ଓଡ଼ିଶାଲାଇଭ କରୋନା ବ୍ୟୁରୋ

ଗରିବ, ଗୃହହୀନ, ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଚଡ଼କ ପକାଇଛି ମାରାତ୍ମକ  କରୋନା ଭାଇରସ। ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ।

‘‘ଆମେ କେମିତି ବଞ୍ଚିବୁ, କରୋନା ପୂର୍ବରୁ ଭୋକ ଆମକୁ ମାରିଦେବ। ମୁଲ ଲାଗି ଖାଇବା ଲୋକ ଆମେ। କରୋନାରୁ ଭୟବହତା ଜାଣିଛୁ, ହେଲେ ନିଜ ପରିବାରକୁ କେମିତି ଉପାସରେ ରହିବାକୁ ଦେବୁ’’, ଏ କଥା ହେଉଛି ଉତ୍ତରପ୍ରଦେଶ ନୋଏଡାର କିଛି ଶ୍ରମିକଙ୍କର।

ଯେଉଁମାନେ ପ୍ରତିଦିନ କାମକୁ ଗଲେ ସେମାନଙ୍କ ପରିବାର ଚଳେ। କରୋନା ଭାଇରସ ଯୋଗୁଁ ଦେଶରେ ଲକଡାଉନ ଘୋଷଣା ହୋଇଥିବାରୁ ସେମାନେ ଏବେ କାମକୁ ଯାଇ ପାରୁନାହାନ୍ତି। ୨୧ ଦିନ ଏବେ ଘରେ ବସିବା ଛଡ଼ା ସେମାନଙ୍କ ପାଖରେ କିଛି ବିକଳ୍ପ ନାହିଁ। ଫଳରେ କରୋନା ପୂର୍ବରୁ ଭୋକ ସେମାନଙ୍କୁ ମାରିଦେବ ବୋଲି କହିଛନ୍ତି।

ଉତ୍ତରପ୍ରଦେଶର ନୋଏଡା ଠାରେ ଲେବର ଛକ୍ ନାମକ ଏକ ସ୍ଥାନ ଅଛି। ଅନ୍ୟଦିନରେ ଏହି ଛକରେ ଭାରି ଭିଡ଼। କାରଣ ଘର ଏବଂ କୋଠା ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନେ ଏହି ସ୍ଥାନକୁ ପ୍ରତିଦିନ ଶ୍ରମିକ ନେବାକୁ ଆସନ୍ତି। ଗତ ରବିବାର ଦିନର କଥା। ଲକଡାଉନ ଯୋଗୁଁ ଏଠାକୁ କଣ୍ଟ୍ରାକ୍ଟର ଆସିନଥିଲେ। ସେହି ଜାଗା ପୂରା ନିରବ ଥିଲା। ହେଲେ ଛକର ଗୋଟିଏ କୋଣରେ କିଛି ଲୋକ ବସିଥିଲେ। ସେମାନେ କଣ୍ଟ୍ରାକ୍ଟରଙ୍କୁ ଅପେକ୍ଷା କରିଥିଲେ। ହେଲେ ତାଙ୍କୁ ନେବାକୁ କେହି ଆସିନଥିଲେ।

ତେବେ କେବଳ ଏମାନେ ନୁହନ୍ତି ପୂରା ଦେଶରେ ଲକ୍ଷ ଲକ୍ଷ ଏଭଳି ଲୋକ ରହିଛନ୍ତି। ଯେଉଁମାନେ ଏହି ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଘରେ ଏବେ ଚୁଲି ଜଳିବା ମୁସ୍କିଲ ହୋଇପଡ଼ିବ।

ଅନ୍ୟପକ୍ଷରେ ଗରିବ ଲୋକ ବା ଏହି ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ସିଧାସଳଖ ଜମା କରାଯିବା ବୋଲି କୁହାଯାଇଛି। କିନ୍ତୁ ଏହି ପ୍ରତିଶ୍ରୁତିଗୁଡିକ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିଶ୍ଚିତ କିଛି ସମୟ ଲାଗିବ। ସେହିପରି ସମସ୍ତଙ୍କର ଯେ ବ୍ୟାଙ୍କ ଆକାଉଣ୍ଟ ଥିବ ତାହା କହିହେବ ନାହିଁ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ୨ ସପ୍ତାହ ଯାଏଁ ଭାରତ ପାଇଁ ବିପଦ ରହିଛି। ଏମିତି ସ୍ଥିତିରେ ଶ୍ରମିକମାନଙ୍କ କହିବା କଥା, ‘‘ ଆମେ କରୋନା ଭୂତାଣୁ ବିଷୟରେ ଜାଣିଛୁ। ଏହା ଅତ୍ୟନ୍ତ ବିପଜ୍ଜନକ। ସମଗ୍ର ବିଶ୍ୱ ଏହା ସହ ସଂଘର୍ଷ କରୁଛି। ଯେଉଁମାନଙ୍କର ଘର ଅଛି ସେମାନେ ଘର ଭିତରେ ଅଛନ୍ତି। ଆମ ପରି ଲୋକଙ୍କର ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ସୁରକ୍ଷା ଏବଂ ଅନ୍ୟଟି ପେଟର ଭୋକ। ବର୍ତ୍ତମାନ ଆମେ କାହାକୁ ଚୟନ କରିବୁ?”

ଲସି ବିକ୍ରି କରୁଥିବା ଜଣେ ବ୍ୟକ୍ତି ମହମ୍ମଦ ସାବୀର କହିଛନ୍ତି ଯେ କିଛି ଦିନ ପୂର୍ବରୁ ସେ ଦୁଇଜଣ ଲୋକଙ୍କୁ ତାଙ୍କ ଦୋକାନରେ ଚାକିରି ଦେଇଥିଲେ। କାରଣ ଖଦାଦିନ ଆସୁଥିବାରୁ  ଏବେ ବ୍ୟବସାୟ ଭଲ ହୋଇଥାନ୍ତା।

ସାବୀରଙ୍କ କହିବା କଥା,‘‘ମୁଁ ବର୍ତ୍ତମାନ ସେମାନଙ୍କୁ କ’ଣ ଦେଇ ପାରିବି। ଦୋକାନ ବନ୍ଦ ପଡ଼ିଛି। ମୋ ପରିବାର ଚାଷରୁ ଟଙ୍କା ରୋଜଗାର କରନ୍ତି। କିନ୍ତୁ କୁଆପଥର ମାଡ ହେତୁ ପରିବାରର ସମସ୍ତ ଚାଷ ଜମି ନଷ୍ଟ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେମାନେ ମୋତେ ଅପେକ୍ଷା କରି ରହିଥିଲେ। ମୁଁ ମଧ୍ୟ ଅସହାୟ। ମୁଁ ଭାବୁଛି କରୋନା ପୂର୍ବରୁ ଭୋକ ଆମ ପରି ଅନେକ ଲୋକଙ୍କୁ ହତ୍ୟା କରିବ।”

Comment