ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା।

“ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହେଉଛି  ଛାତ୍ରାଛାତ୍ରୀଙ୍କ ପାଇଁ ସିଦ୍ଧି ଦିବସ। ବର୍ଷ ବର୍ଷ ଧରି ଯେଉଁ ଜ୍ଞାନ ଯଜ୍ଞରେ ଛାତ୍ରାଛାତ୍ରୀମାନେ ପାଠ ପଢ଼ିଛନ୍ତି, ସେହି ଯଜ୍ଞର ପୂର୍ଣ୍ଣାହୂତି ହେଉଛି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ”, କହିଛନ୍ତି ଲୋକସଭାର ବାଚସ୍ପତି ଓମ ବିର୍ଲା।

ଶନିବାର କିଟ୍ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ଏହି ଅବସରରେ ସେ ଛାତ୍ରାଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ସେ କହିଥିଲେ, ‘‘ଛାତ୍ର ଜୀବନ ଶେଷ ହେବା ପରେ ଜୀବନର ଅନେକ ଆହ୍ୱାନକୁ ତୁମକୁ ଗ୍ରହଣ କରିବାକୁ ପଡ଼ିବ। ଆମ ଦେଶ ତାର ଯୁବ ନାଗରିକଙ୍କ ପାଖରୁ ଅନେକ କିଛି ଆଶା ରଖିଥାଏ। ତେଣୁ ଜୀବନରେ ସବୁ ଆହ୍ୱାନକୁ ତୁମକୁ ସୁଯୋଗ ଭାବେ ଗ୍ରହଣ କରିବାକୁ ପଡ଼ିବ।’’

ସେ ଆହୁରି ମଧ୍ୟ କହିଥିଲେ, “ତକ୍ଷଶୀଳା, ନାଳନ୍ଦା ଭଳି ବିଶ୍ୱବିଦ୍ୟାଳୟରେ ସୀମିତ ବିଷୟରେ ଶିକ୍ଷା ଦିଆଯାଉଥିଲା। ବର୍ତ୍ତମାନର ବିଶ୍ୱବିଦ୍ୟାଳୟରେ ଅନେକ ବିଭାଗରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିପାରୁଛି। ତେଣୁ ସର୍ବଦା ଜ୍ଞାନକୁ ସକରାତ୍ମକ ଓ କଲ୍ୟାଣକାରୀ କାର୍ଯ୍ୟରେ ଲଗାନ୍ତୁ। ଭାରତୀୟ ଯୁବକଙ୍କ ନିକଟରେ ପ୍ରବଳ ଉତ୍ସାହ ଓ ଶକ୍ତି ଭରି ରହିଛି। ଏହା ଭାରତ ପାଇଁ ବହୁ ଗର୍ବର ବିଷୟ।”

ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଗବେଷଣାମୂଳକ କାର୍ଯ୍ୟ କରି ଭବିଷ୍ୟତ ବଂଶଧରଙ୍କ ପାଇଁ ସୁରକ୍ଷା ଚିନ୍ତା କରିବା ଉଚିତ୍। ବର୍ତ୍ତମାନ ବିଶ୍ୱର ପରିବେଶ କ୍ଷୟ ଓ ଗ୍ଲୋବାଲ ୱାର୍ମିଂ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଛି। ଏହାର ସମାଧାନ ପାଇଁ ଯୁବବର୍ଗ ଚିନ୍ତା କରିବା ଦରକାର।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ କହିଥିଲେ, “ଦେଶର ୯ଶହ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରୁ କିଟ୍‍କୁ ‘ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ‘ ମାନ୍ୟତା ମିଳିଛି। ମାତ୍ର ୧୫ ବର୍ଷ ମଧ୍ୟରେ ଏହି ସ୍ୱୀକୃତି ଆମ ପାଇଁ ଏକ ବଡ଼ ମାଇଲଖୁଣ୍ଟ। ଛାତ୍ରଛାତ୍ରୀମାନେ କିଟ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଭଳି ଜୀବନରେ ସେବା ଉତ୍ସର୍ଗୀକୃତ ମନୋଭାବ ରଖିବା ଉଚିତ୍।”

କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଶେଷରେ  ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

ସାମଗ୍ରୀକ ଶ୍ରେଷ୍ଠତ୍ୱ ପାଇଁ ତ୍ରିସା ଚାଟାର୍ଜୀ, ସ୍ୱାଗତ ଖଟାଇ ଓ ବୈଦେହୀ ଘୋଷଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୨୦ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୨୩ଜଣଙ୍କୁ କୁଳପତି ରୌପ୍ୟ ପଦକ, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ଏହାସହ ୮୫ଜଣ ରିସର୍ଚ୍ଚ ସ୍କଲାରଙ୍କୁ ପିଏଚ୍‍ଡି, ୫୪୩୯ଜଣଙ୍କୁ ସ୍ନାତକ ଓ ୧୦୫୪ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପକୁଳାଧିପତି ଡକ୍ଟର ସୁବ୍ରତ ଆଚାର୍ଯ୍ୟ, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment