ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପୂର୍ବରୁ କାଳିଆ ଯୋଜନାକୁ ନେଇ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା ଏବେ ସେତିକି ଟେନ୍‌ସନ୍‌ ବଢ଼ିଛି।

‘କାଳିଆ’କୁ ନେଇ ତନାଘନା। ନିର୍ବାଚନ ଶେଷ ହେବା ପରେ ଏହି ତନାଘନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଟଙ୍କା ଦେଇ ସାରିବା ପରେ ଏବେ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଟଙ୍କା ନେଇଥିବା ହିତାଧିକାରୀ ଯଦି ଅଯୋଗ୍ୟ ବିବେଚିତ ହୁଅନ୍ତି ତାହାଲେ ସେମାନେ ଟଙ୍କା ଫେରାଇବେ ବୋଲି ସରକାର କହିଛନ୍ତି। ଏନେଇ ପଞ୍ଚାୟତ ଅଫିସ୍‌ରେ ତାଲିକା ଯାଞ୍ଚ ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କର ଏହି ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀ ଚିହ୍ନଟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି। ନିର୍ବାଚନ ପୂର୍ବରୁ ଯେଉଁମାନଙ୍କୁ ‘କାଳିଆ’ ଟଙ୍କା ଦିଆଗଲା ସେମାନେ ଯୋଗ୍ୟ କି ଅଯୋଗ୍ୟ ତାହା ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗାଁରେ ‘କାଳିଆ’ କରିବ କଳି

ପଞ୍ଚାୟତ ସ୍ତରରେ କାଳିଆ ହିତାଧିକାରୀ ତାଲିକା ଯାଞ୍ଚ ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ କାଳିଆ ଯୋଜନାରେ ସହାୟତା ରାଶି ପାଇଥିବା ହିତାଧିକାରୀଙ୍କ ତାଲିକା ପ୍ରତି ପଞ୍ଚାୟତ ଅଫିସ ଏବଂ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ରହିଛି। ଏହାସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୱେବସାଇଟ୍‌ kalia.co.in ରେ ଉପଲବ୍ଧ ରହିଛି। ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଏହା ପ୍ରଦର୍ଶିତ ହେବ।

ଏହି ତାଲିକାରେ ଥିବା କୌଣସି ହିତାଧିକାରୀ ଯଦି ଅଯୋଗ୍ୟ ବୋଲି କେହି ଅନୁଭବ କରନ୍ତି ତାହାଲେ ସେମାନଙ୍କର ତଥ୍ୟ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଦରଖାସ୍ତ ଆକାରରେ ଜଣାଇ ପାରିବେ। ସେମାନଙ୍କ ନାମ ଗୋପନ ରଖାଯିବ ବୋଲି କୁହାଯାଇଛି।

ନାମ ଗୋପନ ରହିଲେ ବି ଗାଁ ଗାଁରେ କାଳିଆ କଳି ବଢ଼ାଇବ ବୋଲି କୁହାଯାଉଛି। କାରଣ ସହରାଞ୍ଚଳ ଅପେକ୍ଷା ଗାଁରେ ରାଜନୀତିକ ଛକାପଞ୍ଝା ବେଶୀ ରହିଥାଏ। ଯଦି କୌଣସି ହିତାଧିକାରୀ କାଳିଆ ଟଙ୍କା ପାଇଥିବେ ଏବଂ ସେ ଯଦି କୌଣସି ରାଜନୀତିକ ଦଳର ବ୍ୟକ୍ତି ହୋଇଥିବେ ତାହାଲେ ତାଙ୍କ ନାମରେ ପ୍ରତିପକ୍ଷ ଗୋଷ୍ଠୀ ହିଁ ଅଭିଯୋଗ କରିବେ। ଫଳରେ ଏହାକୁ ନେଇ ମହାଭରାତ ସୃଷ୍ଟି ହୋଇପାରେ।

ଆଗରୁ ଯେଉଁମାନେ କାଳିଆ ଟଙ୍କା ପାଇଥିଲେ ସେମାନେ ଯୋଗ୍ୟ ହିତାଧିକାରୀ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ସରକାର ଆଜି ବିଜ୍ଞାପନ ପ୍ରକାଶ କରି ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁମାନେ ଟଙ୍କା ପାଇଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଅଯୋଗ୍ୟ।

ତେବେ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କେଉଁ ଆଧାରରେ କାଳିଆ ସହାୟତା ଦେଲେ ଏବଂ ସେମାନଙ୍କୁ ସହାୟତା ଦେବା ପାଇଁ କେଉଁ ଅଫିସର ସୁପାରିଶ କରିଥିଲେ ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ।

ଭୋଟ ପାଇଁ ତରବରିଆ ନିଷ୍ପତ୍ତି!

