ଓଡ଼ିଶାଲାଇଭ୍ ବ୍ୟୁରୋ

  • କିଟ୍‌ ସମ୍ମିଳନୀ କକ୍ଷରେ ବିଶ୍ୱ କବି ସମ୍ମିଳନୀ
  • ଗାନ୍ଧୀ ଜୟନ୍ତୀରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ସମ୍ମାନିତ ହେଲେ ୪ ଜଣ ବିଶିଷ୍ଟ ବ୍ୟକ୍ତି
  • ୬ରେ ଉଦ୍‌ଯାପନୀ ଉତ୍ସବ
  • ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତରୁ କିଟ୍‌ରେ ଆରମ୍ଭ ହୋଇଛି ବିଶ୍ୱ କବି ମହାକୁମ୍ଭ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। କବିତା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆସି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

‘‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଆମେ ପାଳନ କରୁଛେ। ଗାନ୍ଧୀଜୀ ଥିଲେ ଶାନ୍ତି ଏବଂ ଅହିଂସାର ପୂଜାରି। ଏଣୁ କବିତା ମାଧ୍ୟମରେ ହିଁ ସାରା ବିଶ୍ୱରେ ଶାନ୍ତି ଏବଂ ଅହିଂସାର ପ୍ରଚାର ପ୍ରସାର ହୋଇପାରିବ। ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ। ଓଡ଼ିଶାରେ ବହୁ ବିଶିଷ୍ଟ କବିମାନେ ଜନ୍ମ ନେଇଛନ୍ତି। ଏହି କବିମାନେ ସେମାନଙ୍କ କବିତାରେ ସାରା ବିଶ୍ୱକୁ ଦିଗଦର୍ଶନ ଦେଇ ଆସିଛନ୍ତି’’, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘‘ଓଡ଼ିଶା ହେଉଛି ସଂସ୍କୃତିର ଗନ୍ତାଘର। ଏଠି ଅନେକ ସମୃଦ୍ଧ ତଥା ପାରମ୍ପରିକ କବିତା ରହିଛି। କବି ସାରଳା ଦାସଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ଦାସ, ଭୀମଭୋଇ, ମଙ୍ଗାଧର ମେହେର, ରାଧାନାଥ ରଥ, ମାୟାଧର ମାନସିଂହ, କୁନ୍ତଳା କୁମାରୀ ସାବତ, ସଚ୍ଚି ରାଉତରାୟଙ୍କ ଭଳି ବିଶିଷ୍ଟ କବିମାନେ ବହୁ କାଳଜୟୀ ରଚନା କରିଛନ୍ତି। ଏହା ସାମାଜିକ ପରିବର୍ତ୍ତନ ଏବଂ ମାନବିକ ମୂଲ୍ୟବୋଧର କଥା କହିଛି। ୧୯ ଶତାବ୍ଦୀରେ ଭୀମଭୋଇଙ୍କ ରଚନା ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ବିଶ୍ୱବାସୀଙ୍କୁ ମାନବିକ ମୂଲ୍ୟବୋଧର ବାର୍ତ୍ତା ଦେଇଛି।’’

କିଟ୍‌ ସମ୍ମିଳନୀ କକ୍ଷରେ ୬ ତାରିଖ ଯାଏଁ ୩୯ତମ ବିଶ୍ୱକବି ମହାକୁମ୍ଭ ଚାଲିବ। ଉଦଘାଟନୀ ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ୱାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍‌ ଆଣ୍ଡ୍ କଲ୍‌ଚର୍‌ର ସାଧାରଣ ସମ୍ପାଦକ ଡକ୍ଟର ମାରିଆ ୟୁଗେନିଆସୋବେରାନିସ୍‌ ଧନ୍ୟବାଦ ଦେଇଥିଲେ।

