ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସନ୍ତା ମେ ୧୯ରେ ହେବ ପାଟକୁରାରେ ନିର୍ବାଚନ। ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ପାଟକୁରାରେ ନିର୍ବାଚନ ସ୍ଥଗିତ ଥିଲା। ବର୍ତ୍ତମାନ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରଗରମ ହୋଇ ଉଠିଛି ପାଟକୁରା। ତେବେ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ପାଟକୁରାରେ କିଏ ଧରିବ ବିଜେଡିର ମଙ୍ଗ?

ପାଟକୁରାରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା କିଛି କ୍ଷଣ ପରେ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ପ୍ରତିକ୍ରିୟା ରଖିଛନ୍ତି। ଦଳ ଯଦି ତାଙ୍କୁ ଚୟନ କରେ ତେବେ ନିର୍ବାଚନ ଲଢ଼ି ବାପାଙ୍କ ସ୍ୱପ୍ନ ସାକାର କରିବେ ବୋଲି ସଞ୍ଜୟ କହିଛନ୍ତି। ପାଟକୁରାରେ ବିଜେଡିର ମଙ୍ଗ ଧରିବା ପାଇଁ ସଞ୍ଜୟ ପ୍ରସ୍ତୁତ ଥିବାର ସଂକେତ ଦେଇଛନ୍ତି।

ମେ ୧୯ରେ ପାଟକୁରାରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ଲଢ଼େଇ। ପାଟକୁରାରେ ଗୋଟେପଟେ ବିଜେପି ତା’ର ଅଭିଜ୍ଞ ରାଜନେତା ବିଜେପି ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତେବେ ବିଜେଡି ଏହି ସ୍ଥାନରୁ କାହାକୁ ଟିକେଟ୍‌ ଦେଉଛି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।

ଅନ୍ୟପଟେ ବିଜେଡି ଟିକେଟ୍‌ ଘୋଷଣା କରିବା ପୂର୍ବରୁ ହିଁ ବିଜ଼ୟ ମହାପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ ଅଗ୍ରୱାଲ। ସଞ୍ଜୟ କହିଛନ୍ତି “ବିଜ଼ୟ ମହାପାତ୍ର ଜଣେ ଅଭିଜ୍ଞ ରାଜନେତା। ହେଲେ ପାଟକୁରାରେ ତାଙ୍କ ସଂଗଠନ ନାହିଁ।”

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରାରେ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ ଅଧିକାରୀ। ବର୍ତ୍ତମାନ ପାଟକୁରା ନିର୍ବାଚନ ହେବା ନେଇ ନିର୍ବାଚନ ଅଧିକାରୀ ଗ୍ରୀନ ସିଗନାଲ ଦେଇଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ବି କଳ୍ପନା ଜଳ୍ପନା ଜାରି ରହିଛି।

ଆସନ୍ତା ମେ ୧୯ରେ ପାଟକୁରାରେ ନିର୍ବାଚନ ହେବ। ମେ ୧ରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Comment