ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ମହାମାରୀ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ରାଜଧାନୀ ଦିଲ୍ଲୀ ସମେତ ଆଗ୍ରା, ତେଲେଙ୍ଗାନା, ଜୟପୁରରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଭାରତରେ ପ୍ରାୟ ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଧୀରେ ଧୀରେ ଭାରତରେ ଏହି ପ୍ରାଣଘାତୀ କୋରୋନା ଭାଇରସ କାୟା ମେଲାଇଲାଣି। ତେବେ ସବୁଠି ଏବେ ଗୋଟିଏ ପ୍ରଶ୍ନ ଯେ ଭାରତକୁ କେମିତି ଏହି ଭାଇରସ ପ୍ରବେଶ କଲା?

ଇଟାଲିରୁ ଆସିଲା ଭାଇରସ!

ଦିଲ୍ଲୀର କୋରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତି ଜଣକ ଇଟାଲିରୁ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନିକଟରେ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ଫେବ୍ରୁଆରି ୨୮ରେ ତାଙ୍କ ପୁଅ ଜନ୍ମଦିନ ପାର୍ଟି ଦିଲ୍ଲୀର ଏକ ହୋଟେଲରେ ଆୟୋଜନ କରିଥିଲେ। ତାଙ୍କ ପୁଅ ନୋଏଡ଼ାର ଏକ ସ୍କୁଲରେ ପଢ଼ୁଥିବାରୁ ସେହି ପାର୍ଟିରେ ତାଙ୍କ ଦୁଇ ସାଙ୍ଗ ଓ ତାଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କଠାରେ ମଧ୍ୟ କୋରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। ସେମାନଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପୁନେ ପଠାଯାଇଛି।

ଆଗ୍ରାରେ କୋରୋନା କନେକ୍ସନ!

ଦିଲ୍ଲୀ ନୋଏଡା ବ୍ୟତୀତ ଆଗ୍ରାରେ ୬ ଜଣଙ୍କଠାରେ କୋରୋନା ଭାଇରସ ଥିବା ସନ୍ଦେହ କରାଯାଉଛି। ଆଗ୍ରାର ୨ ବ୍ୟବସାୟୀ ଇଟାଲି ଯାଇଥିଲେ। ଫେବ୍ରୁଆରି ୨୫ରେ ପରିବାର ସହିତ ସେମାନେ ଆଗ୍ରାକୁ ଫେରିଥିଲେ। ଭାରତ ଆସିବା ପରେ ସେମାନଙ୍କଠାରେ ଥଣ୍ଡା, ଜ୍ୱର, କାଶ ଲକ୍ଷଣ ଦେଖାଯାଇଥିଲା। ଏମାନଙ୍କ ବ୍ଲଡ୍‌ ସାମ୍ପୁଲ ଲକ୍ଷ୍ନୌ ପଠାଯାଇଛି।

ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସର ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି। କେନ୍ଦ୍ର ସରକାର ମଧ୍ୟ କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଏୟାରପୋର୍ଟରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଇଛି। କୋରୋନା ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment