ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ଏକ କୌତୁହଳ ଘଟଣା କ୍ରମରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଥିବା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଚାରିପଟେ ବାଉନ୍ସରମାନେ ଜଗିବା ଦେଖିବାକୁ ମିଳିଥିଲା। ଓଡ଼ିଶା କଂଗ୍ରେସ ଭବନ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଶୁକ୍ରବାର ଦିନ ଏକ ବୈଠକ ଚାଲିଥିବା ବେଳେ ମୋଟା ମୋଟା ଲୋକ କଂଗ୍ରେସ ଭବନକୁ ଘେରି ରଖିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଭିତରେ ଆଲୋଚନା କରିବା ସମୟରେ ଏହି ବାଉନ୍ସରମାନେ ବାହାର ପଟେ ଜଗିବା ଲକ୍ଷ୍ୟ କରାଯାଇଥିଲା। ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ଲୋକଙ୍କୁ ଭିତରକୁ ନଛାଡ଼ିବା ପାଇଁ ବାଉନ୍ସରମାନଙ୍କୁ କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଏହା ଥିଲା ପ୍ରଥମ ସମୀକ୍ଷା ବୈଠକ। ତେବେ ପୂର୍ବ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ବାହାରେ ବସି ଦଳର ବଡ଼ ନେତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପ୍ରଧାନଙ୍କ ଗୋଷ୍ଠୀ ଓ ନିରଞ୍ଜନଙ୍କ ସମର୍ଥକମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଓ ପରେ ପ୍ରଧାନଙ୍କ ସମର୍ଥକ ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଥିଲେ। ଅନ୍ୟପଟେ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଓ ନିରଂଜନଙ୍କ ପୁଅ ନବଜ୍ୟୋତି ଏହି ଘଟଣାକୁ ମାମୁଲି କହି ଏଡ଼େଇ ଦେଇଥିଲେ।

Comment