗଣ ଧର୍ମ’ ବୋଲି ଉପଲବ୍ଧି କରି ବହୁ ସଂଖ୍ୟାରେ ଭୀମଭୋଇଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଏହା ଫଳରେ ବ୍ରାହ୍ମଣମାନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଲା ଓ ସେମାନେ ଭୀମଭୋଇଙ୍କୁ ନାନା ଭାବରେ ବିରୋଧ କରିଥିଲେ। ଏହିଭଳି ଅନେକ ରୋଚକ ତଥ୍ୟ ଓ ଘଟଣାର ସମାହାର ଏହି ଗ୍ରନ୍ଥ।

ଏକ ସରଳ, ନିରାଡ଼ମ୍ବର ଓ ମାନବତାବାଦରେ ବିଶ୍ୱାସ କରୁଥିବା ମହିମା ଧର୍ମକୁ ବୁଝିବା ଦିଗରେ ଡକ୍ଟର ଉଦ୍ଧବ ଚରଣ ନାୟକଙ୍କ ପୁସ୍ତକଟି ସହାୟକ ହେବ ଏଥିରେ ଦ୍ଵିମତ ନାହିଁ।

‘ମହିମା ଧର୍ମ’
ଡକ୍ଟର ଉଦ୍ଧବ ଚରଣ ନାୟକ
ପ୍ରକାଶକ : ଉମା ପବ୍ଲିକେସନ୍ସ
ଆଇଆରସି ଭିଲେଜ, ନୟାପଲ୍ଲୀ
ଭୁବନେଶ୍ୱର -୭୫୧୦୧୫, ମୂଲ୍ୟ : ୨୫୦ଟଙ୍କା

Comment