ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ତାଙ୍କର କାର୍ଯ୍ୟକାଳ ମଧ୍ୟରେ କେତେକ ଐତିହାସିକ ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କାର୍ଯ୍ୟକାଳ ନଭେମ୍ବର ୧୭ ତାରିଖରେ ଶେଷ ହେଉଛି। ୧୩ ମାସରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିବାପରେ ଜଷ୍ଟିସ୍ ଗୋଗୋଇ ରବିବାର ଅବସର ଗ୍ରହଣ କରିବେ।

ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଏହି କାର୍ଯ୍ୟକାଳ ଭିତରେ ତାଙ୍କର ଅନେକ ରାୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ମୋଟ୍ ୪୭ଟି ମାମଲା ଉପରେ ରାୟ ଶୁଣାଇଛନ୍ତି। ସେ ଭିତରୁ କେତେକ ରାୟକୁ ଐତିହାସିକ ରାୟ ବୋଲି ମଧ୍ୟ ଗ୍ରହଣ କରାଯାଇଛି।

ଅଯୋଧ୍ୟା ରାୟ ଠାରୁ ଆରମ୍ଭ କରି ସାବରୀମାଳା ମନ୍ଦିର ବିବାଦ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଆରଟିଆଇ ଅଧୀନରେ ରଖିବା ରାୟକୁ ଭାରତରେ ଐତିହାସିକ ରାୟ ବୋଲି ବିବେଚନା କରାଯାଉଛି।

ଅଯୋଧ୍ୟା ମାମଲାର ବିଚାର

ଦୀର୍ଘବର୍ଷରୁ ଚାଲିଥିବା ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ। ଏହି ଖଣ୍ଡପୀଠର ମୁଖ୍ୟ ଥିଲେ ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ଭୂମିରେ ରାମମନ୍ଦିର ନିର୍ମାଣ ପାଇଁ ରାୟ ଶୁଣାଇଥିଲା। ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଅଲଗା ୫ଏକର ଜମି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଯୋଧ୍ୟା ମାମଲାର ବିଚାରକୁ ଏକ ଐତିହାସିକ ରାୟ ବୋଲି କୁହାଯାଉଛି।

 ସାବରୀମାଳା ମନ୍ଦିର ରାୟ

କେରଳ ସାବରୀମାଳା ମନ୍ଦିରରେ ମହିଳାମାନଙ୍କର ପ୍ରବେଶ ଉପରେ କଟକଣା ରହିଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲା। ଏଣିକି ସାବରୀମାଳା ମନ୍ଦିରରେ ସବୁ ମହିଳାମାନେ ପ୍ରବେଶ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ୨୦୧୯, ନଭେମ୍ବର ୧୪ରେ ଏହି ରାୟର ପୁର୍ନବିଚାର ପାଇଁ ହୋଇଥିବା ଆବେଦନର ଶୁଣାଣି କରି  ସୁପ୍ରିମକୋର୍ଟ ଏହାକୁ ଉଚ୍ଚ ସ୍ତରୀୟ ବେଞ୍ଚକୁ ପଠାଇଛି।

ଏହି ରାୟ ସହ କେବଳ ସାବରୀମାଳା ମନ୍ଦିର ନୁହେଁ, ମସଜିଦରେ ମହିଳାମାନଙ୍କର ପ୍ରବେଶ ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରା ସହ ଜଡ଼ିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହା ମଧ୍ୟ ଗୋଗୋଇଙ୍କ ଏକ ଐତିହାସିକ ରାୟ ବୋଲି କୁହାଯାଏ।

ଆରଟିଆଇ ଅଧିନରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ

ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏଣିକି ସୂଚନା ଅଧିକାର ଆଇନ୍ ପରିସରରେ ଆସିବ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ। ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ।

ସରକାରୀ ବିଜ୍ଞାପନରେ ରହିବନି ନେତା ମନ୍ତ୍ରୀଙ୍କ ଫଟୋ

ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏକ ଖଣ୍ଡପୀଠ ସରକାରୀ ବିଜ୍ଞାପନରେ ନେତା ମନ୍ତ୍ରୀଙ୍କ ଫଟୋ ରହିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଏହି ରାୟ ଅନୁସାରେ ଏଣିକି ସରକାରୀ ବିଜ୍ଞାପନରେ ନେତାମାନଙ୍କର ଫଟୋ ରହିପାରିବ ନାହିଁ ବୋଲି କୋର୍ଟ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏଣିକି ସରକାରୀ ବିଜ୍ଞାପନରେ କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ରହିପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ନେତା କିମ୍ବା ମନ୍ତ୍ରୀଙ୍କ ଫଟୋ ସରକାରୀ ବିଜ୍ଞାପନରେ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ନଅଟି ଭାଷାରେ ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ

ରଞ୍ଜନ ଗୋଗୋଇଙ୍କ ସମୟରେ ହିଁ ସୁପ୍ରିମକୋର୍ଟର ରାୟକୁ ଇଂରାଜୀ, ହିନ୍ଦୀ ସହ ଅନ୍ୟ ୭ଟି ଭାଷାରେ ପ୍ରକାଶ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ କେବଳ ଇଂରାଜୀ ଭାଷାରେ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଉଥିଲା। ଯାହାକୁ ବୁଝିବା ଜଣେ ସାଧାରଣ ଲୋକ ପାଇଁ ସହଜ ନଥିଲା। ବର୍ତ୍ତମାନ ଇଂରାଜୀ, ହିନ୍ଦୀ ସହ ଅନ୍ୟ ୭ଟି ଭାଷାରେ ରାୟ ପ୍ରକାଶ ପାଇବା ପରେ ବର୍ତ୍ତମାନ ରାୟକୁ ବୁଝିବା ସାଧାରଣ ଲୋକଙ୍କ ପାଇଁ ସହଜ ହୋଇପାରିଛି। ଏହି ରାୟକୁ ମଧ୍ୟ ସୁପ୍ରିମକୋର୍ଟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଭାବେ ବିବେଚନା କରାଯାଏ।

Comment