ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଟକ ଲୋକସଭା ଆସନରେ ଏଥର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋଙ୍କ ଭିତରେ କଡ଼ା ଟକ୍କର ହେବ।

(କଟକରୁ ପ୍ରଣବ କୁମାର ନନ୍ଦୀ) ଏଥର କଟକ ଲୋକସଭା ଆସନରେ ଦେଖିବାକୁ ମିଳିବ କଡ଼ା ଟକ୍କର। ବିଜେଡି କଟକ ଲୋକସଭା ଆସନ ପାଇଁ ୫ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁଣି ପ୍ରାର୍ଥୀ କରିଛି। ମଙ୍ଗଳବାର ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଅପରପକ୍ଷରେ ବିଜେପି ଆଇପିଏସ ଅଧିକାରୀ ତଥା ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ବହୁ ଛକାପଞ୍ଝା ପରେ କଂଗ୍ରେସ ଦଳ ପକ୍ଷରୁ ଭେଟେରାନ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ଚଳିତଥର କଟକ ଲୋକସଭା ଆସନ ପାଇଁ ଏହି ତିନି ଦଳ ମଧ୍ୟରେ ନେକ୍ ଟୁ ନେକ୍ ଫାଇଟ୍ ହେବ ବୋଲି କୁହାଯାଉଛି।

ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ୩ ଜଣ ହେବିୱେଟ ନେତା ସିଧାସଳଖ ମୁହାଁମୁହିଁ ହେଉଛନ୍ତି। ତେଣୁ ଏଥର ଲଢେଇ ସଂଘର୍ଷପୂର୍ଣ୍ଣ ହେବ।

ବିଜେଡିର ଗଡ଼ କଟକ 

କଟକ ଲୋକସଭା ଅଧୀନରେ ଥିବା ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯଥା ବାରବାଟୀ-କଟକ, ଚୈାଦ୍ୱାର-କଟକ, କଟକ ସଦର, ବଡମ୍ବା, ଆଠଗଡ, ବାଙ୍କି ଓ ଖଣ୍ଡପଡ଼ାକୁ ନେଇ ଗଠିତ।

କଟକ ଲୋକସଭା ଆସନ ବିଜେଡିର ଗଡ ଭାବେ ରହି ଆସିଛି। ବିଜୁ ଜନତା ଦଳ ଗଠନ ହେବାଠାରୁ ଏହି ଆସନରେ ଭର୍ତ୍ତୃହରି ମହତାବ କ୍ରମାଗତ ୫ଟି ନିର୍ବାଚନ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସାଂସଦ ଭାବେ ବିଜୟୀ ହୋଇଆସୁଛନ୍ତି । ୨୦୧୪ ନିର୍ବାଚନରେ ମହତାବ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ସେ ଏହି ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ୩ ଲକ୍ଷ ୬ ହଜାର ୭୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ୫ମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲା।

ମହତାବ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତି ୨ ଲକ୍ଷ ୧୯ ହଜାର ୩୨୩ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ମାତ୍ର ୧ ଲକ୍ଷ ୪୬ ହଜାର ଖଣ୍ଡ ଭୋଟ ମିଳିଥିଲା। କିନ୍ତୁ ଏଥର ମହତାବଙ୍କୁ କଡା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ପ୍ରକାଶ ମିଶ୍ରଙ୍କୁ ଅସ୍ତ୍ର କରିଛି ବିଜେପି

ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ହେଉଛନ୍ତି ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ। ଜଣେ ନିର୍ମଳ ଭାବମୂର୍ତ୍ତି ଆଇପିଏସ ଅଧିକାରୀ ଭାବେ ମିଶ୍ରଙ୍କର ବେଶ ଖ୍ୟାତି ରହିଛି। ବିଜେପି ମିଶ୍ରଙ୍କୁ ପ୍ରାର୍ଥୀ କରି କଟକ ଲୋକସଭା ଆସନରେ ବିଜେଡିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତି କରିଛି।

କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ କଂଗ୍ରେସ ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପଞ୍ଚାନନଙ୍କର କଟକ ଜିଲ୍ଲାରେ ଭଲ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କାନୁନଗୋ କହିଛନ୍ତି ।

୧୯ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସଂପ୍ରତି ରାଜ୍ୟର ପରିବର୍ତ୍ତିତ ରାଜନୈତିକ ହାୱା ସହିତ ଖାପ୍ ଖୁଆଇ ଆଗକୁ ବଢିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

କଟକ ଲୋକସଭା ଆସନରୁ ଦୁଇ ଦଶନ୍ଧି ଧରି ସାଂସଦ ରହିଥିବା ମହତାବଙ୍କୁ ଏଥର ସରକାରୀ ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏଣୁ ଚଳିତବର୍ଷ ମହତାବକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଦଳକୁ ସଫଳତା ଆଣିଦେବ ବୋଲି ଦଳୀୟ କର୍ମୀ ଓ ନେତା ଆଶା ବାନ୍ଧିଛନ୍ତି। ସେହିପରି ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ୨୦୧୯ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି। ଏହାଛଡ଼ା କଟକରେ ବିଜେପି ତା’ର ସାଙ୍ଗଠନିକ ଦକ୍ଷତାକୁ ସୁଦୃଢ କରିଛି। ଇତିମଧ୍ୟରେ ବିଜେପି ପ୍ରାର୍ଥୀ ମିଶ୍ର ତାଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।

ଜନସାଧାରଣଙ୍କ ମଧ୍ୟରେ ପ୍ରତିଧ୍ୱନିତ ହେଉଥିବା ପରିବର୍ତ୍ତନର ସ୍ୱର କଂଗ୍ରେସ ଦଳର ସଫଳତାର ମାପକାଠି ହେବ ବୋଲି ଦଳୀୟ କର୍ମୀ ଓ ନେତାମାନେ କହିଛନ୍ତି। ଚଳିତ ଥର କଟକ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ।

Comment