ଗୀତା ଦାସ

ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି କରୋନା ଭାଇରସ୍ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି

Geeta Das
ମନୋବିଜ୍ଞାନୀ ଗୀତା ଦାସ

ବୟସ୍କ ଲୋକମାନେ ଘରେ ବନ୍ଦ ହୋଇ ରହିଲାରୁ ନିଜ ବୟସର ସାଙ୍ଗ ସାଥୀ ଓ ସାହି ପଡ଼ିଶାଙ୍କ ସାଙ୍ଗରେ କଥାବାର୍ତ୍ତା କରି ନ ପାରିଲାରୁ ସେମାନେ ବହୁତ ଏକୁଟିଆ ହୋଇ ପଡ଼ୁଛନ୍ତି। ତା’ ସାଙ୍ଗକୁ ବୟସ୍କ ଲୋକଙ୍କର କରୋନା ଭାଇରସ୍ ଯୋଗୁଁ ରୋଗ ହେଲେ ଗୁରୁତର ଅବସ୍ଥାରେ ପହଞ୍ଚୁଛି – ଏକଥା ବାରମ୍ବାର ମିଡିଆରେ ଶୁଣି ସେମାନେ ଉତ୍କଣ୍ଠିତ ଓ ଭୟଭୀତ ହେଉଛନ୍ତି। ସେମାନଙ୍କୁ କି ଉପାୟରେ ସାହାଯ୍ୟ କରିହେବ?

ପ୍ରଥମ କଥା ସମସ୍ତଙ୍କୁ ସମାନ ଭାବରେ  ସାହାଯ୍ୟ କରିବା ସମ୍ଭବ ନୁହେଁ। ଯାହାର ସେଲଫୋନ୍ ଅଛି, ଆଇ ପ୍ୟାଡ୍ ଅଛି ସେମାନେ ଟେକନୋଲୋଜି ସାହାଯ୍ୟରେ ମୁହାଁମୁହିଁ କଥାବାର୍ତ୍ତା ହେଇପାରିବେ। ପାଟି ବନ୍ଦ କରି ଚୁପ୍‌ଚାପ ହେଇ ରହିବାକୁ ପଡ଼ିବ ନାହିଁ। ଯାହାର ସେ ସୁବିଧା ନାହିଁ ସେମାନେ ସହର ଜାଗାରେ ପିଣ୍ଡା ବା ଛାତ, କି ବାଲକୋନିରୁ ଦୂରରେ ଥାଇ କଥାବାର୍ତ୍ତା ହେବାକୁ ଚେଷ୍ଟା କରିବେ।

older people

ନିଜେ ଭଗବାନଙ୍କ ପାଖରେ କାହିଁକି କୃତଜ୍ଞ ସେ ବିଷୟରେ ଚିନ୍ତା କରି ଡାଏରିରେ ଲେଖିବେ। ଯଥା ଡାକ୍ତର, ନର୍ସଙ୍କ ପରି ରୋଗୀ ପାଖରୁ ରୋଗ ଘରକୁ ଆଣିବାର ଭୟ ନାହିଁ, କି ନିଜେ ଅନ୍ୟମାନଙ୍କଠାରୁ ଦୂରରେ ରହିଲାରୁ ରୋଗ ଡେଇଁବାର ସମ୍ଭାବନା। ସେମାନେ ବୁଲାବୁଲି କରି ଲୋକବାକଙ୍କୁ ଭେଟି ମନ୍ଦିରରେ ଆରତୀ ଦେଖି ଅନେକ ପରିମାଣରେ ସ୍ଵାଭାବିକ ଜୀବନ ବିତାଉଛନ୍ତି। ଅଥଚ ଘରେ ତାଙ୍କର ସ୍ତ୍ରୀ ବା ସ୍ଵାମୀ ବାତ ଯୋଗୁଁ ହାର୍ଟ ବେମାରୀ କି ଉଚ୍ଚ ରକ୍ତଚାପ ଯୋଗୁଁ ଶଯ୍ୟାଶାୟୀ, ସେମାନେ ସେ ଅବସ୍ଥାରେ ନାହାନ୍ତି। ନିଜ ଅବସ୍ଥାର ଭଲ ଦିଗ ଭାବିଲେ ଅନ୍ୟାନ୍ୟ ଅସୁବିଧା କଥା ଚିନ୍ତା କରି କାତର ହେବେ ନାହିଁ। ସେ ଯଦି ଘରେ ତିନି ସପ୍ତାହ ବନ୍ଦ ହେଇ ରହିଲାରୁ ସେ ରୋଗର ସଂକ୍ରମଣ କମଉଛନ୍ତି ତା’ ହେଲେ ସେ କମ୍ ବିରକ୍ତ ହେବେ ଓ କମ୍‌ ଛଟପଟ ହେବେ ଓ ନିଜର ଅବଦାନ ଯୋଗୁଁ ଗୌରବ ବୋଧ କରିବେ।

