ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍‌ଡାଉନ ଯୋଗୁଁ ପୁଣେରେ ଫସି ରହିଥିବା ୨୦ହଜାର ଓଡ଼ିଆ ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଛି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ। ପୁଣେରେ ଓଡ଼ିଆ ଫସି ରହିଥିବା ଖବର ପାଇବା ପରେ ଫାଉଣ୍ଡେସନ ଏନେଇ ସ୍ଥାନୀୟ ସାଂସଦକୁ ଅମୂଲ କୋଲେଙ୍କ ସହ ଆଲୋଚନା କରିଥିଲା। ଏହାପରେ ସାଂସଦ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

“ବିଭିନ୍ନ ସଂଗଠନ ମାଧ୍ୟମରେ ପୁଣେ୨୦ହଜାରରୁ ଅଧିକ ଓଡ଼ିଆ ଫସି ରହିଥିବା ଆମେ ସୂଚନା ପାଇଥିଲୁ। ଏନେଇ ଆମେ ସ୍ଥାନୀୟ ସାସଂଦ ଅମୂଲ କୋଲେଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ୩ରୁ୪ ଦିନ ଭିତରେ ଏଠାରେ ସେଣ୍ଟ୍ରାଲ କିଚେନ ଖୋଲାଯିବ। ଯାହାଦ୍ଵାରା ଏଠାରେ ସମସ୍ତେ ରନ୍ଧା ଖାଦ୍ୟ ପାଇ ପାରିବେ।  ଏହାଛଡ଼ା ଯେଉଁ ଓଡ଼ିଆ ଭାଇମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ଆମକୁ ହ୍ଵାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ”, କହିଛନ୍ତି ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର।

ଏପ୍ରିଲ ୧୪ ତାରିଖ ଯାଏଁ ସାରାଦେଶ ଲକ୍‌ଡାଉନ ଘୋଷଣା ହୋଇଛି। ଫଳରେ ପୁଣେରେ ଦାଦନ ଖଟୁଥିବା ୨୦ହଜାର ଓଡ଼ିଆ ସେଠାରେ ଫସି ରହିଥିଲେ। ଲକ୍‌ଡାଉନ ଯୋଗୁଁ ନିଜର ଦୈନିକ ରୋଜଗାର ହରାଇଥିଲେ। ଯେଉଁ ସଂସ୍ଥା ବା କମ୍ପାନୀରେ କାମ କରୁଥିଲେ ସେସବୁ ବନ୍ଦ ରହିଥିଲା। ପାଖରେ ଯାହା ଟଙ୍କା ଥିଲା ସେସବୁ ଶେଷ ହୋଇଯାଇଥିଲା। ଏହାପରେ ଗୃହବନ୍ଦୀ ହୋଇ ଭୋକ ଉପାସରେ ଦିନ କାଟୁଥିଲେ ଓଡ଼ିଆ ଶ୍ରମିକ।

ଏନେଇ ବିଭିନ୍ନ ସଂଗଠନ ମାଧ୍ୟମରେ ସ୍ପ୍ରେଡ ହାପିନେସ ଫାଉଣ୍ଡସନ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଫାଉଣ୍ଡସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି।

ଓଡ଼ିଆମାନଙ୍କ ପାଇଁ ଏହି ସ୍ପ୍ରେଡ ହାପିନେସ ଫାଉଣ୍ଡସନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଛି। ପୁଣେରେ ଓଡ଼ିଆ ଯୁବକ ଯୁବତୀ ତଥା ସମାଜ ସେବାରେ ରୁଚି ରଖୁଥିବା ବ୍ୟକ୍ତିତ୍ଵମାନେ ଏହି ସଂଗଠନ ସହ ଜଡ଼ିତ ରହିଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାମାଜିକ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଏପ୍ରିଲ ୧୪ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment