ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା କଂଗ୍ରେସ ୟୁନିଟର ହେବ ଆମୂଳ ଚୂଳ ପରିବର୍ତ୍ତନ।

ରାହୁଲ ଗାନ୍ଧି ଆଜି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶା କଂଗ୍ରେସରେ ହେବ ନବକଳେବର। ପିସିସି ସଭାପତିଠାରୁ ଆରମ୍ଭ କରି ଡିସିସି ସଭାପତି ଯାଏଁ ଆମୂଳଚୂଳ ପରିବର୍ତ୍ତନ ହେବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ।

‘‘ଖୁବ୍‌ଶୀଘ୍ର ଓଡ଼ିଶା କଂଗ୍ରେସ ୟୁନିଟରେ ବଡ଼ ଧରଣର ଅଦଳ ବଦଳ ହେବ। ନିର୍ବାଚନ ଫଳାଫଳ ରିପୋର୍ଟକୁ ଆଧାର କରି ଏହି ଅଦଳ ବଦଳ ହେବ’’, କହିଛନ୍ତି ଜିତେନ୍ଦ୍ର ସିଂହ।

ଗତ ସପ୍ତାହରେ ଉତ୍ତରପ୍ରଦେଶରେ ଜିଲ୍ଲା କଂଗ୍ରେସ କମିଟିକୁ ଭଙ୍ଗା ଯାଇଛି। ତିନି ଜଣିଆ ଶୃଙ୍ଖଳା କମିଟି ଗଠନ କରାଯାଇଛି। ଦଳ ବିରୋଧୀ ଏବଂ ବିଶୃଙ୍ଖଳିତ ଆଚରଣ କରୁଥିବା ନେତାଙ୍କୁ ଅନୁଧ୍ୟାନ କରିବ ଏହି କମିଟି।

ସେହିପରି କର୍ଣ୍ଣାଟକ କଂଗ୍ରେସ କମିଟିରେ ମଧ୍ୟ ବ୍ୟାପକ ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି। ଏହି କ୍ରମରେ ଓଡ଼ିଶା କଂଗ୍ରେସ ୟୁନିଟରେ ଅଦଳ ବଦଳ କରିବାକୁ ଏଆଇସିସି ଯୋଜନା କରୁଥିବା ଜଣାପଡ଼ିଛି।

୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଛି। ୨୧ଟି ଲୋକସଭା ଆସନରୁ ମାତ୍ର ଗୋଟିଏ ଏବଂ ୧୪୭ ବିଧାନସଭା ଆସନରୁ ମାତ୍ର ୯ଟି ଆସନ କଂଗ୍ରେସ ଖାତାକୁ ଆସିଥିଲା।

କଂଗ୍ରେସର ବଡ଼ ବଡ଼ ନେତା ନିର୍ବାଚନରେ ପରାଜିତ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରେ ନିରଞ୍ଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ହେଲେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଗ୍ରହଣ କରି ନଥିବା ଜିତେନ୍ଦ୍ର ସିଂହ କହିଛନ୍ତି।

ତେବେ ରାହୁଲ ଗାନ୍ଧି ଆଜି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶା କଂଗ୍ରେସ ୟୁନିଟରେ ଅଦଳ ବଦଳ କରିବାକୁ ପ୍ରଭାରୀ ସୂଚନା ଦେଇଛନ୍ତି।

ପ୍ରଭାରୀଙ୍କ ମନ୍ତବ୍ୟ ପରେ ଏବେ କିଏ ପରବର୍ତ୍ତୀ ପିସିସି ସଭାପତି ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ପିସିସି ସଭାପତି ଦୌଡ଼ରେ କିଛି ଯୁବ ନେତା ସାମିଲ ହୋଇଛନ୍ତି। ତେବେ କଂଗ୍ରେସ ଅଧ୍ୟକ୍ଷ ବଛା ହେବା ପରେ ହିଁ ଓଡ଼ିଶାରେ ପିସିସି ସଭାପତି ଚୟନ କରାଯିବ ବୋଲି ଜଣାପଡ଼ିଛି।

Comment