ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଜୟପୁରରେ ମାରାଥନ ପ୍ରଚାର କଲେ ନବୀନ – ‘‘ମୁଁ ଆପଣମାନଙ୍କ ସାଙ୍ଗରେ ରହିଛି, ରହିବି’’
ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ପରେ ନବୀନ କୋରାପୁଟର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଜୟପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ସଭାରେ ନବୀନ ସିଧା କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରୁ ଆସୁଥିବା ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
‘‘ନିର୍ବାଚନୀ ଇସ୍ତହାରରେ ଚାଷୀମାନଙ୍କ ସମସ୍ୟାକୁ ୧ ନମ୍ବରରେ ରଖାଯାଇଛି। ଚାଷୀଙ୍କ ପାଇଁ ଆମ ସରକାର ଅନେକ କାମ କରିଛନ୍ତି। ଚାଷୀଙ୍କ ପାଇଁ କାଳିଆ ଯୋଜନା ହୋଇଛି। ୪୦ ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଉ ୨୫ ଲକ୍ଷ ଚାଷୀଙ୍କୁ ଯୋଜନାରେ ଯୋଡ଼ା ଯିବ’’, କହିଛନ୍ତି ନବୀନ।
ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘‘ତିତିଲି, ଫାଇଲିନ, ହୁଡହୁଡ ବେଳେ କୌଣସି କେନ୍ଦ୍ର ନେତା ଓଡ଼ିଶା ଆସିଲେ ନାହିଁ। ଏବେ ନିର୍ବାଚନ ସମୟ ଆସିଥିବାରୁ ସେମାନେ ଭୋଟ ପାଇଁ ଓଡ଼ିଶା ଆସୁଛନ୍ତି। ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ରହିବି।’’

ନବୀନଙ୍କୁ କଂଗ୍ରେସ ପଚାରିଲା ପ୍ରଶ୍ନ – “୧୯ ବର୍ଷ ଭିତରେ ମହିଳାଙ୍କ ପାଇଁ କରିଛ କ’ଣ?”
ନବୀନଙ୍କ ମହିଳା କାର୍ଡକୁ କାଉଣ୍ଟର କରିଛି ଓଡିଶା ପ୍ରଦେଶ କଂଗ୍ରେସ। ଆଜି ଭୁବନେଶରସ୍ଥିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସିଧାସଳଖ ନବୀନଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି। ବିଜେଡିର ୩୩ ପ୍ରତିଶତ ମହିଳା କାର୍ଡ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।
ଗତ ଦୁଇ ଦଶନ୍ଧିର ଶାସନ ସତ୍ତ୍ଵେ ମହିଳାଙ୍କର ସାମାଜିକ ସ୍ଥିତିରେ ଘୋର ଅବନତି କାହିଁକି ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ନିର୍ବାଚନ ଲଢ଼ିବେନି ସୁମିତ୍ରା ମହାଜନ
ବରିଷ୍ଠ ବିଜେପି ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ବିଜେପି ୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରି ନାହିଁ। ଦଳ ଏଥର ଲାଲ୍କୃଷ୍ଣ ଆଡଭାଣୀ, ମୂରଲୀ ମନୋହର ଯୋଶୀ ଓ କଲରାଜ ମିଶ୍ରଙ୍କ ଟିକେଟ୍ କାଟିଛି। ବିଜେପି ସୁମିତ୍ରା ମହାଜନଙ୍କୁ ଟିକେଟ ଦେବ କି ନାହିଁ ସେ ନେଇ ଅନିଶ୍ଚିତତାରେ ଥିବା ବେଳେ ଗୁରୁବାର ସୁମିତ୍ରା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।

୩ ନେତାଙ୍କୁ ନୂଆ ଦାୟିତ୍ଵ ଦେଲା ବିଜେଡି
ଟିକେଟ ବଣ୍ଟାରେ ଅସନ୍ତୁଷ୍ଟ ନେତାଙ୍କୁ ଏକପ୍ରକାର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଆଉ ଦୁଇ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ନବୀନ। ନବୀନ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ଵ ଦେଇଛନ୍ତି। ସେହିପରି ଜନ୍ମେଜୟ ଲେଙ୍କାଙ୍କୁ ଓ ମୀନକେତନ ଅମାନ୍ତଙ୍କୁ ମଧ୍ୟ ସମାନ ଦାୟିତ୍ଵ ମିଳିଛି। ଅନ୍ୟପକ୍ଷରେ ଜିତୁ ପଟ୍ଟନାୟକ, ବିଜୟ ନାୟକଙ୍କୁ ବିଜେପୁର ସହପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଛନ୍ତି ବିଜେଡି ସୁପ୍ରିମୋ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦି
ବିଜେପି ଫୋକସରେ ରହିଛି ଓଡ଼ିଶା। ଏହା ସ୍ପଷ୍ଟ ହୋଇଛି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତରୁା ଆସନ୍ତାକାଲି ଅର୍ଥାତ ଏପ୍ରିଲ ୬ରେ ମୋଦି ପୁଣି ଓଡ଼ିଶା ଆସୁଛନ୍ତି। କାଲି ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ। ମାର୍ଚ୍ଚ୨୯ ତାରିଖରେ ଜୟପୁରଠାରେ ନିର୍ବାଚନୀ ପ୍ରଚାର କରିଥିବା ମୋଦି ଏପ୍ରିଲ ୨ରେ ବି ଭବାନିପାଟଣାରେ ପ୍ରଚାର କରିଥିଲେ।
ଓଡ଼ିଶାରେ ମିଶନ ୧୨୦ର ଲକ୍ଷ୍ୟ ରଖିଛି ବିଜେପି। ଏହି ମିଶନ ମୋଡରେ କାମ କରୁଛି ବିଜେପିା ୧୨୦ଟି ବିଧାନସଭା ସମେତ ୨୧ଟି ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ମୋଦି ଓଡ଼ିଶା ଉପରେ ଫୋକସ କରିଛନ୍ତି। ଦେଖାଯାଉ ମୋଦିଙ୍କର ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ଫାଇଦା ହେଉଛିା

୯ରେ ପୁଣି ଓଡ଼ିଶା ଆସିବେ ରାହୁଲ
ନିର୍ବାଚନ ପ୍ରଚାର ଯେତିକି ପାଖେଇ ଆସୁଛି ନେତାଙ୍କର ମାରାଥନ ପ୍ରଚାର ସେତିକି ଜୋରଦାର ହେଉଛି। ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶାରେ କେନ୍ଦ୍ର ନେତାଙ୍କର ସୁଅ ଛୁଟିଛି। ଏହି ମଧ୍ୟରେ ପୁଣିଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ଏପ୍ରିଲ ୯ରେ ଓଡ଼ିଶା ଆସିବେ। ସେ ଦିଗପହଣ୍ଡିରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ଏହା ପୂର୍ବରୁ ଏପ୍ରିଲ ୪ରେ ରାହୁଲଙ୍କର ଆସିବାର ଥିଲା। ପରେ ରାହୁଲଙ୍କ ଗସ୍ତରେ ପରିବର୍ତ୍ତନ କରାଯାଇଥିଲା।


















