ଓଡ଼ିଶାଲାଇଭ୍ ବ୍ୟୁରୋ

ତାପମାତ୍ରା ବଢ଼ିବା ସହ କୋରୋନା ଭାଇରସର କୌଣସି ସମ୍ପର୍କ ନାହିଁ। ଏହା ଏକ ଗୁଜବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ବୁଧବାର ଲୋକସେବା ଭବନରେ କୋରୋନା ଭାଇରସକୁ ନେଇ ସ୍ୱାସ୍ଥ୍ୟ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟରେ ଏପିଡେମିକ ଆଇନ ଲାଗୁ କରିବା ନେଇ ସୂଚନା ଦେଇଥିଲେ। ଏହାପରେ ସେ କୋରୋନା ଭାଇରସକୁ ନେଇ ବ୍ୟାପୁଥିବା ଗୁଜବ ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, କମ୍‌ ତାପମାତ୍ରା ବା ଥଣ୍ଡା ଅଞ୍ଚଳରେ କୋରୋନା ବ୍ୟାପିଥାଏ ଓ ଅଧିକ ତାପମାତ୍ରାରେ କୋରୋନା ଭାଇରସ ନବ୍ୟାପିବା ନେଇ କୌଣସି ଗବେଷଣା ହୋଇନାହିଁ। ଏହି ଗୁଜବ ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ଏଭଳି ଗୁଜବଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। କୋରୋନା ଭାଇରସ ସନ୍ଦିଗ୍ଧଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ୧୬ଜଣ କୋରନା ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କୋରୋନା ସନ୍ଦେହ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ପରାମର୍ଶ କରନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

ସ୍କୁଲ କଲେଜ ସିନେମା ହଲ ଆଦିକୁ ବନ୍ଦ କରିବାକୁ କୌଣସି ନିଦ୍ଦେର୍ଶ ଦିଆଯାଇନାହିଁ। ତେବେ ଆବଶ୍ୟକ ପଡ଼ିଲେ ଏନେଇ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

Comment