ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି ବା ସଚେତନ ରହୁଛନ୍ତି ହେଲେ ଛୋଟ ପିଲାଙ୍କ ପାଇଁ ଏହା ବୁଝିବା ଟିକେ କଷ୍ଟ। ସେଥିପାଇଁ ଛୋଟ ପିଲାଙ୍କୁ କରୋନା ସଂପର୍କରେ ବୁଝେଇବା ନିହାତି ଆବଶ୍ୟକ।

ପିଲାଙ୍କୁ କରୋନା ବିଷୟରେ ପଚାରନ୍ତୁ

ଆପଣଙ୍କ ପିଲା କରୋନା ଭାଇରସ ବିଷୟରେ କ’ଣ ଜାଣିଛନ୍ତି ସେ ବିଷୟରେ ପ୍ରଥମେ ପଚାରନ୍ତୁ। ଯଦି ସେମାନେ କରୋନା ବିଷୟରେ ପୂର୍ବରୁ କିଛି ଜାଣିନାହାନ୍ତି ତାହେଲେ ଆପଣ ପ୍ରଥମେ କଥା ଆରମ୍ଭ କରନ୍ତୁ। ଚିତ୍ର, କାହାଣୀ ମାଧ୍ୟମରେ ଆପଣ ପିଲାଙ୍କୁ କରୋନା ସମ୍ପର୍କରେ ବୁଝାଇପାରିବେ।

ପିଲାଙ୍କୁ ପରାମର୍ଶ ଦିଅନ୍ତୁ

ପିଲାଙ୍କୁ କରୋନା ଭାଇରସ ସମ୍ପର୍କରେ ସରଳ ଭାବେ ବୁଝାନ୍ତୁ। ସେ ଆପଣଙ୍କୁ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସରଳ ଭାବେ ଦିଅନ୍ତୁ। ପିଲାଙ୍କର ବୁଝିବା ଶକ୍ତି କମ୍‌ ଥିବାରୁ ସେମାନଙ୍କୁ ସରଳ ଶବ୍ଦରେ ବୁଝାଇବାକୁ ଚେଷ୍ଟା କରନ୍ତୁ।ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରି ଆନ୍ତର୍ଜାତୀୟ ସଂଗଠନର ୱେବସାଇଟ୍କୁ ଯାଇ ନିଜେ ଏ ସମ୍ପର୍କରେ ସଠିକ ତଥ୍ୟ ଜାଣିବା ସହିତ ପିଲାଙ୍କୁ ବି ଜଣାନ୍ତୁ।

ପିଲାଙ୍କୁ ପରିଷ୍କାର ରହିବା ପାଇଁ ଦିଅନ୍ତୁ ପରାମର୍ଶ?

ପିଲାମାନଙ୍କୁ କରୋନାଭାଇରସ୍ ବା ରୋଗରୁ ସୁରକ୍ଷିତ ରଖିବା ପାଇଁ ସର୍ବୋତ୍ତମ ଉପାୟ ପରିଷ୍କାର ରହିବା। ଏଥିପାଇଁ ସେମାନଙ୍କୁ ପରିଷ୍କାର, ପରିଚ୍ଛନତାର ଗୁରୁତ୍ୱ ସମ୍ପର୍କରେ ବୁଝାନ୍ତୁ। ଏଥିସହିତ ପିଲାଙ୍କୁ ଠିକ୍‌ ଢଙ୍ଗରେ କାଶିବା ଛିଙ୍କିବା ଶିଖାନ୍ତୁ। ମୁହଁରେ ହାତ ନରଖି ରୁମାଲରେ ବା କହୁଣିରେ ମୁହଁକୁ ଘୋଡ଼ାଇବା ପାଇଁ କାଶିବା ବା ଛିଙ୍କିବା ପାଇଁ କହନ୍ତୁ। ଦରକାର ପଡ଼ିଲେ ନିଜେ ଅଭିନୟ କରି ଶିଖାନ୍ତୁ।

ଭୟଭୀତ ନହେବା ପାଇଁ କହନ୍ତୁ

ଅନେକ ସମୟରେ ଛୋଟପିଲାମାନେ ପାରିପାର୍ଶ୍ୱିକ ଚିତ୍ରକୁ ଦେଖି ଭୟଭୀତ ହୋଇଯାଆନ୍ତି। ଏବେ ସବୁଠୁ କରୋନା ସମ୍ପର୍କରେ ଚର୍ଚ୍ଚା ଚାଲିଥିଲା ବେଳେ ଆପଣଙ୍କ ପିଲାଙ୍କ ଆତଙ୍କିତ ହୋଇପାରେ। ତେଣୁ ଏଭଳି ସ୍ଥିତିରେ ଆପଣ ନିଜ ପିଲାଙ୍କୁ ସମୟ ଦିଅନ୍ତୁ ଏବଂ ଭୟ ନକରିବା ପାଇଁ ସାନ୍ତ୍ୱନା ଦିଅନ୍ତୁ।  ପିଲାଙ୍କୁ ଆପଣ ଯାହା ଶିଖାଉଛନ୍ତି ପ୍ରଥମେ ନିଜ ସେସବୁ ଅନୁକରଣ କରନ୍ତୁ। କାରଣ ପିଲା ନିଜ ଅଭିଭାବକଙ୍କଠାରୁ ଅନେକ କିଛି ଶିକ୍ଷା କରିଥାଏ।

କରୋନା ଭାଇରସର କୌଣସି ଔଷଧ ବାହାରି ନଥିବାରୁ ସଚେତନ ହିଁ ଏହାର ମୂଳ ଔଷଧ। ତେଣୁ ସଚେତନ ରହନ୍ତୁ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।

Comment