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା।

ହିତାଧିକାରୀମାନେ ପଞ୍ଚାୟତ ଅଫିସକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇ ପକାଇଲେ। ହିତାଧିକାରୀଙ୍କ ନାଁ ସରକାରଙ୍କ ୱେବ୍‌ ସାଇଟ୍‌ରେ ପଞ୍ଜିକୃତ ହେବା ପରେ ଯାଞ୍ଚ କରାଗଲା। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଆକାଉଣ୍ଟରେ ଦିଆଯାଇଥିଲା।

ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ କିଛି ହିତାଧିକାରୀ ନିର୍ବାଚନ ପୂର୍ବରୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସମାବେଶ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ।

ସରକାର ଗଠନ ପରେ କିଛି ହିତାଧିକାରୀଙ୍କୁ ଟଙ୍କା ପଠାଗଲା। ହେଲେ ଏବେ କ’ଣ ପାଇଁ ଯୋଗ୍ୟ, ଅଯୋଗ୍ୟ କଥା ଉଠୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦଉଛ କିଆଁ, ନଉଛ କିଆଁ?

କାଳିଆ ଏବେ ଚିନ୍ତା ବଢ଼ାଇଛି। କାଳିଆ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ବିରୋଧୀ ସମାଲୋଚନା କରିଛନ୍ତି। ଦଉଛ କିଆଁ ଏବଂ ଏବେ ନଉଛ କିଆଁ ବୋଲି ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

‘‘ଭୋଟ ପାଇଁ ସରକାର କାଳିଆ ଟଙ୍କା ଦେଇଥିଲେ। ହେଲେ ଭୋଟ ସରିଗଲା ପରେ ଟଙ୍କା ଫେରାଇବାକୁ କହୁଛନ୍ତି। ସରକାର କାହିଁକି ଟଙ୍କା ଦେଇଥିଲେ ଏବଂ ଏବେ କାହିଁକି ନେଉଛନ୍ତି ତାହା ସରକାର କହିପାରିବେ। ସରକାର କେମିତି ଅଯୋଗ୍ୟ ହିତାଧିକାରୀ ବାଛିବେ ତାହା କେବେଳ ସରକାର ହିଁ ଜାଣିଛନ୍ତି’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

‘‘ସରକାର ଟଙ୍କା ଦେଇଥିଲେ ଏବେ ନେବା ପାଇଁ କହୁଛନ୍ତି। ଏହା ଗାଁ ଗାଁରେ ଗଣ୍ଡୋଗଳ ସୃଷ୍ଟି କରିବ। ସରକାର କେମିତି ନିୟନ୍ତ୍ରଣ କରିବେ ତାହା ସେମାନେ ଜାଣିଥିବେ’’, କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

‘‘ଆମ ପାଖରେ ହିତାଧିକାରୀମାନଙ୍କର ଡାଟା ଅଛି। ଡାଟା ବେସ୍‌କୁ ଚେକ୍‌ କରି ଆମେ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବୁ। ଏବେ ତାଲିକା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି’’, କହିଛନ୍ତି କୃଷି ସଚିବ ଅନୁ ଗର୍ଗ।

ଟଙ୍କା ଫେରାଇବାକୁ ହିତାଧିକାରୀଙ୍କୁ ଆହ୍ୱାନ

କାଳିଆ ଟଙ୍କା ନେଇଥିବା ହିତାଧିକାରୀ ଯଦି ନିଜକୁ ଅଯୋଗ୍ୟ ଅନୁଭବ କରନ୍ତି ତାହାଲେ ସେମାନେ ନିଜ ଆଡୁ ଟଙ୍କା ଫେରାଇବାକୁ ସରକାର ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଛନ୍ତି ସରକାର।

ନିର୍ଦ୍ଦେଶକ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ବ୍ୟାଙ୍କ ଆକାଉଣ୍ଟ ନମ୍ବର 38474500762 (ଆଇଏଫ୍‌ଏସ୍‌ସି କୋଡ୍‌ – SBIN0010236)ରେ ଟଙ୍କା ଫେରସ୍ତ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଯଦି ବିଜ୍ଞପ୍ତି ଅନୁସାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ନଫେରାନ୍ତି ତାହାଲେ ସରକାର କି ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରହିଛି।

କାଳିଆକୁ ନେଇ ଟେନ୍‌ସନ୍‌

କାଳିଆ ଟଙ୍କା ଫେରାଇବା ପାଇଁ ସରକାର ଖବରକାଗଜରେ ବିଜ୍ଞାପନ ଦେବା ପରେ ଏବେ ସବୁଠି ଟେନ୍‌ସନ୍‌ ବଢ଼ିଛି। ଗାଁ ଗାଁରେ ଚର୍ଚ୍ଚା ଲାଗି ରହିଛି। କାହାର କଟିବ କାହାର ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏସବୁ ଭିତରେ ଗୋଟିଏ କଥା ଆଲୋଚନା ହେଉଛି ଯେ ସରକାର ଯୋଗ୍ୟ, ଅଯୋଗ୍ୟ ବିଚାର କରି କାହିଁକି ଟଙ୍କା ଦେଲେନି?

Comment