ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନ ପ୍ରଥମେ ଜନତା କର୍ଫ୍ୟୁ ଲଗାଗଲା। ତା’ ପରେ କିଛି ଜିଲ୍ଲାକୁ ଲକ୍‌ଡାଉନ୍‌ କରାଗଲା। ଏବେ ସମଗ୍ର ଦେଶରେ ତାଲା ପକାଇ ଦିଆଯାଇଛି। ଜାଣନ୍ତି ଏହି ଦୁର୍ଦ୍ଦଶାର କାରଣ? ଏକୋଇଶ ଦିନିଆ ଲକ୍‌ଡାଉନ୍‌ର ଭିତର କଥା ଏବେ ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ଆଠଟାରେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହିଭଳି ଏକ ଚରମ ନିଷ୍ପତ୍ତି କାହିଁକି ନିଆଗଲା ତା’ ପଛରେ ଥିବା କାରଣ କିଛି ଏହିଭଳି।

ପ୍ରକୃତ କଥା ହେଲା ଗତ କିଛି ଦିନ ମଧ୍ୟରେ ବିଦେଶରୁ ପ୍ରାୟ ୬୪ ହଜାର ଭାରତୀୟ ଦେଶକୁ ଫେରିଛନ୍ତି। ଯେହେତୁ ଭାରତକୁ କରୋନା ବେମାରୀ ମୁଖ୍ୟତଃ ବିଦେଶରୁ ଆସିଛି, ସେଇଥିପାଇଁ ଏମାନଙ୍କ ଆଗମନକୁ ଏକ ବଡ଼ ବିପଦ ଘଣ୍ଟି ବୋଲି ସରକାର ଅନୁମାନ କଲେ। ଆଉ ଏହି କାରଣର ବାଧ୍ୟ ହୋଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ତାଲା ବନ୍ଦ ଘୋଷଣା କରାଗଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଆମେ ନଜର ପକେଇବା ତାହା କ୍ରମଶଃ ବଢ଼ି ଚାଲିଛି। ଆଉ ଏହାର ଖାସ୍‌ କାରଣ ବିଦେଶରୁ ଆସିଥିବା ଲୋକ। ବୁଧବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି।

ଲକ୍‌ଡାଉନ୍‌ ପଛରେ ସବୁଠୁ ବଡ଼ କାରଣ କିନ୍ତୁ ଲୋକମାନଙ୍କ ଦାୟିତ୍ୱହୀନତା। ସରକାରୀ ସୂତ୍ର ଅନୁଯାୟୀ ବାହାର ଦେଶରୁ ଆସିଥିବା ୮ ହଜାର ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନ କ୍ୟାମ୍ପରେ ରଖାଯାଇଛି। ବାକି ୫୬ ହଜାର ଲୋକ ଘର କ୍ୱାରେନଟାଇନରେ ଅଛନ୍ତି। ତା’ ସତ୍ତ୍ୱେ ଏଭଳି କିଛି ବିଦେଶ ଫେରନ୍ତା ଅଛନ୍ତି ଯେଉଁମାନେ ଖୋଲାରେ ବାହାରେ ରାସ୍ତାରେ ବୁଲୁଛନ୍ତି। ଆଉ ଏମାନେ ହିଁ କରୋନା ଭାଇରସର ମୁଖ୍ୟ ବାହକ।

ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯେଉଁ ୨୧ ଦିନିଆ ଲକ୍‌ଡାଉନ୍‌ କରାଯାଇଛି ତା’ର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନେ କରୋନା ଭୂତାଣୁକୁ ଯେମିତି ଅଧିକ ବ୍ୟାପିବାରେ ସାହାଯ୍ୟ କରିବେ ନାହିଁ।। ତା’ଛଡ଼ା ଯେଉଁମାନଙ୍କ ଦେହରେ ଭାଇରସ ପଶିଥିବ ୧୪ ଦିନ ଭିତରେ ତା’ର ଲକ୍ଷଣ ପ୍ରକାଶ ପାଇଯିବ। ଆଉ ସଙ୍ଗେ ସଙ୍ଗେ ପଜିଟିଭ ଲୋକଙ୍କ ଚିକିତ୍ସା ବି ଆରମ୍ଭ କରି ଦିଆଯାଇ ପାରିବ।

ଆଇସିଏମ୍‌ଆର୍‌ର ମହା ନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ କହିବା ଅନୁଯାୟୀ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ୨୧ ଦିନ ସକାଶେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

Comment