ଏହି ଉତ୍ସବରେ ବିଶ୍ୱ କବି ସମ୍ମିଳନୀ ସଭାପତି ଡକ୍ଟର ମାୟୁରସ୍‌ ୟଙ୍ଗ, ୱାର୍ଲ୍ଡ ଏକାଡେମୀ ଅଫ୍‌ ଆର୍ଟସ୍‌ ଆଣ୍ଡ୍‌ କଲ୍‌ଚର୍‌ର ପ୍ରତମ ଉପସଭାପତି ପ୍ରଫେସର ଏର୍ଣ୍ଣେସ୍ତୋ କାହାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆମେରିକା ହାର୍ଟଫୋଡ୍‌ ସେମିନାରୀ ଫାଉଣ୍ଡେସନର ଅବସରପ୍ରାପ୍ତ ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ‘ଗାନ୍ଧୀ ପ୍ରାଇଜ ଫର୍ ଲିଟରେଚର’, କଲୋକାତାର ବିଶିଷ୍ଟ ଶିଳ୍ପୀ ଗଣେଶ ହାଲୋଇ, ପ୍ରସିଦ୍ଧ ଲେଖକ ପଦ୍ମଭୂଷଣ ରସ୍କିନ୍ ବଣ୍ଡଙ୍କୁ ଡିଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ସମ୍ମାନସୂଚକ ଡିପ୍ଲୋମା ପ୍ରଦାନ କରାଯାଇଥିଲା।

ଏହି ସମ୍ମିଳନୀରେ ଇଂରାଜୀ, ଚାଇନିଜ୍‌, ସ୍ପାନିଶ, ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ୱିଜଡମ୍‌ ପୋଏଟ୍ରି, ଟୁରିଜିମ୍ ପୋଏଟ୍ରି, ସ୍ପିରିଚୁଆଲ ପୋଏଟ୍ରି ଉପରେ ଆଲୋଚନା ହେବ।

ଏହି ସମ୍ମିଳନୀରେ ୮୨ଟି ଦେଶ, ୫ଟି ମହାଦେଶ ସମେତ ଭାରତରୁ ୧ ହଜାରରୁ ଅଧିକ କବି ଓ ପ୍ରତିନିଧି ଯୋଗ ଦେବେ।

୩ତାରିଖରେ ବୌଦ୍ଧିକ କବିତା ପାଠ ହେବାକୁ ଥିବାବେଳେ ୪ରେ କୋଣାର୍କ ପର୍ଯ୍ୟଟନ କବିତା, ୫ରେ ପୁରୀ ଆଧ୍ୟାତ୍ମିକ କବିତା ଓ ୬ରେ ପ୍ରତିଫଳନ କବିତା ଆୟୋଜନ ହେବ। ଉଦଯାପନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଯୋଗ ଦେବେ।

ବିଶ୍ୱ କବି ମହାକୁମ୍ଭ କ’ଣ?

ବିଶ୍ୱ କବି ସମ୍ମିଳନୀ ହେଉଛି କବିମାନଙ୍କର ଏକ ମହାକୁମ୍ଭ। ଏଥିରେ ବିଶ୍ୱର ବିଭିନ୍ନ କୋଣରୁ କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ କବିତା ପାଠ କରିବା ସହ ତାହା ଉପରେ ଆଲୋଚନା ଓ ସମୀକ୍ଷା କରିଥା’ନ୍ତି।

୧୯୬୯ରେ ପ୍ରତିଷ୍ଠିତ ହୋଇଥିବା ବିଶ୍ୱ କବି ସମ୍ମିଳନୀ ହେଉଛି ଆମେରିକାରେ ଅବସ୍ଥିତ ଓ୍ଵାର୍ଲ୍ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ ସହ ଅନୁବନ୍ଧିତ ଏକ ସଂଘଟନ।

ଓ୍ଵାର୍ଲ୍ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ ହେଉଛି ୟୁନେସ୍କୋ ଦ୍ୱାରା ସ୍ଵୀକୃତିପ୍ରାପ୍ତ ଏକ ସଂସ୍ଥା। କବିତା ମାଧ୍ୟମରେ ଶାନ୍ତିର ପ୍ରଚାର ଓ ପ୍ରସାର ହେଉଛି ବିଶ୍ଵ କବି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ବିଶ୍ୱ କବି ସମ୍ମିଳନୀ ତୃତୀୟ ଥର ଲାଗି ଭାରତରେ ଓ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ୧୯୮୬ ଓ ୨୦୦୭ରେ ବିଶ୍ୱ କବି ସମ୍ମିଳନୀ ଚେନ୍ନାଇଠାରେ ଅନୁଷ୍ଠିତ ହେଉଥିଲା।

Comment