ପ୍ରଣତୀ ପରିଡ଼ା

କରୋନା ଭୂତାଣୁଠାରୁ ଅଧିକ ମହାମାରୀ ବା ବିପଦଜନକ ହେଉଛି ଆମ ମନର ଭୟ। ଏହି ଭୟ ମଣିଷକୁ ଦୁର୍ବଳ କରିଦିଏ। ମନ ଭିତରେ ମୃତ୍ୟୁର ଭୟ ବସା ବାନ୍ଧେ। ଭୂତାଣୁର ପ୍ରକୋପ ତୁଳନାରେ ଏହି ଭୟ ଅଧିକ ଜୀବନ ହାନିର ବି କାରଣ ହୋଇପାରେ। ତେଣୁ ବର୍ତ୍ତମାନର କରୋନା ସଂକ୍ରମଣ ସମୟରେ ଆମର ମୁଖ୍ୟ ଦାୟିତ୍ୱ ହେଉଛି ଲୋକଙ୍କୁ ଭୟମୁକ୍ତ ରଖିବା। ବିଭିନ୍ନ ଉପାୟରେ ଆଶ୍ୱାସନା ଓ ଅଭୟ ଦେବା, ରୋଗର ପ୍ରକୋପ ପରିବର୍ତ୍ତେ ଆମର ପ୍ରସ୍ତୁତି ଓ ବ୍ୟବସ୍ଥା ବିଷୟରେ ଜଣାଇବା। ସୂଚନା, ସଚେତନତା ଓ ସାବଧାନତାର ସହିତ ମନରୁ ଭୟ ବା ଆତଙ୍କ ଭାବ ଦୂର କରି  ଆଗାମୀ ଦିନର ମୁକାବିଲା କରିବାକୁ ପ୍ରସ୍ତୁତ କରିବା। ଆମେ ସମସ୍ତେ ଉଦ୍ୟମ କଲେ ନିଶ୍ଚୟ ଏହା କରିପାରିବା।

କରୋନା ପ୍ରତି ସତର୍କ ରହିବା। ସଙ୍ଗରୋଧ ସହ ହାତ ଧୋଇବା ଓ ନିଜର ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦେବା।

ଯଦି ଘରେ କାହାର ଥଣ୍ଡା, ଜ୍ୱର ବା ଶୁଖିଲା କାଶ ପରି ଲକ୍ଷଣ ଦେଖାଯାଏ ତାଙ୍କୁ ଘର ଭିତରେ ରଖିବା। ଆବଶ୍ୟକ ହେଲେ ୧୦୪ରେ ଫୋନ କରିବା। ଜମା ତରବରିଆ ହୋଇ କୌଣସି ଡାକ୍ତରଖାନାକୁ ଧାଇଁଯିବା ନାହିଁ। ୧୦୪ରେ ଥିବା ପରାମର୍ଶଦାତାମାନେ ଆମକୁ କହିବେ କ’ଣ କରିବାକୁ ହେବ।

କରୋନା ମୁକାବିଲା ପାଇଁ ସରକାର ପରୀକ୍ଷା ନିରୀକ୍ଷା ଓ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ସବୁଠାରୁ ବଡ କଥା ହେଲା, ଆପଣ ଏକୁଟିଆ ନୁହନ୍ତି, ଦକ୍ଷ ଡାକ୍ତରୀ ଦଳ ସହ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସା ଲାଗି ସବୁ ପ୍ରକାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅଧିକାଂଶ କ୍ଷେତ୍ରରେ ଏହି ରୋଗ ସାମାନ୍ୟ ଔଷଧ ବ୍ୟବହାରରେ ଏହା ଭଲ ହୋଇଯାଇଥାଏ।

ତେଣୁ ମନରୁ ଲଜ୍ଜ୍ୟା, ଭୟ ଓ ଆଶଙ୍କା ଦୂର କରନ୍ତୁ। ଆପଣ କେବଳ ୧୦୪ କାନରେ ପକାନ୍ତୁ, ଆପଣଙ୍କ ଚିକିତ୍ସା ତଥା ଉପଶମର ଦାୟିତ୍ୱ ସରକାର ଗ୍ରହଣ କରିବେ।

