ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ବସ୍‌ରେ ବିଜୁଳି ତାର ବାଜି ୧୧ ଜଣଙ୍କ ପ୍ରାଣହାନୀ ଘଟଣାରେ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ହରପ୍ରିୟା ପଟେଲ୍ ନାମକ ଜଣେ ମହିଳା ଦାଖଲ କରିଥିବା ଏକ ଲେଟର୍ ପିଟିସନକୁ ର ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି।

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ, ବିଦ୍ୟୁତ୍ ବଣ୍ଟନ କମ୍ପାନି ସାଉଥ୍-କୋକୁ ଏନେଇ ଜବାବ ରଖିବାକୁ ଆଦେଶ ଦେଇଛନ୍ତି।

ବିଦ୍ୟୁତ୍ ପରିବହନ ପାଇଁ ଯେଉଁସବୁ ନିୟମ କାନୁନ୍ ରହିଛି ତାହାକୁ ଠିକ୍ ଭାବେ ପାଳନ କରାଯାଉଛି କି’ ନାହିଁ ତାହା ଉପରେ ଶକ୍ତି ବିଭାଗ ଜବାବ ରଖିବ। ସେହିପରି ଏହି ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପରିବାରକୁ କ୍ଷତିପୂରଣ ରାଶି କେତେ ଦିଆଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ଶକ୍ତି ବିଭାଗ ଜବାବ ରଖିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଗତ ୯ ତାରିଖରେ ଗଞ୍ଜାମ ଚିକିଟି ବ୍ଲକ୍ ଡଙ୍କଲପାଡୁ ଗ୍ରାମରୁ ଏକ ବସ୍ ଗୋଳନ୍ଥରାର ମେଣ୍ଢରାଜପୁର ଗ୍ରାମକୁ ନିର୍ବନ୍ଧ ପାଇଁ ବର ପରିବାରର ପ୍ରାୟ ୪୯ ଜଣ ଯାତ୍ରୀଙ୍କୁ ନେଇ ବସ୍‌ ବାହାରିଥିଲା। ମେଣ୍ଢରାଜପୁର ଗ୍ରାମ ଛକରେ ରାସ୍ତା ଉପରକୁ ଝୁଲି ରହିଥିବା ୧୧କେଭି ତାର ବସ୍ ସଂସ୍ପର୍ଶରେ ଆସି ଗାଡ଼ିଟି ଚାର୍ଜ ହୋଇଯାଇଥିଲା। ଏ ଦୁର୍ଘଟଣାରେ ଇତିମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଏକରକମ ସ୍ତବ୍ଧ କରି ଦେଇଥିଲା।

ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଆବେଦନକାରିଣୀ ହାଇକୋର୍ଟଙ୍କୁ ଏକ ଲେଟର ପିଟିସନ୍ ପଠାଇଥିଲେ। ଏହି ଦୁର୍ଘଟଣା ଓଡିଶାରେ ପ୍ରଥମ ନୁହେଁ ବୋଲି ଆବେଦନକାରିଣୀ ଉଲ୍ଲେଖ କରିଥିଲେ। ସେ ଦର୍ଶାଇଥିଲେ, ପୂର୍ବରୁ ଓଡିଶାରେ ଏହିଭଳି ଅନେକ ବିଦ୍ୟୁତ୍ ଜନିତ ଦୁର୍ଘଟଣା ଘଟିସାରିଛି। ଅନୁରୂପ ଢଙ୍ଗରେ ବସ୍ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ବିଶେଷକରି ଶକ୍ତି ବିଭାଗ ଏଥିପ୍ରତି ସଚେତନ ଥିଲାଭଳି ମନେ ହେଉନାହିଁ। ଫଳରେ ଗୋଟିଏ ପରେ ଗୋଟିଏ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଧନଜୀବନ କ୍ଷୟକ୍ଷତି ଘଟୁଛି।

ବିଦ୍ୟୁତ୍ ବିଭାଗ ରାସ୍ତାଠାରୁ କେତେ ଉଚ୍ଚତାରେ ତାର ଟାଣିବା ଉଚିତ୍, ତାର ଟାଣିବା ବେଳେ ଗାଇଡଲାଇନ୍ ଅନୁସରଣ କରାଯାଉଛି କି’ ନାହିଁ ତାହାକୁ ଯାଞ୍ଚ କରାଯାଉ ନାହିଁ। କିନ୍ତୁ ଦୁର୍ଘଟଣା ପରେ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଏବଂ ବିଦ୍ୟୁତ୍ ବିଭାଗ ପରସ୍ପରକୁ ଦୋଷାରୋପ କରି କାଦୁଅ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ ରହୁଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନାହିଁ। ଫଳରେ ଏଭଳି ଦୁର୍ଘଟଣାମାନ ଘଟିଚାଲିଛି ବୋଲି ଆବେଦନକାରୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Comment