ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ।

ମୋଦି ଦ୍ବିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ। ଏହି ସାକ୍ଷାତରେ ରାଜ୍ୟର ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

ନବୀନ ଦିଲ୍ଲୀ ଗସ୍ତରେ ଆସିବାର ଦୁଇ ଦିନ ପୂର୍ବରୁ ବାତ୍ୟା ଫନିର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଇଥିଲେ। ପ୍ରାୟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟକୁ ନେଇ ନବୀନ ଦିଲ୍ଲୀ ଆସିଥିବା କୁହାଯାଉଛି। ବାତ୍ୟାଞ୍ଚଳ ପାଇଁ ଅଧିକ ସହାୟତା ରାଶି ଦାବି କରିପାରନ୍ତି ନବୀନ।

ସେହିପରି ଲୋକସଭାରେ ଉପବାଚସ୍ପତି ପଦ ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏନଡିଏର ପ୍ରମୁଖ ସହଯୋଗୀ ଶିବସେନା ଏଥିରେ କେଁ ପୂରାଇଛି। ବିଜେଡିକୁ ନୁହେଁ, ଉପବାଚସ୍ପତି ପଦ ଆମକୁ ମିଳିବା ଦରକାର ବୋଲି ଶିବସେନା ଦାବି କରିଛି। ଏଣୁ ନବୀନ ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି।

ଆଉ ଦୁଇଟି ପ୍ରମୁଖ ପ୍ରସଙ୍ଗ ହେଉଛି ମହାନଦୀ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା। ମୋଦି ସରକାରଙ୍କ ପ୍ରଥମ ପାଳିରେ ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ତାହା ଏଯାଏଁ ସମାଧାନ ହୋଇପାରି ନାହିଁ। ଏଣୁ ଦ୍ୱିତୀୟ ପାଳିରେ ଏହି ସମସ୍ୟା ସମାଧାନ କରିବା ପାଇଁ ନବୀନ ମୋଦିଙ୍କୁ ସାକ୍ଷାତ ବେଳେ ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

Comment