ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ୟୁନିଭର୍‌ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା ବ୍ୟାଧିର ଚିକିତ୍ସା କରାଯାଇଛି।

କର୍ଣ୍ଣ, ନାସା ଓ ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ସଫଳତାର ସହ ଏହିଭଳି ୬ଟି ପ୍ରକ୍ରିୟାରେ ଚିକିତ୍ସା କରିଥିବା ସୋଆ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଯୁବପିଢ଼ିଙ୍କ ମଧ୍ୟରେ ଏହି ଇଟିଡି ରୋଗ ଦେଖାଯାଇଥାଏ। ଏହାଦ୍ୱାରା କର୍ଣ୍ଣନଳୀ ଠିକ୍ ଭାବେ କାର୍ଯ୍ୟ କରି ନଥାଏ। ଏହା ପ୍ରାୟତଃ ବନ୍ଦ ଥାଏ, କିନ୍ତୁ ମଣିଷ ଖାଇବା ଖାଦ୍ୟ ଗ୍ରହଣ କରିବା ସମୟରେ କିମ୍ବା ଚୋବାଇବା ସମୟରେ ଖୋଲିଯାଇଥାଏ। ଏହି ରୋଗର ଲକ୍ଷଣ ହେଲା କାନର ଯନ୍ତ୍ରଣା, ଠିକ୍ ଭାବେ ଶୁଭାଯାଉ ନଥିବା, କାନ ତାବ୍ଦା ହୋଇଯିବା। ଏହା ଦ୍ୱାରା କାନର ପରଦା ଫାଟିଯାଇଥାଏ, କାନର ମଧ୍ୟଭାଗ ନଷ୍ଟ ହୋଇଯାଇଥାଏ ଏବଂ କାନକୁ ଶୁଭିବା କମିଯାଇଥାଏ।

ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟା ଏକ ନୂତନ ପ୍ରକ୍ରିୟା, ଯାହାକି ଖୁବ୍ କମ୍ ଖର୍ଚ୍ଚରେ ଏବଂ କମ୍ ସମୟରେ ରୋଗୀଙ୍କୁ ଏଭଳି ବ୍ୟାଧିରୁ ମୁକ୍ତି ଦେଇଥାଏ।

ଏହି ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଏକ ବେଲୁନ ଟ୍ୟୁବ୍ ସହ ସଂଯୋଗ କରି ନାକ ବାଟ ଦେଇ ଏଣ୍ଡୋସ୍କୋପିକ୍ ପଦ୍ଧତିରେ କର୍ଣ୍ଣନଳୀ ମଧ୍ୟକୁ ପ୍ରବେଶ କରାଯାଇଥାଏ। ଏହି ପ୍ରକ୍ରିୟାରେ କୌଣସି ଟିଷୁ ବାହାର କରାଯାଇ ନଥାଏ କିମ୍ବା ଇଞ୍ଜେକ୍ସନ ମଧ୍ୟ ଦିଆଯାଇ ନଥାଏ। ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପରେ ଏବେ ବହୁଳ ଭାବେ ପ୍ରୟୋଗ କରାଯାଉଛି।

Comment