ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ମାତିଛନ୍ତି ତଣ୍ଟିକଟା ସିରିୟଲ କିଲର। ୨୪ ଘଣ୍ଟା ଭିତରେ ୩ଟି ତଣ୍ଟିକାଟି ଛୁ ମାରିଛି ଏହି କିଲର। ସିରିୟଲ କିଲରର କାରନାମାରେ ଅଶାନ୍ତ ହୋଇ ପଡ଼ିଛି ସିଲଭର ସିଟି। ପୋଲିସ୍‌କୁ ହତ୍ୟାକାଣ୍ଡର ଟେର୍ ବି ମିଳୁନି।

ଅନ୍ୟପଟେ ସାଇକୋ କିଲରର କାରନାମା ନେଇ ଆତଙ୍କିତ ଅଛନ୍ତି କଟକବାସୀ। ଫୁଟପାଥରେ ଶୋଉଥିବା ଦିନ ମଜୁରିଆ, ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ଗତକାଲି ଜଣେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ଆଜି ଦୁଇ ଜଣଙ୍କୁ ସମାନ ଢଙ୍ଗରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ୨୪ ଘଣ୍ଟା ବ୍ୟବଧାନରେ ତିନିଟି ହତ୍ୟାକାଣ୍ଡ କଟକ ପୋଲିସର ନିଦ ହଜାଇ ଦେଇଛି।

ପୋଲିସ ଘଟଣାର ଛାନ୍‌ବିନ୍‌ କରିବା ଆରମ୍ଭ କରି ଦେଇଛି। ଏହି ତିନି ତିନିଟି ହତ୍ୟାକାଣ୍ଡ ଘଟଣାରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଲଗାଇ ତଦନ୍ତ ଆରମ୍ଭ କରିଛି। ପୋଲିସ୍‌କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାକ୍‌ ମିଳିପାରି ନାହିଁ। ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ରାତିସାରା ପଇଁତରା ମାରୁଛି ପୋଲିସ।

ସୋମବାର ରାତିରେ ମଧ୍ୟ ରାଣୀହାଟ କେନାଲ୍ ରୋଡରେ ଜଣେ ଶ୍ରମିକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ସମାନଭାବେ ମଙ୍ଗଳବାର ରାତିରେ ମଧ୍ୟ ଦୁଇ ଜଣଙ୍କର ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମାନ ଶେଳୀରେ ୩ ଜଣଙ୍କୁ ହତ୍ୟା କରା ଯାଇଥିବାରୁ ପୋଲିସର ଚିନ୍ତା ବଢ଼ି ଯାଇଛି।

Comment