ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ପିପିପି ମୋଡ୍‌ରେ ରେଳପଥଗୁଡ଼ିକର ବିକାଶ କରାଯିବ ବୋଲି ନିର୍ମଳା କହିଛନ୍ତି।

ନିର୍ମଳା ସୀତାରମଣ କହିଛନ୍ତି, ‘‘୨୦୧୮-୨୦୩୦ ମଧ୍ୟରେ ରେଳବାଇ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ। ଏହି ବ୍ୟୟ ଅଟକଳକୁ ହିସାବକୁ ନେଲେ ବର୍ଷକୁ ୧.୫୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ଓ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ବହୁ ବର୍ଷ ଲାଗିଯିବ।’’

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁମ୍ବାଇ ଓ ଅନ୍ୟାନ୍ୟ ସହରରେ ରେଳବାଇ ଜନସାଧାରଣଙ୍କୁ ଯଥେଷ୍ଟ ସେବା ଯୋଗାଇ ଆସୁଛି। ସହରତଳି ରେଳପଥର ବିକାଶ ପାଇଁ ଏସ୍‌ପିଭିର ଉପଯୋଗ ପାଇଁ ରେଳବାଇକୁ ପ୍ରୋତ୍ସାହିତ କରାଯିବ।

ଦିଲ୍ଲୀ-ମିରଟ ରାସ୍ତାରେ ଦ୍ରୁତ ଆଂଚଳିକ ପରିବହନର ଉପଯୋଗ ପାଇଁ ପ୍ରସ୍ତାବ ରଖାଯାଇଛି। ସରକାରୀ ଓ ଘରୋଇ ଭାଗୀଦାରିତାରେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।

ରେଳବାଇର ମାଲ ପରିବହନ ପ୍ରକଳ୍ପଗୁଡ଼ିକୁ ୨୦୨୨ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଯାତ୍ରୀମାନଙ୍କ ସୁଖପ୍ରଦ ରେଳଯାତ୍ରା ପାଇଁ ଚଳିତ ବର୍ଷ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

Comment