ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସାଧାରଣ ଲୋକଙ୍କୁ ଚରିତ୍ର ପ୍ରମାଣ ପତ୍ର ବା କ୍ୟାରେକ୍ଟର ସାର୍ଟିଫିକେଟ୍‌ ପାଇଁ ପୋଲିସ୍ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏବେ ଘରେ ବସି ପାଇପାରିବେ ଏହି ସୁବିଧା।

ଗୁରୁବାର ପୋଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଣିକି ଚରିତ୍ର ପ୍ରମାଣପତ୍ର, କୌଣସି ପ୍ରକାର କର୍ମଚାରୀ ଭେରିଫିକେସନ, ଘରଭଡ଼ା ସଂକ୍ରାନ୍ତୀୟ ଭେରିଫିକେସନ କିମ୍ବା ଘରୋଇ ସହାୟତା ଲୋକମାନେ ଅନଲାଇନ୍ ଜରିଆରେ ପାଇପାରିବେ।

ଲୋକମାନେ ‘ସିଟିଜେନ୍ ପୋର୍ଟାଲ’ https://citizenportal-op.gov.in/ ବା ‘ସହାୟତା’ ଆପ ସାହାଯ୍ୟରେ ଏହି ସୁବିଧା ଘରେ ବସି ଅନଲାଇନ୍ ସାହାଯ୍ୟରେ ପାଇପାରିବେ। କ୍ୟାରେକ୍ଟର ସାର୍ଟିଫିକେଟ୍‌ ପାଇବା ପାଇଁ ଆପଣଙ୍କୁ ଅନ୍‌ଲାଇନ୍‌ରେ ସିଟିଜେନ୍ ପୋର୍ଟାଲ ଖୋଲିବାକୁ ପଡ଼ିବ। ଏହାପରେ ଉକ୍ତ ସାଇଟ୍‌ରେ ଥିବା ସିଟିଜେନ୍‌ ସର୍ଭିସ୍‌ ଉପରେ କ୍ଲିକ୍‌ କରି ‘କ୍ୟାରେକ୍ଟର ସାର୍ଟିଫିକେଟ୍‌ ରିକ୍ଵେଷ୍ଟ’ (ଚରିତ୍ର ପ୍ରମାଣ ପତ୍ର ଆବେଦନ)କୁ କ୍ଲିକ୍‌ କରି ଖୋଲିବାକୁ ହେବ।

ଆପଣ ଯଦି ନୂଆକରି ଖୋଲିଛନ୍ତି, ତେବେ ଆପଣଙ୍କୁ ରେଜିଷ୍ଟର ବଟନ୍‌ କ୍ଲିକ୍‌ କରି ନିଜ ନାମ, ଜନ୍ମସ୍ଥାନ, ଜନ୍ମ ତାରିଖ ଆଦି ପରିଚୟ ଦେଇ ରେଜିଷ୍ଟର କରିବାକୁ ହେବ। ଯଦି ଆପଣ ପୂର୍ବରୁ ରେଜିଷ୍ଟର କରିସାରିଛନ୍ତି, ତେବେ ‘ଲଗ୍‌ଇନ୍‌’ ବଟନ୍‌ରେ କ୍ଲିକ୍‌ କରି ଚରିତ୍ର ପ୍ରମାଣ ପତ୍ର ପାଇଁ ଆବେଦନ କରିପାରିବେ।

ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ୍ କମିସନର ସୂଚନା ଦେଇଛନ୍ତି।

Comment