ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାରେ ପାସ୍‌ ହେଲା ତିନି ତଲାକ ବିଲ୍‌।

  • ଏଣିକି ‘ତିନି ତଲାକ’ ଘଟଣା ହେବ ଅପରାଧ
  • ମିଳିବନି ଜାମିନ, ହୋଇପାରେ ତିନି ବର୍ଷ ଜେଲ୍‌
  • ଲୋକେ ଫୋନ, ଏସ୍‌ଏମ୍‌ଏସ୍‌ ଓ ପୋଷ୍ଟ କାର୍ଡରେ ଦେଉଥିଲେ ତଲାକ୍‌

ମୁସଲମାନ ମହିଳାଙ୍କ ପାଇଁ ଆଜି ହେଉଛି ଐତିହାସିକ ଦିନ। କାରଣ ବହୁ ପ୍ରତିକ୍ଷୀତ ତିନି ତଲାକ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ରାଜ୍ୟସଭାରେ ଏହି ଐତିହାସିକ ବିଲ୍ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଅନୁମୋଦନ ମିଳିବା ପରେ ତିନି ତଲାକ ବିଲ୍ ଆଇନରେ ପରିଣତ ହେବ।

ଦିନ ସାରା ଆଲୋଚନା ପରେ ଶେଷରେ ରାଜ୍ୟସଭାରେ ପାସ୍‌ ହୋଇଛି ତିନି ତଲାକ ବିଲ୍‌। ଏହି ବିଲ୍ ପାସ୍ କରିବା ପାଇଁ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ବିଲ୍ ସପକ୍ଷରେ ୯୯ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୪ଟି ଭୋଟ ପଡ଼ିଥିଲା।

ଗତ ୨୬ ତାରିଖରେ ତିନି ତଲାକ ବିଲ୍ ଲୋକସଭାରେ ପାସ୍ ହେବା ପରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। ଟିଏମ୍‌ସି, ଜେଡିୟୁ ସାଂସଦଙ୍କ ବିରୋଧ ସତ୍ତ୍ୱେ ଏହି ବିଲ୍ ପାସ୍‌ ହୋଇଛି।

ଗତ ଦୁଇ ବର୍ଷ ଭିତରେ ରାଜ୍ୟସଭାରେ ଏହି ବିଲ୍ ତିନି ଥର ଅଟକିଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ପରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା।

ମୁସଲମାନ ସମ୍ପ୍ରଦାୟର ପୁରୁଷମାନେ ତିନି ତଲାକ କହି ସ୍ତ୍ରୀମାନଙ୍କୁ ଛାଡ଼ପତ୍ର ଦେଉଥିଲେ। ଫଳରେ ଗୋଟିଏ ପରିବାର ଉଜୁଡ଼ି ଯାଉଥିଲା। ଏହାକୁ ନେଇ ସୁପ୍ରିମୋର୍ଟ ଉଦବେଗ ପ୍ରକାଶ କରିଥିଲେ। କଡ଼ାକଡ଼ି ଆଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଦୁଇ ବର୍ଷ ହେଲା ତିନି ତଲାକ ବିଲ୍ ସଂସଦରେ ପାସ୍ କରିବା ପାର୍ଇ ସରକାର ଉଦ୍ୟମ କରିଥିଲେ। ହେଲେ ତାହା ଫଳପ୍ରଦ ହେଉ ନଥିଲା। ଦୁଇ ବର୍ଷ ପରେ ମୁସଲମାନ ମହିଳାମାନଙ୍କର ବଡ଼ ବିଜୟ ହୋଇଛି।

ତିନି ତଲାକ୍ ଦେଲେ ଦଣ୍ଡ

ତିନି ତଲାକ୍ ବିଲ୍‌ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ମୋହର ମାରିବା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଯିବ।

ଏଣିକି ତିନି ତଲାକ ଦେଲେ ରୁଜୁ ହେବ ଫୌଜଦାରି ମାମଲା। ପତ୍ନୀଙ୍କୁ ତିନି ତଲାକ ଏବଂ ମେସେଜ ଦେବା ବେଆଇନ ବୋଲି ବିଲରେ ଦର୍ଶାଯାଇଛି। ତିନି ତଲାକ ଦେଇଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରିବ। ତିନି ତଲାକ ଦେଇଥିବା ଅଭିଯୋଗ ଆସିଲେ ଅଭିଯୁକ୍ତଙ୍କୁ ମିଳିବନି ଜାମିନ।

Comment