ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ବହୁମତ ଥିବା ଦୃଷ୍ଟିରୁ ନାଗରିକତା ସଂଶୋଧନ  ବିଲ ସହଜରେ ପାସ୍‌ ହୋଇଥିଲା। କିନ୍ତୁ ରାଜ୍ୟସଭାର ଗଣିତ ପୂରା ଅଲଗା।

ପାକିସ୍ତାନ,ଆଫଗାନିସ୍ତାନ ଓ ବଙ୍ଗଳାଦେଶରେ ରହୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ମିଳିବା ସମ୍ପର୍କିତ ନାଗରିକତା ସଂଶୋଧନ ବିଲ ହୁଏତ ଲୋକସଭାରେ ଗୃହୀତ ହୋଇଯାଇଛି। କିନ୍ତୁ ଏହାର ଅସଲ ପରୀକ୍ଷା ହେବ ରାଜ୍ୟସଭାରେ।

ଲୋକସଭାରେ ବହୁମତ ଥିବା ଦୃଷ୍ଟିରୁ ବିଲ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ ଭୋଟ ପଡ଼ିଥିଲା ଏବଂ ବିଲଟିକୁ ଗୃହମନ୍ତ୍ରୀ ବିନା ପରିଶ୍ରମରେ ଗୃହୀତ କରିନେଇଥିଲେ। କିନ୍ତୁ ରାଜ୍ୟସଭାର ଗଣିତ ପୂରା ଅଲଗା। ଏବେ ବି ମୋଦୀ ସରକାରଙ୍କ ପାଇଁ ରାଜ୍ୟସଭାରେ ଆବଶ୍ୟକୀୟ ସଂଖ୍ୟା ନାହିଁ। ଏଣୁ ସଂଖ୍ୟାର ଖେଳ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ସରକାରଙ୍କ ପକ୍ଷରୁ ଆଶା କରାଯାଉଛି ପ୍ରବଳ ବିରୋଧ ସତ୍ତ୍ୱେ ତିନି ତଲାକ ବିଲ ରାଜ୍ୟସଭାରେ ଯେମିତି ପାସ ହୋଇଯାଇପାରିଲା ଏହି ବିଲଟି ମଧ୍ୟ ସେମିତି ଗୃହୀତ ହୋଇଯାଇପାରିବ। ମୋଦି ସରକାରଙ୍କ ପକ୍ଷରୁ ନାଗରିକତା ବିଲ ପାଇଁ ମଧ୍ୟ ଏକା ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ସୁତରାଂ ବିଲ ଉପରେ ଗୃହର ମୋହର ବସିବ ବୋଲି ସରକାରଙ୍କ ବିଶ୍ୱାସ ରହିଛି।

ଜାଣନ୍ତୁ, ରାଜ୍ୟସଭାର ସଂଖ୍ୟା ଗଣିତ

ରାଜ୍ୟସଭାର ମୋଟ୍ ସଦସ୍ୟ ସଂଖ୍ୟା ୨୪୫। ଏହା ଭିତରୁ ବର୍ତ୍ତମାନ ୫ଟି ସିଟ୍ ଖାଲିପଡ଼ିଛି। ତେଣୁ ଏବେ ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୪୦ ରହିଛି। ଏହି ଅନୁସାରେ ରାଜ୍ୟସଭାରେ ବିଲ୍ ପାସ୍ ହେବା ପାଇଁ ମୋଟ୍ ୧୨୧ ସଦସ୍ୟଙ୍କ ସହଯୋଗ ଆବଶ୍ୟକ।

ହେଲେ ବିଜେପିର ମୋଟ ୮୩ ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି। ଏହାସହ ବିଜେଡିର ୭, ଏଆଇଏଡିଏମକେର ୧୧, ଅକାଳୀ ଦଳର ୩, ଶିବସେନାର ୩, ଜେଡିୟୁର ୬, ୱାଇଏସ୍ଆର୍ କଂଗ୍ରେସର ୨, ଏଲଜେପି ଓ ଆରପିଆଇ ଦଳର ଜଣ ଲେଖାଏଁ ସଦସ୍ୟ ଏହି ବିଲ୍ ପାସ୍ କରିବା ପାଇଁ ମୋଦୀ ସରକାରଙ୍କୁ ସହଯୋଗ କରିବେ। କାରଣ ଏହି ସବୁ ଦଳର ଲୋକସଭା ସାଂସଦମାନେ ବିଲକୁ ପାସ୍ କରିବା ପାଇଁ ସୋମବାର ଭୋଟ୍ ଦେଇଥିଲେ। ତେଣୁ ରାଜ୍ୟସଭାରେ ମଧ୍ୟ ଏହି ଦଳମାନଙ୍କର ସହଯୋଗ ମିଳିବ ବୋଲି କୁହାଯାଉଛି।