ଦ୍ଵିତୀୟରେ, ଏହି ରୋଗ ନୂଆ ବୋଲି ଏ ବିଷୟରେ ଜ୍ଞାନ କମ୍। ଯେତେ ନୂଆ ଡାଟା ବଢ଼ୁଛି, ସେତେ ମତ ବଦଳଉଛି । ଏବେ ଜଣାଯାଉଛି, ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଏ ରୋଗ ଭଲ ଭାବରେ ହେଉଛି। ମାତ୍ର ସେମାନଙ୍କୁ ଆଇ.ସି.ୟୁରେ ଆଗରେ ରଖା ହେଉଛି ଓ ଯେଉଁମାନେ ୮୦ ବର୍ଷ ଉପରକୁ ସେମାନଙ୍କୁ ସବୁବେଳେ ଜାଗା ମିଳୁନାହିଁ । ତେଣୁ ବୟସ୍କ ଲୋକଙ୍କର ଯଦି ଅନ୍ୟ ରୋଗ ଥାଏ ତାହାହେଲେ ମୃତ୍ୟୁହାର ବଢ଼ୁଛି।

corona

ଆମେରିକାରେ ବୟସ୍କ ଲୋକମାନେ ସାବଧାନ ଓ ସ୍ଵାସ୍ଥ୍ୟବାନ ଥିଲାରୁ ସେମାନଙ୍କର କରୋନା ଭାଇରସ୍ ରୋଗ କମ୍ ହେଉଛି। ଜାଣିବା କଥା ଏକଥା କେବଳ ଗୋଟିଏ ସହରରେ ଦେଖାଯାଇଛି। ସମଗ୍ର ଦେଶରେ କ’ଣ ହେଉଛି ସେକଥା ଏଯାକେ କଳଣା କରାଯାଇନାହିଁ। ଏଥିପାଇଁ ଅଯଥା ଆତଙ୍କିତ ହେଇ ଦୁଶ୍ଚିନ୍ତା କଲେ ବରଂ ମନ ଖରାପ ହେବ ତ ଦେହ ଖରାପ ହେବ। ବରଂ ଥଟ୍ଟା ପରିହାସ କରି ମନକଥା କହି ହସ ଗପ ପଢ଼ି ଅନ୍ୟ ବିଷୟରେ କଥାବାର୍ତ୍ତା କରି ମନକୁ ଉତ୍‌ଫୁଲ୍ଲ କଲେ ମନ ହାଲୁକା ହେବ।

