ଓଡ଼ିଶାଲାଇଭ୍ ବ୍ୟୁରୋ   

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ):  ଆଜି ମାର୍ଚ୍ଚ ୨୦ ତାରିଖ। ଏହି ଦିନକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ପଖାଳ ଖାଇ ଓଡ଼ିଶାବାସୀ ଆଜିର ଦିନକୁ ପାଳନ କରିଥିବା ବେଳେ ବିଶାଖାପାଟଣାରେ ବାସ କରୁଥିବା ଓଡ଼ିଆ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି।

ବିଶାଖାପାଟଣାର ବିମାନ ନଗରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ମହିଳା ସଂଗଠନ ପକ୍ଷରୁ ଆଜି ବିଶ୍ୱ ପଖାଳ ଦିବସ ପାଳନ କରାଯାଇଥିଲା।

ଏଠାରେ ବସବାସ କରୁଥିବା ପ୍ରାୟ ୫୦ ଓଡ଼ିଆ ପରିବାରର  ମହିଳାମାନେ ଗତ ୭ ବର୍ଷ ପୂର୍ବେ ବିମାନ ନଗର ମହିଳା ଆସୋସିଏସନ ଗଠନ କରିଥିଲେ। ଏହି ସଙ୍ଗଠନ ପଖାଳ ଦିବସ ପାଳନ କରିଛି। ଏଠାରେ ମହିଳାମାନେ ଦହି ପଖାଳ ସାଙ୍ଗକୁ ଶାଗ ଭଜା, କଲରା ଭଜା, ବୋଇତାଳୁ ଫୁଲ ଭଜା ସହ ପ୍ରାୟ ୧୭ ପ୍ରକାରର ଓଡ଼ିଆ ତରକାରୀ ପ୍ରସ୍ତୁତ କରିଥିଲେ।

ବିଶାଖାପାଟଣାର ଓଡ଼ିଆଙ୍କ ସହ ତେଲୁଗୁ ସଂପ୍ରଦାୟର କିଛି ଲୋକ ମଧ୍ୟ ପଖାଳର ମଜା ନେଇଥିଲେ।

ଅନୁଷ୍ଠାନର ସଭାପତି ଆରତୀ ହାଲଦର କହିଛନ୍ତି, ‘‘ନିଜର ପେଟ ପାଟଣା ପାଇଁ ଆମେ ଓଡ଼ିଶା ମାଟି ଛାଡ଼ି ବାହାର ରାଜ୍ୟରେ ରହୁଛୁ। କିନ୍ତୁ ଆଜିର ଯୁବ ପିଢ଼ି କମ୍ ବୟସରୁ ନିଜର ପରିବାର ସହ ବାହାରେ  ରାଜ୍ୟରେ ରହିବା  ଯୋଗୁ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି। ଏଣୁ ଓଡ଼ିଶା ବାହାରେ ରହୁଥିବା ବର୍ତ୍ତମାନ ପିଢ଼ିଙ୍କୁ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ଅବଗତ କରିବାକୁ ଚେଷ୍ଟା ଜାରି ରଖିଛୁ।’’

Comment