ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟରେ ଦୁଇଟି କୋଭିଡ୍ – ୧୯ ହସ୍ପିଟାଲ ଉଦଘାଟନ ହେଲା। ଭୁବନେଶ୍ଵରର କିମ୍‌ସ ଓ କଟକର ଅଶ୍ଵିନୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ୬୫୦ ଶଯ୍ୟା ପ୍ରସ୍ତୁତ କରାଯାଇଛି। କିମ୍‌ସ ହସ୍ପିଟାଲରେ କରୋନା ୫୦୦ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ଅଶ୍ଵିନୀ ହସ୍ପିଟାଲରେ ୧୫୦ କରୋନା ଶଯ୍ୟା ପ୍ରସ୍ତୁତ କରାଯାଇଛି।

ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ମାଗଣା ଚିକିତ୍ସା, ଖାଇବା ଓ ରହିବା ସୁବିଧା ଉପଲବ୍ଧ ହେବ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କରୋନା ମୁକାବିଲା ପାଇଁ ହସ୍ପଟାଲର ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ସହ କରୋନା ଆଲୋଚନା କରିଛନ୍ତି ରାଜ୍ୟ ସରକାର। ଏହି ଦୁଇ ଘରୋଇ ହସ୍ପିଟାଲରେ କରୋନା ଶଯ୍ୟା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଗୁରୁବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ ସରକାର ଏହି ଦୁଇ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୪ଜଣ ଆଇସୋଲେସନ ଓ୍ଵାର୍ଡରେ ରହି ଚିକିତ୍ସିତ ହେଉଛନ୍ତି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସାରାଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା କରାଯାଇଛି।

Comment