ଓଡ଼ିଆମାନେ ଆଗେ ଭାଗବତ ପଢ଼ୁଥିଲେ। ମୋ ମତରେ ଭାଗବତ ସଙ୍କଟ ସମୟରେ ପଢ଼ିଲେ ମନର ଭୟ କମିବ। କାରଣ ପରୀକ୍ଷିତ ମହାରାଜ ନିଜର ମୃତ୍ୟୁ ଆସନ୍ନ ଜାଣି କୃଷ୍ଣ ତାଙ୍କର ମାମୁ ଅଜା ତାଙ୍କର ଜୀବନ କାହାଣୀ ଶୁଣିଲେ। ସେଥିରୁ ଜୀବନର ଅଲଂଘନୀୟ ନିୟମ ବିଷୟରେ ସଚେତନ ହେଲେ। ସେ ଜାଣିଲେ ସୁଖ କମିଲେ ଦୁଃଖ ହେବ, ତେଣୁ ସୁଖ ଦେହରେ ଦୁଃଖର ମଞ୍ଜି ଲୁଚି ରହିଛି। ଜୀବନର ଶେଷ ହବ ମୃତ୍ୟୁରେ, ପ୍ରତାପଶାଳୀ ଯଦୁବଂଶ ନିଶ୍ଚିହ୍ନ ହେଲା, ଦ୍ଵାରକା ପରି ଅପୂର୍ବ ନଗର ଜଳରେ ନାଶ ହେଲା ଏବଂ ସେ ଜାଣିଲେ ମୃତ୍ୟୁ ମଣିଷକୁ ମୋକ୍ଷ ପଥରେ ନେଇ ଅମର କରେ।

ସେ ଯେତେବେଳେ ମୃତ୍ୟୁର ମର୍ମ ବୁଝିଲେ ତାଙ୍କ ମନରୁ ମୃତ୍ୟୁ ଭୟ ଚାଲିଗଲା ଓ ସେ ଶାନ୍ତିରେ ଦେହ ତ୍ୟାଗ କଲେ। ସମସ୍ତଙ୍କ ମନରେ ମହାରାଜ ପରୀକ୍ଷିତଙ୍କ ପରି ମହାଜ୍ଞାନର ଉଦୟ ହେବ ସେକଥା ସମ୍ଭବ ନୁହେଁ, ମାତ୍ର ଭାଗବତ ପଢ଼ିଲେ ଭଜନ ଶୁଣିଲେ କିମ୍ବା ଯନ୍ତ୍ର ସଙ୍ଗୀତ ଶୁଣିଲେ ଆମ ମନ ଊର୍ଧ୍ଵଗାମୀ ହୁଏ ଓ ମନରେ ପ୍ରଶାନ୍ତି ବଢ଼େ।

older people at risk

ଅନ୍ୟମାନେ ବୟସ୍କ ଲୋକଙ୍କୁ ଫୋନ୍ କରି ଖବର ନେଲେ, ସେମାନଙ୍କ ସାଙ୍ଗରେ ଗପସପ ଓ ତାଙ୍କର ଦୀର୍ଘ ଜୀବନର ଅଭିଜ୍ଞତା ବିଷୟ ଶୁଣିଲେ ବୟସ୍କ ଲୋକଙ୍କର ନିଃସଙ୍ଗତା କମେ ଓ ଆମେ ମଧ୍ୟ ପୁରୁଣା ଯୁଗର ଜୀବନ କେମିତି ଥିଲା ସେ କଥା ଜାଣୁ। ବିଶେଷକରି ଆଜିକାଲି ଅଧିକାଂଶ ଲୋକଙ୍କର ପୁଅ, ଝିଅ, ନାତି ନାତୁଣୀ ଦୂର ଦୂରାନ୍ତରେ ଅଛନ୍ତି। ଘରେ ଅନେକ ଏକୁଟିଆ ଓ ଆଉ ଅନେକ ନାତି ନାତୁଣିଙ୍କୁ ବାପା ମାଆ ହେଇ ବଢ଼ଉଛି ବୃଦ୍ଧାବସ୍ଥାରେ। ସେମାନଙ୍କର ବହୁ ପ୍ରକାରର ସାହାଯ୍ୟ ଦରକାର। ସରକାର, ଘରଲୋକ ଓ ସାହିଲୋକ ସମସ୍ତେ ମିଶି ଏ ବିଷୟ ଚିନ୍ତା କରି କାର୍ଯ୍ୟପନ୍ଥା ବାହାର କଲେ ସମସ୍ତଙ୍କର ଲାଭ ହେବ। କାରଣ ଆମେ ସମସ୍ତେ ଦିନେ ବୁଢ଼ା ହେବା, ହାତ, ଗୋଡ଼ ମୁଣ୍ଡ ଠିକରେ କାମ ନ କଲେ ଅନ୍ୟ ଉପରେ ନିର୍ଭର କରି ବଞ୍ଚିବା। ତେଣୁ ଆଜି ଆମେ ଯେଉଁ ବ୍ୟବସ୍ଥା କରିବୁ, ଭବିଷ୍ୟତରେ ନିଜେ ତା’ର ଭଲ ଓ ମନ୍ଦ ଫଳ ଭୋଗିବୁ।

