ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ଲାଗି ବିଗୁଲ ବାଜିସାରିଛି। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ଲାଗି ପ୍ରାୟ ସବୁ ଦଳ ସେମାନଙ୍କର ପ୍ରାର୍ଥୀ ଦେବା ଆରମ୍ଭ କରିଛନ୍ତି।

ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ ପର୍ବ ଯେମିତି ଏକ ସାଧାରଣ କଥା ହୋଇଗଲାଣି। ବିଜେପି ତାର ମିଶନ ୧୨୦ ପ୍ଲସର ଲକ୍ଷ୍ୟ ପୂରଣ ନେଇ ଋଣନୀତି ପ୍ରସ୍ତୁତ କରୁଛି।

ଅନେକ ବରିଷ୍ଠ ନେତାଙ୍କୁ ଦଳରେ ସାମିଲ କରାଉଛି ବିଜେପି। ନିକଟରେ ବୈଜୟନ୍ତ ପଣ୍ଡା, ଦମୋଦର ରାଉତ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଯାହାକୁ ନେଇ ରାଜନୈତିକ କରିଡରରେ ଅନେକ ଚର୍ଚ୍ଚା ହୋଇଥିଲା। ଏହା ପରେ ବିଜେପି ଛାଡ଼ିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ ସମସ୍ଥଙ୍କ ନଜର ଥିଲା।

ତେବେ ବିଜୟ ମହାପାତ୍ର ନିଜର ମାନ ଭଞ୍ଜନ କରି ବିଜେପିକୁ ଫେରିଛନ୍ତି। ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସହିତ ଆଲୋଚନା ପରେ ବିଜୟ ଦଳକୁ ଫେରୁଛନ୍ତି।

ଗୁରୁବାର ବୈଜୟନ୍ତ ଓ ଅରୁଣ ସିଂଙ୍କୁ ବିଜୟଙ୍କ ବାସଭବନରେ ଦେଖିବାକୁ ମିଳିଥିଲା। ସେହିଠାରେ ହିଁ ବିଜୟ ବିଜେପୁ ଫେରୁଥିବାର ସୂଚନା ଦେଇଛନ୍ତି।

ବିଜେପିକୁ ଘରବାହୁଡ଼ା ନେଇ ବିଜୟ କହିଛନ୍ତି, “ପୁରୁଣା କଥାକୁ ଭୂଲି ନୂଆ ସଂକଳ୍ପ ନେଇ ଦଳକୁ ଫେରିଲି। ଅମିତ ଶାହ ମୋ ସହ ଫୋନରେ କଥା ହୋଇଛନ୍ତି। ରାଜ୍ୟରେ ପରିବର୍ତ୍ତନ ଲାଗି ନୂଆ ଅଭିଯାନରେ ବାହାରିଲୁ। କେଉଁଠୁ ଲଢ଼ିବି ତାହା ଦଳ ଠିକ୍‌ କରିବ।”

ପୂର୍ବରୁ ମଧ୍ୟ ବିଜୟ ବିଜେପିରେ ଥିଲେ ମାତ୍ର ଦଳରେ ଅସନ୍ତୋଷ ପ୍ରକାଶ କରି ୨୦୧୮ ନଭେମ୍ବରରେ ବିଜେପି ଛାଡ଼ିଥିଲେ। ତେବେ ପାଖାପାଖି ୫ମାସ ପରେ ବିଜୟଙ୍କର ଘରବାହୁଡ଼ା ହେଉଛି। ଯାହାକୁ ଅନେକ ଚର୍ଚ୍ଚା ଆଲୋଚନା ହେଉଛି।

ବିଜୟ ୪ଥର ପାଟକୁରାରୁ ବିଧାନସଭା ଲାଗି ନିର୍ବାଚିତ ହୋଇଛନ୍ତି। ଏହାସହିତ ବିଜୁପଟ୍ଟନାୟକଙ୍କ ଅମଳରେ ସେ ଜଣେ ଟାଣୁଆ ନେତା ଥିଲେ।

ଏପରି ବି କୁହାଯାଏ ୧୯୯୭ରେ ଯେବେ ବିଜୁ ଜନତା ଦଳ ଗଠନ ହୋଇଥିଲା ସେତେବେଳେ ବିଜୟ ଏକ ବଡ଼ ଭୂମିକା ନିଭାଇଥିଲେ। ତେବେ କେବଳ ବିଜୟ ମହାପାତ୍ର ନୁହନ୍ତି, ନଳିନୀ ମହାନ୍ତି, ଦିଲ୍ଲୀପ ରାୟ ବିଜୁ ଜନତା ଦଳର ତିନି ମହାରଥୀ ଥିଲେ। ଉକ୍ତ ୩ଜଣ ଦଳ ଭିତରେ ଯେତିକି କ୍ଷମତାଶାଳୀ ଥିଲେ ସାଧରଣରେ ମଧ୍ୟ ସେତିକି ଲୋକପ୍ରିୟ ନେତା ଥିଲେ।

ତେବେ ୨୦୦୦ ମସିହାରେ ଯେତେବେଳେ ତାଙ୍କ ଟିକେଟ କଟାଯାଇଥିଲା ସେ ବିଜେଡି ଛାଡ଼ି ଏକ ଦଳ ଗଠନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ।

ବିଜେପିକୁ ବିଜୟଙ୍କ ଘର ବାହୁଡ଼ା ପରେ ଏବେ ଚର୍ଚ୍ଚା ହେଉଛି କି ସେ ନିର୍ବାଚନ ଲଢ଼ିବେ ନା ଦଳ ତାଙ୍କୁ ଆଉ କିଛି ଦାୟିତ୍ୱ ଦେବ ତେବେ ଏ ନେଇ ବିଜୟ କହିଛନ୍ତି, “ଦଳ ନିଷ୍ପତ୍ତି ନେବ।”

Comment