ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ବାଣୀବିହାର କ୍ୟାମ୍ପସ୍‌ରେ ଅରୁଣ ସାହୁ
  • ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସ ବୁଲିଲେ
  • ହଷ୍ଟେଲ ପରିଦର୍ଶନ କରି ଛାତ୍ରଙ୍କ ସହ କଥା ହେଲେ
  • ପିଲାଙ୍କ ସହ କ୍ରିକେଟ ଖେଳିଲେ ମନ୍ତ୍ରୀ

ଗୁରୁବାର ସକାଳ ଠିକ୍ ୮ଟା। ବାଣୀବିହାର କ୍ୟାମ୍ପସ୍‌ରେ ଅଚାନକ ଦେଖିବାକୁ ମିଳିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ସାଙ୍ଗରେ ଥିଲେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, କୁଳପତି ସୌମେନ୍ଦ୍ରମୋହନ ପଟ୍ଟନାୟକ ଏବଂ ବିଧାୟକ ସୁଶାନ୍ତ ରାଉତ।

ମନ୍ତ୍ରୀ ସିଧା ଉତ୍କଳ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍‌ ଆଡୁ ଚାଲି ଚାଲି ଆସି ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ। କିଛି ସମୟ ସେଠି ଛିଡ଼ା ହୋଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ମନ୍ତ୍ରୀ ଗୋପବନ୍ଧୁ ହଷ୍ଟେଲକୁ ଯାଇଥିଲେ।

ହଷ୍ଟେଲରେ ପିଲାମାନେ କେମିତି ରହୁଛନ୍ତି ତାର ତଦାରଖ କରିଥିଲେ। ପିଲାମାନଙ୍କ ସହ ମନ୍ତ୍ରୀ କଥା ମଧ୍ୟ ହୋଇଥିଲେ। ଏହାସହ ମନ୍ତ୍ରୀ ଯେତେବେଳେ ଛାତ୍ର ଥିଲେ ସେତେବେଳେ ସେ ଗୋପବନ୍ଧୁ ହଷ୍ଟେଲରେ ରହୁଥିଲେ। ସେ ଯେଉଁ ରୁମ୍‌ରେ ରହୁଥିଲେ ତାକୁ ଦେଖିବାକୁ ଯାଇଥିଲେ ମନ୍ତ୍ରୀ।

ଏହାସହ ପଣ୍ଡିତ ନୀଳକଣ୍ଠ ଦାସ ଛାତ୍ରାବାସ, ଗୋଦାବରୀଶ ଛାତ୍ରାବାସ ମଧ୍ୟ ପରିଦର୍ଶନ କରିଥିଲେ ମନ୍ତ୍ରୀ। ଲେଡିଜ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ।

‘‘ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକ ପ୍ରାୟ ୬୦ ଦଶକରେ ନିର୍ମାଣ ହୋଇଥିଲା। ସେତେବେଳେ ଏହାର ଭିତ୍ତିଭୂମି ସୁଦୃଢ଼ ରହିଥିଲା। ଏବେ କିଛି କୋଠା ପୁରୁଣା ହୋଇଗଲାଣି। ଏହାର ମରାମତି ଆବଶ୍ୟକ ପଡୁଛି’’, କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ।

କ୍ୟାମ୍ପସ୍‌ରେ କେମିତି ଶୈକ୍ଷିକ ବାତାବରଣ ବଜାୟ ରହିବ ଏବଂ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତା କିପରି ପୂରଣ ହୋଇ ପାରିବ ସେନେଇ ମନ୍ତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

‘‘ନିଜେ ମନ୍ତ୍ରୀ ଏବଂ ସଚିବ କ୍ୟାମ୍ପସ୍‌ ପରିଦର୍ଶନ କରିଥିବାରୁ ଏହା ଆମ ପାଇଁ ବଡ଼ ସୌଭାଗ୍ୟର କଥା। କ୍ୟାମ୍ପସ୍‌ର ବିକାଶରେ ଏହା ବଡ଼ ସହାୟକ ହେବ। ମନ୍ତ୍ରୀ ନିଜେ କ୍ୟାମ୍ପସ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି’’, କହିଛନ୍ତି କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ।

କିଛିଦିନ ତଳେ ବାଣୀବିହାର କ୍ୟାମ୍ପସ୍‌ ଅଶାନ୍ତ ହୋଇଥିଲା। ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଦାବି ପୂରଣ କରିବାକୁ ଦାବି କରିଥିଲେ। ଦାବି ପୂରଣ ପାଇଁ କୁଳପତି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

Comment