ଏ ଯାକେ ଯାହାଙ୍କର ପରିବାର ଅଛି, ଘର ଅଛି ଓ ସମ୍ବଳ ଅଛି ସେମାନଙ୍କର ସମସ୍ୟାର ଆଲୋଚନା ହେଲା। ବର୍ତ୍ତମାନ ଯିଏ ପରିବାର ଦାୟିତ୍ଵ ନେବାକୁ ଅକ୍ଷମ, ଯାହାର ରହିବାକୁ ଘର ନାହିଁ ଓ ଚଳିବାକୁ ରୋଜଗାର ନାହିଁ, ସେଭଳି ବୟସ୍କ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସମସ୍ୟା ଭାବିବା କଥା। ସେମାନେ ରେଳ ଷ୍ଟେସନରେ ପ୍ଲାଟଫର୍ମରେ ଶୁଅନ୍ତି, ସଡ଼କର ଫ୍ଲାଇଓଭର ତଳେ ଶୁଅନ୍ତି କିମ୍ବା ବସ୍ତିରେ ମାଗି ଯାଚି କାହା ପିଣ୍ଡାରେ ଶୁଅନ୍ତି। ସେମାନଙ୍କର ମାନସିକ ସମସ୍ୟା ବିଷୟରେ ଆମେ କିଛି ଜାଣୁନା।

ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ ଅନ୍ୟ ଉନ୍ନତ ଦେଶ ପରି। ମାତ୍ର ସେମାନଙ୍କ ଭିତରେ ରୋଗ ବ୍ୟାପିଲେ ଆମର ରୋଗ ହେବ। ସେମାନେ ସମସ୍ତେ ଜନ୍ମରୁ ଗରିବ ତାହା ନୁହେଁ। ଯାହାର ସ୍ମୃତି ଶକ୍ତି କମିଯାଇଛି, ଯାହାର ବୁଦ୍ଧି କମିଯାଇଛି ନିଶା ପାଣି ପିଇ, ଯାହାର ମୁଣ୍ଡରେ ଆଘାତ ଯୋଗୁଁ ବୁଝିବା ଶକ୍ତି କମିଯାଇଛି, ସେଭଳି ଲୋକ ଏକଦା ଅବସ୍ଥାପନ୍ନ ଥିଲେ। ଦୁର୍ଭାଗ୍ୟ ଯୋଗୁଁ ଅସହାୟ ହେଇଛନ୍ତି। ସେମାନଙ୍କ ସାଙ୍ଗରେ କଥା କହି, କ’ଣ କଲେ ସେମାନେ ନିରାପଦରେ ରହିବେ ଓ ଅନ୍ୟମାନେ ନିରାପଦ ହେବେ ସେ ବିଷୟ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟରେ ସମସ୍ତଙ୍କୁ ସଚେତନ କରିବା ଦରକାର। କାରଣ ସମସ୍ତେ ବର୍ଷ ବର୍ଷ ଧରି ଘରେ ବନ୍ଦ ହୋଇ ରହିପାରିବେ ନାହିଁ।

Comment