ଓଡ଼ିଶାଲାଇଭ୍ ବ୍ୟୁରୋ

(ଫଟୋ – ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି)

ବାହୁଡ଼ା ଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ-ନାରାୟଣ ଭେଟ। ଜନ୍ମବେଦୀରେ ଲୀଳାଖେଳା ସାରି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି।

ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ମେଳରେ ରହି ରହି ଆସିଥିଲେ। ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇବା ପରେ ଶ୍ରୀନଅର ନିକଟରେ ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ଭେଟିଥାନ୍ତି। ଏହା ଲକ୍ଷ୍ମୀ-ନାରାୟଣ ଭେଟ ନାମରେ ପରିଚିତ।

ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥିଲା। ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଇଥିଲା।

Rath Yatra 2019ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ଜଗନ୍ନାଥଙ୍କ ରଥ ନିକଟକୁ ନିଆଯାଇଥିଲା। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ଘେର ପକାଯାଇଥିଲା। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ଥିଲେ।

Rath Yatra 2019

ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇଥିଲେ। ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ହସ୍ତରେ ଧରି ଗଜପତି ମହାରାଜା ଜଗନ୍ନାଥଙ୍କୁ ଭେଟ କରିଥିଲେ। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ି ଥିଲେ।

ପରେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ସହଯୋଗ କରିଥିଲେ।

Comment