ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ଧବିଶ୍ୱାସ ଆଗରେ ଫେଲ୍‌ ମାରିଛି ସବୁ ଉଦ୍ୟମ। ନେପାଳର ଏକ ଦେବୀ ମା’ଙ୍କ ମନ୍ଦିରରେ ୩୦ ହଜାର ପଶୁପକ୍ଷୀଙ୍କୁ ଦିଆଯାଇଛି ବଳି।

ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ। ମନ୍ଦିରରେ ଦେବୀ ମା’ଙ୍କ ଆଗରେ ପଶୁବଳୀକୁ ଦେବ ପରମ୍ପରା ବୋଲି ଆଜିବି ଅନେକ ବିଶ୍ୱାସ କରୁଛନ୍ତି।

ନେପାଳର ଦକ୍ଷିଣ ଦିଗରେ ଥିବା ଗୋଟିଏ ବୌରିୟାପୁର ଗାଁ’ର ମନ୍ଦିରରେ ୩୦ ହଜାର ପଶୁଙ୍କୁ ବଳି ଦେବା ଘଟଣା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ମାତ୍ର ଦୁଇ ଦିନ ଭିତରେ ଏତେ ସଂଖ୍ୟକ ପଶୁବଳି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବୌରିୟାପୁର ଗାଁ’ର ଅଧିଷ୍ଠାତ୍ରୀ ଦେବା ଗଢିମାଇଁଙ୍କ ପୀଠରେ ପ୍ରତି ପାଞ୍ଚ ବର୍ଷରେ ଥରେ ଏକ ସ୍ୱତନ୍ତ୍ର ଉତ୍ସବ ମନା ଯାଇଥାଏ। ଯେଉଁଠି ହଜାର ହଜାର ପଶୁଙ୍କୁ ଲୋକମାନେ ବଳିଦେଇଥାନ୍ତି। ପ୍ରତିଥର ଭଳି ଚଳିତ ଥର ମଧ୍ୟ ଡିସେମ୍ବର ୩ ତାରିଖ ଓ ୪ ତାରିଖରେ ଏହି ପଶୁବଳି ପ୍ରଥା ଦେଖିବାକୁ ମିଳିଛି।

ଏପରିକି ପଶୁବଳି ଦେବା ସ୍ଥାନଟି ରକ୍ତରଞ୍ଜିତ ହୋଇଯାଇଥିଲା। ଚାରିଆଡ଼େ ଖାଲି ରକ୍ତ ହିଁ ରକ୍ତ ଦେଖିବାକୁ ମିଲିଥିଲା। ତା’ସହ ପଶୁପକ୍ଷୀମାନଙ୍କ ମୁଣ୍ଡ ଓ ଦେହ ଅଲଗା ଅଲଗା ହୋଇପଡ଼ିଥିବାର ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି।

ନେପାଳରେ ପଶୁବଳି ପ୍ରଥାକୁ ଆଇନ୍ ଅନୁସାରେ ନିଷିଦ୍ଧ କରାଯାଇଛି। ଏହାପରେ ମଧ୍ୟ ଅନ୍ଧବିଶ୍ୱାସ ଆଗରେ ହାରମାନିଛି ପ୍ରଶାସନ। ୨୦୧୬ରୁ ସୁପ୍ରିମକୋର୍ଟ ଏଠାରେ ପଶୁବଳି ଦେବାକୁ ନିଷିଦ୍ଧ କରିଥିଲେ ହେଁ ଲୋକମାନେ ପଶୁବଳି ଦେବା ବନ୍ଦ କରିନାହାନ୍ତି।

ଏହି ସ୍ଥାନଟି ନେପାଳ-ଭାରତ ସୀମାରେ ଥିବା ହେତୁ ବହୁ ସଂଖ୍ୟାରେ ଭାରତୀୟ ମଧ୍ୟ ଏହାକୁ ଦେଖିବାକୁ ନେପାଳ ଯାଇଥାନ୍ତି। ଅଧିଷ୍ଠାତ୍ରୀ ଦେବା ମା ଗଢିମାଇଁଙ୍କ ସମ୍ମାନ ଉଦ୍ଦେଶ୍ୟରେ ଲୋକମାନେ ଏହି ବଳି ଦେଉଥିବା କଥା ଦେବୀଙ୍କ ଶ୍ରଦ୍ଧାଳୁମାନେ କହିଛନ୍ତି।

ଦୁନିଆଁର ସବୁଠୁ ଅଧିକ ପଶୁବଳି ଦେବା ସ୍ଥାନ ଭାବେ ଏହା ପରିଚିତ ହୋଇଯାଇଛି। ପ୍ରତି ପାଞ୍ଚବର୍ଷରେ ଥରେ  ଏଠାରେ ଉତ୍ସବର ଆଯୋଜନ କରାଯାଇ ଏଭଳି ପଶୁବଳି ଦିଆଯାଉଛି।

Comment