ଏହାସହ ୪ ଜଣ ମନୋନୀତ ସଦସ୍ୟ ମଧ୍ୟ ଏହି ବିଲକୁ ସହଯୋଗ କରିବେ। ଏହିଭଳି ଭାବେ ବିଜେପି ମୋଟ୍ ୧୨୧ ଜଣ ରାଜ୍ୟସଭା ସାଂସଦଙ୍କ ସହଯୋଗ ପାଇପାରିବ ବୋଲି କୁହାଯାଉଛି।

ବିରୋଧୀଙ୍କ ପାଖରେ ୧୦୦ ସାଂସଦ

ଅନ୍ୟପଟେ କିନ୍ତୁ ବିରୋଧୀଙ୍କ ପାଖରେ ୧୦୦ରାଜ୍ୟସଭା ସାଂସଦ ରହିଛନ୍ତି। ବିରୋଧୀ ଦଳ ଭିତରେ କଂଗ୍ରେସର ୪୬ ସାଂସଦ ସହ ତୃଣମୂଳ କଂଗ୍ରେସର ୧୩, ସମାଜବାଦୀ ପାର୍ଟିର ୯ , ଡିଏମକେର ୫ ଜଣ ସାଂସଦଙ୍କ ସହ ଆରଜେଡି, ଏନସିପି ଓ ବହୁଜନ ସମାଜବାଦି ପାର୍ଟିର ୮ ଜଣ ସାଂସଦ ଏହି ବିଲକୁ ରାଜ୍ୟସଭାରେ ବିରୋଧ କରିବେ।

ସେହିପରି କମ୍ୟୁନିଷ୍ଟ ପାର୍ଟିର ୬ ଜଣ, ଟିଆରଏସର ୬ ଜଣ, ତେଲୁଗୁ ଦେଶମ ପାର୍ଟି ଓ ପିଡିପିର ମୋଟ ୪ଜଣ ସାଂସଦଙ୍କ ସହ ମୁସଲିମ୍ ଲିଗ୍ ,କେରଳ କଂଗ୍ରେସ ଓ ଜେଡିଏସର ଜଣେ ଲେଖାଏଁ ସାଂସଦ ଏହି ବିଲ୍ ବିରୋଧରେ ଭୋଟ ଦେଇପାରନ୍ତି। ଏହି ସବୁ ସାଂସଦଙ୍କୁ ମିଶାଇଲେ ରାଜ୍ୟସଭାରେ ବିଲ୍ ବିରୋଧରେ ମୋଟ୍ ୧୦୦ ଜଣ ସାଂସଦ ଭୋଟ୍ କରିବେ ବୋଲି ଅନୁମାନ କରାଯାଉଛି।

ବଳିପଡ଼ିଥିବା ୧୯ ସାଂସଦଙ୍କ ଉପରେ ରହିବ ନଜର

ବିଲର ସପକ୍ଷରେ ଥିବା ୧୨୧ ସାଂସଦ ଓ ବିପକ୍ଷରେ ଥିବା ୧୦୦ ସାଂସଦଙ୍କୁ ମିଶାଇଲେ ମୋଟ୍ ୨୨୧ ଜଣ ହେଉଛନ୍ତି। ଏହାପରେ ବଳି ପଡ଼ିଥିବା ୧୯ ଜଣ ସାଂସଦଙ୍କ ବିଲ୍ ସପକ୍ଷରେ କି ବିପକ୍ଷରେ ଭୋଟ୍ ଦେଉଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିବ। ଏହି ସାଂସଦମାନଙ୍କ ଭିତରେ ଆସାମ ଗଣ ପରିଷଦ, ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ, ଏସଡିଏମକେ, ନାଗା ପିପୁଲ୍ସ, ପିଏମକେ ଓ ସିକିମ୍ ଡେମୋକ୍ରେଟିକ୍ ଫ୍ରଣ୍ଟର ଜଣେ ଲେଖାଏଁ ରାଜ୍ୟସଭା ସାଂସଦ ରହିଛନ୍ତି। ଏହାସହ ୬ ଜଣ ନିର୍ଦ୍ଦଳୀୟ ସାଂସଦ ମଧ୍ୟ ସପକ୍ଷରେ ନା ବିପକ୍ଷରେ ଭୋଟ ଦେବା ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

Comment