ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  

କଟକର ବିଭିନ୍ନ ବୁଥରେ ଉତ୍ସାହର ସହ ଭୋଟର ଦେଲେ ଭୋଟ।    

(କଟକରୁ ପ୍ରଣବ କୁମାର ନନ୍ଦୀ): ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ  ଆଜି ଶେଷ ହୋଇଛି। ଏହି କ୍ରମରେ କଟକ ଲୋକସଭା ଆସନ ସମେତ କଟକ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହୋଇଥିଲା। ଲୋକତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ବିଭିନ୍ନ ବୁଥରେ ସକାଳୁ ସକାଳୁ ଭୋଟରମାନଙ୍କର ଭିଡ ଦେଖିବାକୁ ମିଳିଥିଲା।

ଭୋଟରମାନେ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିଲେ। କଟକ ଲୋକସଭା ଆସନ ସହିତ ଜିଲ୍ଲାର ୬ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି।

ଭୋଟ ଗ୍ରହଣ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କଟକ ଜିଲ୍ଲାର କିଛି ସ୍ଥାନରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ବିଳମ୍ବିତ ହୋଇଥିଲା।

ରାଜାବଗିଚା ୧୭୯ ନମ୍ବର ବୁଥ୍, ବାଦାମବାଡି ନ୍ୟୁ କଲୋନୀର ୧୬୯ ନମ୍ବର ବୁଥ୍, କଟକ ସଦର ଅଥଙ୍ଗାର ୧୦୧ ନମ୍ବର ବୁଥ୍, କାଜିବଜାର ହାଇସ୍କୁଲର ୭୬ ନମ୍ବର ବୁଥ, ଆଠଗଡ ରାଧାଗୋବିନ୍ଦପୁର ସ୍କୁଲର୧୧୫ ନମ୍ବର ବୁଥ୍, କିଶୋରଗଞ୍ଜ ସ୍କୁଲର ୯୮ ନମ୍ବର ବୁଥ୍, ତରଡିହର ୧୪୩ ନମ୍ବର ବୁଥ, ଚୌଦ୍ୱାରର ୪୭ ଓ ୧୩୪ ନମ୍ବର ବୁଥର ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେକ୍ଟର ଅଫିସରମାନେ ହସ୍ତକ୍ଷେପ କରି ତ୍ରୁଟି ସୁଧାରିବା ପରେ ଭୋଟ ଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା।

ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଥମେ ବୁଥଗୁଡ଼ିକରେ ଏଜେଣ୍ଟଙ୍କ ଉପସ୍ଥିତିରେ ପୋଲିଂ ଟିମ୍ ଦ୍ୱାରା ମକପୋଲ୍ କରାଯାଇଥିଲା। ୫ ବର୍ଷ ପରେ ଚାଲିଥିବା ଏ ଭୋଟ ମହାପର୍ବରେ ସାମିଲ ହେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ପୁରୁଷ ଓ ମହିଳା ଭୋଟର ଲମ୍ବା ଲାଇନରେ ଠିଆ ହୋଇ ଶୃଙ୍ଖଳିତ ଭାବେ ଭୋଟ ଦେଇଥିଲେ। ସେହିପରି ନୂଆ ଭୋଟରମାନେ ନିଜର ପ୍ରଥମ ମତାଧିକାର ପାଇଁ ପୋଲିଂ ବୁଥରେ ଭିଡ଼ ଜମାଇଥିବା ଦେଖାଯାଇଥିଲା।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀର ମୋଟ ୧୪୨୦ଟି ବୁଥରେ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଥିଲା। ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୦ଟି ବୁଥ, ବାଙ୍କିରେ ୨୩୫ଟି ବୁଥ୍, ଆଠଗଡରେ ୨୫୪ଟି ବୁଥ୍, ବାରବାଟୀ-କଟକରେ ୧୯୭ଟି ବୁଥ୍, ଚୌଦ୍ୱାର-କଟକରେ ୨୧୧ଟି ବୁଥ୍ ଓ କଟକ ସଦରରେ ୨୩୩ଟି ବୁଥରେ ଭୋଟ ଗ୍ରହଣ କରାଯାଇଥିଲା।

ଜିଲ୍ଲାର ପ୍ରତି ନିର୍ବାଚନ ମଣ୍ଡଳୀରେ ୧୫ଟି ଲେଖାଏଁ ଆଦର୍ଶ ବୁଥ କରାଯାଇଥିଲା। ଏହି ବୁଥଗୁଡିକରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସେହିପରି ଚଳିତ ନିର୍ବାଚନରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ତୃତୀୟ ପର୍ଯ୍ୟାୟ ଭୋଟରେ ବହୁ ହେବିୱେଟ ନେତା ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। କଟକ ଲୋକସଭା ଆସନ ପାଇଁ ବିଜେଡିରୁ ଭର୍ତ୍ତୃହରି ମହତାବ, ବିଜେପିରୁ ପ୍ରକାଶ ମିଶ୍ର ଓ କଂଗ୍ରେସରୁ ପଂଚାନନ କାନୁନଗୋଙ୍କ ଭାଗ୍ୟ ଭୋଟରମାନେ ଇଭିଏମରେ ସିଲ କରିଛନ୍ତି। ସେହିପରି ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଏବେ ଇଭିଏମରେ ସିଲ ହୋଇଛି। ତେବେ ନିର୍ବାଚନରେ କିଏ ବାଜି ମାରିବ ତାହା ଜାଣିବାକୁ ମେ’ ୨୩ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ନିର୍ବାଚନ ପରିଚାଳନା ଦାୟିତ୍ୱରେ ମୋଟ ୧୮ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ।

Comment