ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’ ଏବେ ପୁରୀଠାରୁ ୩୨୦କିମି ଦୂରରେ ଅଛି। ଅନ୍ୟପଟେ ପାଣିପାଗ ବିଭାଗର ସଦ୍ୟତମ ସୂଚନାନୁସାରେ ଏହା ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ।

ଏହାପରେ ପୂରା ରାଜ୍ୟବାସୀ ଭୟଭୀତ ଅଛନ୍ତି। କାରଣ ପାଣିପାଗ ବିଭାଗର ସୂଚନାନୁସାରେ ଏହାଦ୍ୱାରା ରାଜ୍ୟର ଅନେକ ଜିଲ୍ଲା ପ୍ରଭାବିତ ହେବ। ତେବେ ଏହି ସମୟରେ କେମିତି ଆପଣ ଶାନ୍ତ ରହିବେ? କିପରି ବାତ୍ୟା ଫନିକୁ ମୁକାବିଲା କରିବେ? କ’ଣ କରିବେ? କ’ଣ କରିବେ ନାହିଁ? କେଉଁ ଦିଗ ପ୍ରତି ସତର୍କ ରହିବେ? ଏସବୁ କିଛି ଆମେ ଆପଣଙ୍କୁ ଏହି ରିପୋର୍ଟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବ।

ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ

ଏହି ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ। ଛୋଟପିଲା ହୋଇଥିଲେ ତାଙ୍କୁ ଦୂରରେ ରଖନ୍ତୁ ନାହିଁ। ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। କାରଣ ଆପଣ ଭୟଭୀତ ହେଲେ ଆପଣଙ୍କ ପିଲା ବି ଭୟଭୀତ ହେବ। ସେମାନଙ୍କର ଯତ୍ନ ନିଅନ୍ତୁ।

ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ

ବାତ୍ୟା କି ବର୍ଷା ଆରମ୍ଭ ହେବା ଆଗରୁ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ। ସାଙ୍ଗରେ ଅତି ଆବଶ୍ୟକ ସାମଗ୍ରୀ ନେବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଆପଣ କେଉଁଠି ଅଛନ୍ତି ତାହା ନିଜ ପ୍ରିୟଜନଙ୍କୁ ଜଣାନ୍ତୁ। ଯେଉଁ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ପରିବାରର ସବୁ ସଦସ୍ୟ ଗୋଟିଏ ସ୍ଥାନକୁ ଯିବାକୁ  ଚେଷ୍ଟା କରନ୍ତୁ।

ସରକାରଙ୍କୁ ସହଯୋଗ କରନ୍ତୁ

‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ସବୁପ୍ରକାର ପ୍ରସ୍ତୁତି କରିଛନ୍ତି। ଲୋକଙ୍କ ସ୍ଥାନାନ୍ତରଣଠୁ ଆରମ୍ଭ କରି ଖାଦ୍ୟ ଯୋଗାଇବା ପର୍ଯ୍ୟନ୍ତ ଅନେକ କିଛି ବ୍ୟବସ୍ଥା କରାଯାଇଛି। ତେଣୁ ଏହି ସମୟରେ ସରକାରଙ୍କୁ ସାହାଯ୍ୟ କରନ୍ତୁ।

ମୋବାଇଲ ପାଖରେ ରଖନ୍ତୁ

ଏହି ସମୟରେ ମୋବାଇଲରେ ଚାର୍ଜ ରଖନ୍ତୁ। କାରଣ ଦୂରରେ ରହୁଥିବା ଆପଣଙ୍କ ପ୍ରିୟଜନ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ। ତେଣୁ ନିଜ ଫୋନରେ ଚାର୍ଜ ରଖନ୍ତୁ। ବିଦେଶରେ ଯଦି କେହି ନିଜ ଲୋକ ରହୁଛନ୍ତି ସେମାନଙ୍କୁ ଭୟଭୀତ ନହେବା ଲାଗି କହନ୍ତୁ, ଏହାସହିତ ଆପଣ ନିଜେ ବି ଶାନ୍ତ ରୁହନ୍ତୁ।

Comment