ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ଶେଷ ହେବା କ୍ଷଣି  ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଲଗାତାର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ ପଇସା ପାଖାପାଖି ବଢ଼ିଛି। ଭୁବନେଶ୍ୱର ସମେତ ବଡ଼ ବଡ଼ ମେଟ୍ରୋରେ ଏହି ବୃଦ୍ଧି ଲକ୍ଷ୍ୟ କରାଯାଇଛି।

ଆଗକୁ ବଢ଼ି ଚାଲିବ?

ଜଣାଶୁଣା ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ଏହି ବୃଦ୍ଧି ଆଗାମୀ ଦିନରେ ମଧ୍ୟ ଚାଲୁ ରହିବ। ଲୋକସଭା ନିର୍ବାଚନ ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲେ ମଧ୍ୟ  ଭୋଟକୁ ଆଖିରେ ରଖି ତେଲ କମ୍ପାନିମାନେ ଦର ବୃଦ୍ଧିକୁ ଅଟକାଇ ରଖିଥିଲେ। ଏହି ସମୟ ମଧ୍ୟରେ ଯେତେ କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ତେଲ କମ୍ପାନି ଦର ବୃଦ୍ଧି  ଜାରି ରଖିବେ ବୋଲି ଜଣାପଡ଼ିଛି।

ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାମ ନବଢାଇବା ପାଇଁ ତୈଳ ବିପଣନ କମ୍ପାନିମାନଙ୍କୁ କୁହାଯାଇଥିଲା। ଏଣୁ ନିର୍ବାଚନ ଶେଷ ହେବା ମାତ୍ରେ ଦର ବୃଦ୍ଧି କରାଯାଇଛି।

ଆହୁରି ଝଟକା?

ମେ’ ୨୩ ତାରିଖ ପରେ କେନ୍ଦ୍ରରେ ଯେତେବେଳେ ସରକାର ଗଠନ ହେବ, ଆଶଙ୍କା କରାଯାଉଛି ପରିବହନ ଇନ୍ଧନ ପାଇଁ ଉପଭୋକ୍ତାମାନଙ୍କୁ ଆହୁରି  ବଡ଼ ଝଟକା ସହିବାକୁ ପଡିବ। ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ଅସ୍ଥିରତା, ଇରାନ ଓ ଭେନେଜୁଏଲା ଭଳି ଦେଶରୁ ତେଲ ରପ୍ତାନି ଉପରେ କଟକଣା ଜାରି କରିବା ଏବଂ ବିଶ୍ୱ ପରିସ୍ଥିତି ଗୋଳମାଳିଆ ଧରିଥିବା ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ ବୋଲି ଜଣାପଡିଛି। ଯଦି ତାହା ହୁଏ ଏଠି ଭାରତରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିବ। ଯଦି କେନ୍ଦ୍ର ସରକାର ଉତ୍ପାଦ କର ଓ  ରାଜ୍ୟ ସରକାରମାନେ ଭାଟ ହ୍ରାସ ନକରନ୍ତି ଉପଭୋକ୍ତାମାନଙ୍କୁ ଅଧିକ ଦାମ ଦେବାକୁ ହିଁ ପଡ଼ିବ।

ଅନ୍ୟ ଗୋଟିଏ ଖବର ଅନୁସାରେ ନିର୍ବାଚନ ମାସ ଏପ୍ରିଲ ଓ ମେ’ ରେ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ୩ ଟଙ୍କା କ୍ଷତିରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏଣୁ ସେହି କ୍ଷତିକୁ ମେଣ୍ଟାଇବା ପାଇଁ ଆଗାମୀ ଦିନରେ ଡିଜେଲ ଓ ପେଟ୍ରୋଲ ପାଇଁ ଗ୍ରାହକ ତୈଳ ଦର ଲିଟର ପିଛା ଅଧିକ ଦାମରେ କିଣିବାକୁ ପଡ଼ିବ।

Comment