କରୋନା ଏକ ଭୟଙ୍କର ସଂକ୍ରାମକ ରୋଗ। ତେଣୁ ଜଣେ ସଂକ୍ରମିତଙ୍କୁ ଅନ୍ୟମାନଙ୍କଠାରୁ ଶାରୀରିକ ଭାବରେ ଦୂରେଇ ରଖାଯାଏ। ଏହି ରୋଗ ମାତ୍ର କିଛି ଦିନର ଚିକିତ୍ସା ପରେ ଭଲ ହୋଇଯାଏ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ରୋଗ ପ୍ରତି ସାବଧାନତାର କାରଣ ହେଉଛି ଏହା ଦ୍ରୁତ ଗତିରେ ବ୍ୟାପେ। ତେଣୁ ଆମକୁ ସାମାଜିକ ଦୂରତା ମାଧ୍ୟମରେ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ କୁହାଯାଉଛି।

corona awareness

ତେଣୁ ମନରେ କୌଣସି ଶଙ୍କା ପାଳନ୍ତୁ ନାହିଁ। ସବୁଠାରୁ ବଡ କଥା ହେଲା କୋରୋନା  ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆସେ। ସଙ୍ଗରୋଧ ଦ୍ୱାରା ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଯଦି ଅଜାଣତରେ ଆପଣ କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୁଅନ୍ତି, ଯେମିତି କି ଶୁଝିଲା କାଶ, ଥଣ୍ଡା, ଜ୍ୱର ଲାଗି ରହେ, ତେବେ ତୁରନ୍ତ ୧୦୪ ମାଧ୍ୟମରେ ପରାମର୍ଶ କରିବେ। ଫଳରେ ଆପଣଙ୍କଠାରୁ ଆଉ କାହାକୁ ରୋଗ ବ୍ୟାପିବ ନାହିଁ।

ଆପଣ ଯଦି ଡରି ଯାଇ ବା ଲଜ୍ଜ୍ୟା ବା ସଂକୋଚ ଭାବ ଯୋଗୁଁ ଏହା ଲୁଚାଇବେ ତେବେ ଆପଣଙ୍କ ପରିବାରବର୍ଗ ଓ ସଂପର୍କୀୟ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରନ୍ତି। ତେଣୁ ଲକ୍ଷଣ ଦେଖିଲା ମାତ୍ରେ ପରୀକ୍ଷା କରାଇନେବା ହେଉଛି ବୁଦ୍ଧିମାନର କାମ। ଶିଘ୍ର ଚିକିତ୍ସା କରି ନିଜେ ଶୀଘ୍ର ସୁସ୍ଥ ହେବା ସହିତ ଅନ୍ୟମାନେ ମଧ୍ୟ ସୁସ୍ଥ ଓ ସୁରକ୍ଷିତ ରହିବେ। ଅବଶ୍ୟ ସବୁବେଳେ ଥଣ୍ଡା କାଶର ଅର୍ଥ ମଧ୍ୟ କରୋନା ସଂକ୍ରମଣ ନୁହେଁ। ଆପଣ ଅଯଥାରେ ଡରି ମରି ଛାନିଆଁ!

ଜୀବନରେ ଅନେକ ରଂଗ ରହିଛି। ଦୁଃଖ ପରି ଏହି ମହାମାରୀ ମଧ୍ୟ ଦିନେ ଅପସରି ଯିବ। ପୁଣି ଜନଜୀବନ ସାଧାରଣ ହେବ। ତେଣୁ ବାରମ୍ବାର ସାବୁନରେ ହାତ ଧୋଇ ଓ ଆବଶ୍ୟକ ସମୟରେ ମୁହଁରେ ମାସ୍କ ବାନ୍ଧି ନିଜକୁ ସୁରକ୍ଷିତ ରଖନ୍ତୁ। ନିଜର ଆଗାମୀ ଦିନ ପାଇଁ ଯୋଜନା କରନ୍ତୁ। ଘରେ ବସି କରିହେଉଥିବା କାମ କରନ୍ତୁ। କରୋନା ଚିନ୍ତାରେ ନିଜର ଜୀବନ, ପରିବାର ଓ ସ୍ଵପ୍ନକୁ ଧୂଳିସାତ୍‌ ହେବାକୁ ଦିଅନ୍ତୁନି!

(ଲେଖିକା ସ୍ୱାସ୍ଥ୍ୟପ୍ଲସ୍‌ର ସମ୍ପାଦିକା)

Comment