ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରୋ ଅଧ୍ୟକ୍ଷ କେ ଶିଭନଙ୍କ ଜୀବନ ମଧ୍ୟ ଚନ୍ଦ୍ରଯାନ ୨ ମିଶନ ଭଳି। ସେ ମଧ୍ୟ ବିଭିନ୍ନ ଚାଲେଞ୍ଜ ଦେଇ ଗତି କରିଛନ୍ତି। ଏକ ଗରିବ କୃଷକ ପରିବାରେ ଜନ୍ମ ହୋଇ ଶିଭନ ଅଦ୍ଭୁତ ସଫଳତାର ଅଧିକାରୀ ହୋଇଛନ୍ତି।

ତାମିଲନାଡୁର ସରକଲ୍ଲାବିଲାଇରେ ୧୯୫୭ ମସିହା ଏପ୍ରିଲ ୧୪ରେ ଜନ୍ମ ହୋଇଥିଲେ ଶିଭନ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସରକାରୀ ସ୍କୁଲରେ ହୋଇଥିଲା। ପାଠପଢ଼ା ସହ ଶିଭନ ତାଙ୍କ ବାପାଙ୍କ ସହ ଜମିରେ ମଧ୍ୟ କାମ କରୁଥିଲେ। ଶିଭନଜ ଜଣେ ମେଧାବୀ ଥିଲେ। ଫଳରେ ତାଙ୍କ ପୂରା ପରିବାର ପାଠପଢ଼ା ପାଇଁ ପ୍ରୋତ୍ସାହିତ କରିଥିଲେ।

ଆର୍ଥିକ ଅଭାବ ଅନାଟନ ଓ ଅନେକ ବାଧାବିଘ୍ନ ପରେ ଶିଭନ ନାଗେରକୋୟଲର ଏସ୍‌ଟି ହିନ୍ଦୁ କଲେଜରେ ବିଏସି (ଗଣିତ) ୧୦୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିଲେ। ସ୍ନାତକ କରିଥିବା ତାଙ୍କ ପରିବାରରେ ସେ ପ୍ରଥମ ସଦସ୍ୟ ଥିଲେ। ଏହାପରେ ଶିଭନଙ୍କ ମନୋବଳ ଦୃଢ଼ ହୋଇଥିଲା। ଶିଭନଙ୍କୁ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ପିତା ମନ ବଳାଇଥିଲେ। ମାତ୍ର ଆର୍ଥିକ ସ୍ଥିତି ଭଲ ନଥିବାରୁ ଶିଭନଙ୍କ ଅନ୍ୟ ଭାଇ ଭଉଣୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ।

ଶିଭନ ୧୯୮୦ ମାଡ୍ରାସରେ ଏମ୍‌ଆଇଟିରେ ଏରୋସ୍ପେସ୍ ଇଞ୍ଜିନିୟରିଂ କରିଥିଲେ। ଏହାପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଇଞ୍ଜିନିୟରିଂରେ ସ୍ନାତ୍ତକୋତ୍ତର କରିଥିଲେ। ୨୦୦୬ରେ ଶିଭନ ଆଇଆଇଟି, ବମ୍ବେରୁ ଏରୋସ୍ପେସରୁ ଇଞ୍ଜିନିୟରିଂରେ ପିଏଚଡି ହାସଲ କରିଥିଲେ।

ଇସ୍ରୋ ସହ ସଂପର୍କ

ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ୧୯୮୨ରେ ହିଁ ଇସ୍ରୋ ଯୋଡ଼ି ହୋଇଯାଇଥିଲେ ସହ ଶିଭନ୍‌। ସେ (ପିଏସ୍‌ଏଲଭି) ପୋଲର ସାଟେଲାଇଟ ଲଞ୍ଚ୍‌ ଭେହିକିଲ ପ୍ରୋଜେକ୍ଟରେ ନିଜର ଯୋଗଦାନ କରିଥିଲେ। ଏହାପରେ ଇସ୍ରୋ ତାଙ୍କୁ ବିଭିନ୍ନ ଅଭିଯାନରେ କାମ କରିବାର ସୁଯୋଗ ଦେଇଥିଲା। ୨୦୧୧ରେ ସେ ପିଏସ୍‌ଏଲଭି ପ୍ରୋଜେକ୍ଟର ନିର୍ଦ୍ଦେଶକ ହେଲେ। ବିଭିନ୍ନ କ୍ଷେତ୍ରରେ ଶିଭନଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୪ରେ ତାଙ୍କ ଇସ୍ରୋର ଲିକ୍ୱିଡ ପ୍ରୋପ୍‌ଲସନ ସିଷ୍ଟମ ସେଣ୍ଟରର ନିଦ୍ଦେର୍ଶକ ଭାବେ ନିଯୁକ୍ତ ମିଳିଥିଲା। ୨୦୧୫ରେ ତାଙ୍କୁ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରର ନିର୍ଦ୍ଦେଶକ କରାଯାଇଥିଲା।

୨୦୧୮ରେ ଶିଭନ ଇସ୍ରୋ ମୁଖ୍ୟ ଭାବେ ପଦଭାର ସମ୍ଭାଳିଲେ।

କେମିତି ହେଲେ ରକେଟ୍‌ ମ୍ୟାନ

୧୯୮୨ରେ ଇସ୍ରୋ ସହ ସାମିଲ ହୋଇଥିଲେ ଶିଭନ। ସେଠାରେ ସେ ପ୍ରାୟ ସମସ୍ତ ରକେଟ କାର୍ଯ୍ୟକ୍ରମରେ କାମ କରିଛନ୍ତି। ଇସ୍ରୋ ମୁଖ୍ୟ ହେବା ପୂର୍ବରୁ ସେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ କାମ କରୁଥିଲେ। ଯେଉଁଠାରେ ରକେଟ ନିର୍ମାଣ କରାଯାଏ। ସାଇକ୍ରୋଜେନିକ୍‌ ଇଞ୍ଜିନ୍‌, ପିଏସ୍‌ଏଲଭି, ଜିଏସ୍‌ଏଲଭି, ରେସ୍ୟୁବଲ୍‌ ଲଞ୍ଚ ଭେହିକିଲ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବାରୁ ତାଙ୍କୁ ରକେଟ ମ୍ୟାନ କୁହାଯାଏ।

Comment