ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଇରିଆ ହେଉଛି ଦାନ୍ତର ଏକ ଗୁରୁତର ସମସ୍ୟା। ଏହା ଦାନ୍ତର ଆଖପାଖର ମାଂସପେଶୀକୁ ସଂକ୍ରମିତ କରି ତାକୁ କ୍ଷତି ପହଞ୍ଚାଇଥାଇଥାଏ। ଏହା ହେଲେ ଦାନ୍ତ ସଢ଼ିବା, ଦାନ୍ତରେ ଅତ୍ୟଧିକ ମଇଳା ଜମିବା, ମୁହଁରୁ ଦୁର୍ଗନ୍ଧ ବାହାରିବା, ପାଟିରେ ଖଟାଳିଆ ସ୍ୱାଦ ଆସିବା, ଦାନ୍ତରେ ଯନ୍ତ୍ରଣା ହେବା ପ୍ରଭୃତି ଲକ୍ଷଣ ଦେଖାଯାଇଥାଏ। ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏଥିରୁ ରକ୍ଷା ପାଇପାରିବେ।

ଲୁଣ: ପାଇରିଆ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଲୁଣ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଏକ ଗ୍ଲାସ୍ ହାଲ୍‌କା ଉଷୁମ ପାଣିରେ ୨ ଚାମଚ ଲୁଣ ପକାଇ ସେହି ମିଶ୍ରଣରେ ଦିନକୁ ୨-୩ ଥର କୁଳି କରନ୍ତୁ। ଲୁଣରେ ଥିବା ଗୁଣ ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତମୂଳ ଫୁଲିବା, ରକ୍ତ ବାହାରିବା ଭଳି ସମସ୍ୟା ଦୂର ହୁଏ।

ଦାନ୍ତରେ ତେଲ ମାଲିସ କରିବା: ଦାନ୍ତରେ ପ୍ରତିଦିନ ତେଲ ମାଲିସ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଅନେକ ପରିମାଣରେ ଦୂର ହୋଇଥାଏ। ମାଲିସ ପାଇଁ ଆପଣ ନଡ଼ିଆ କିମ୍ବା ରାଶି ତେଲ ବ୍ୟବହାର କରିପାରିବେ। ମାଲିସ ପରେ ଆପଣ ହାଲ୍‌କା ଉଷୁମ ପାଣିରେ କୁଳି କରନ୍ତୁ। ନିୟମିତ ଭାବେ କିଛି ଦିନ ଧରି ଏହାକୁ କଲେ  ଉପଶମ ପାଇପାରିବେ।

ହଳଦୀ: ହଳଦୀ ଆମର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ଏହାଯୋଗୁ ମାଢ଼ି ଓ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ସେହିପରି ଦାନ୍ତ ଯନ୍ତ୍ରଣା ଓ ସେଥିରୁ ରକ୍ତ ବାହାରିବା ବି କମେ। ତେଣୁ ପାଇରିଆ ହୋଇଥିଲେ ହଳଦୀକୁ ଆପଣ ଦନ୍ତମଞ୍ଜନ ଭଳି ବ୍ୟବହାର କରିପାରିବେ।

ନିମ୍ବ: ନିମ୍ବପତ୍ର ପାଇରିଆକୁ ନଷ୍ଟ କରିବା ଲାଗି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ନିମ୍ବ ପତ୍ରର ରସକୁ ବାହାର କରି ତାକୁ ପ୍ରତିଦିନ ଦାନ୍ତରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତ ଫୁଲା କମିବା ସହିତ ପାଟିର ଦୁର୍ଗନ୍ଧ, ଯନ୍ତ୍ରଣା ଦୂର ହେବ।

Comment