ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ କରୋନା ଭୟ। ସମୂହ ସଂକ୍ରମଣ ଆଶଙ୍କା କଲେ ରାଜ୍ୟ ସରକାର!

ଗତ ଦୁଇ ସପ୍ତାହ ଧରି ଦୁଇ ଜଣ କରୋନା ଆକ୍ରାନ୍ତ ଓଡ଼ିଶାରୁ ଚିହ୍ନଟ ହୋଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ଏହାକୁ ନେଇ ରାଜ୍ୟବାସୀ ଆଶ୍ୱସ୍ତ ହେଉଥିବା ବେଳେ ଗୁରୁବାର ରାତିରେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଲା। ଭୁବନେଶ୍ୱରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସୂଚନା ଦେବା ପରେ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଚିନ୍ତାରେ ପଡ଼ିଥିଲେ।

ଏହି ଚିନ୍ତା ଆଜି ସରକାରଙ୍କୁ ଅଧିକ ଘାରିଛି। ୬୦ ବର୍ଷିୟ ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ବିସ୍ତୃତ ଖବର ଜଣାପଡ଼ିବା ପରେ ସାମୂହିକ ସଂକ୍ରମଣ ହୋଇଥିବା ସରକାର ଆଶଙ୍କା କରୁଛନ୍ତି। ଯେଉଁ ଆଶଙ୍କାକୁ ଭୟ କରି ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନେଇଥିଲେ ଏବଂ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସେହି ଭୟ ଏବେ ସମସ୍ତଙ୍କୁ ଘାରିଛି।

ଏବେ ଏହି ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ସରକାର ଠାବ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ବ୍ୟକ୍ତିଙ୍କ ଝିଅ, ସ୍ତ୍ରୀ ଏବଂ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି। ହେଲେ ଅନ୍ୟମାନଙ୍କୁ ଏବେ ଖୋଜା ଚାଲିଛି। ପୂର୍ବରୁ ଦୁଇ ଜଣ ଆକ୍ରାନ୍ତଙ୍କୁ ନେଇ ଯେତିକି ଭୟ ବଢ଼ି ନଥିଲା ଏବେ ତୃତୀୟ ଆକ୍ରାନ୍ତଙ୍କୁ ନେଇ ଅଧିକ ଭୟ ଦେଖାଦେଇଛି।

ସବୁଠୁ ବଡ଼ କଥା ହେଉଛି କରୋନା ମାହାମାରୀ ବେଳେ ଏହି ବୃଦ୍ଧ ଜଣକ ରାଜ୍ୟ ବାହାରକୁ ଯିବା ଏବଂ ଓଡ଼ିଶାକୁ ଫେରିବା ପରେ କୌଣସି ସତର୍କତା ଅବଲମ୍ବନ ନକରିବାକୁ ନେଇ ଏବେ ଚିନ୍ତା ବଢ଼ିଛି।

ଓଡ଼ିଶାରେ ଚିହ୍ନଟ ହୋଇଥିବା ଏହି ତୃତୀୟ କରୋନା ରୋଗୀ ଜଣକ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ। ତାଙ୍କ ସ୍ତ୍ରୀ, ଝିଅ ଓ ସେ ତିନିଜଣ କୌଣସି କାମରେ ଦିଲ୍ଲୀ ଯାଇଥିଲେ। ଏଥିସହିତ ସେଠାରୁ ସେ ହରିୟାଣାର ରେୱାଡିକୁ ମଧ୍ୟ ଯାଇଥିଲେ। ତେଣୁ ସେ ସେହି ସ୍ଥାନରୁ ସେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଏହାପରେ ସେମାନେ ୧୦ ମାର୍ଚ୍ଚରେ ଇଣ୍ଡିଗୋ ‘୬ଇ୨୦୧୪’ ବିମାନ ଯୋଗେ ଓଡ଼ିଶା ଫେରିଥିଲେ। ସିଟ୍ ନମ୍ବର ୧୫ ଏ, ବି ଓ ସିରେ ବସି ସେମାନେ ଓଡ଼ିଶା ଫେରିଥିଲେ। ତେଣୁ ଏହି ବିମାନରେ ସେଦିନ ଓଡ଼ିଶା ଫେରିଥିବା ଲୋକମାନେ ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ଏହାପରେ ସେହି ବ୍ୟକ୍ତିଜଣକ ମାର୍ଚ୍ଚ ୧୩ ତାରିଖ ବେଳକୁ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରାଥମିକ ଅବସ୍ଥାରେ ମାର୍ଚ୍ଚ ୧୬ ତାରିଖରେ ସେ ଓଡିଶା ବିଧାନସଭାର ଔଷଧାଳୟକୁ ଆସି କିଛି ଔଷଧ ନେଇଥିଲେ। ୨୧ରେ ସେ ଭୁବନେଶ୍ୱରର କର କ୍ଲିନିକକୁ ଯାଇ ସେଠାରେ ଓପିଡିରେ ଦେଖା କରିବା ସହିତ ସେଠାରେ ନିଜର ନିମୋନିଆ ପରୀକ୍ଷା କରିଥିଲେ। ହେଲେ ସେଠାରୁ ସେ ମାର୍ଚ୍ଚ ୨୪ରେ ଡିସଚାର୍ଜ ହୋଇଯାଇଥିଲେ।

୨୫ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଗୁରୁବାର ତାଙ୍କର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏବେ ତାଙ୍କୁ ଆଇସୋଲେସନରେ ରଖାଯାଇଛି।

ଇଣ୍ଡିଗୋ ବିମାନର ଯାତ୍ରୀ, ବିଧାନସଭା ଡିସ୍‌ପେନସାରୀ କର୍ମଚାରୀ, କର କ୍ଲିନିକର ଡାକ୍ତର ଓ କର୍ମଚାରୀଙ୍କ ସମେତ ୨୧ ତାରିଖରେ ଓପିଡିକୁ ଯେଉଁ ଲୋକମାନେ ଆସିଥିଲେ ସେମାନେ ଏବେ ସରକାରଙ୍କ ସ୍କାନରରେ ଅଛନ୍ତି।

Comment