ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତେଣୁ ଛୋଟ ପିଲା ବା ଗର୍ଭବତୀ ମହିଳାଙ୍କ ଉପରେ କରୋନା ଭାଇରସର ଯେ ଅଧିକ ପ୍ରଭାବ ରହିଛି ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ କରୋନାର ସଂକ୍ରମଣ ଖୁବଶୀଘ୍ର ଓ ବହୁ ବ୍ୟାପକ ଭାବେ ହେଉଥିବାରୁ ଛୋଟ ପିଲା ଓ ଗର୍ଭବତୀ ମହିଳାମାନେ କୌଣସି ଥଣ୍ଡା ଜ୍ୱର ଓ କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ଦୂରରେ ରହନ୍ତୁ।

ରୟାଲ୍ କଲେଜ୍ ଅଫ୍ ପ୍ରସୂତି ବିଶେଷଜ୍ଞ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳାମାନେ କୋଭିଡ୍‌-୧୯ ସଂକ୍ରମଣରେ ଅଧିକ ସଂକ୍ରମିତ ହୁଅନ୍ତି ନାହିଁ। ଅଧିକାଂଶ ଗର୍ଭବତୀ ମହିଳା କେବଳ ସାମାନ୍ୟ ବା ମଧ୍ୟମ ଥଣ୍ଡା ଓ ଫ୍ଲୁ ପରି ଲକ୍ଷଣ ଅନୁଭବ କରିପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ଯେ, କୋଭିଡ-୧୯ ସଂକ୍ରମଣରେ ସଂକ୍ରମିତ ଗର୍ଭବତୀ ମହିଳାମାନେ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ତୁଳନାରେ ଗୁରୁତର ରହିଛନ୍ତି।

ଗର୍ଭବତୀ ମହିଳାମାନେ ଅସୁସ୍ଥ ଓ ଭୂତାଣୁ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରୁ ଦୂରେଇ ରହନ୍ତୁ। ବାରମ୍ବାର ସାବୁନ୍ ଏବଂ ପାଣିରେ ହାତକୁ ସଫା କରନ୍ତୁ କିମ୍ବା ଆଲକହଲଯୁକ୍ତ ହାତ ସାନିଟାଇଜରରେ ହାତ ପୋଛନ୍ତୁ। ଫୁଟା ପାଣି ପିଅନ୍ତୁ।

WHO ଅନୁଯାୟୀ, କୋଭିଡ୍‌-୧୯ର ଲକ୍ଷଣ ଥିବା ଗର୍ଭବତୀ ମହିଳାମାନଙ୍କୁ ପରୀକ୍ଷା ପାଇଁ ପ୍ରାଥମିକତା ଦିଆଯିବା ଉଚିତ୍।

corona

ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ନିର୍ଦ୍ଦେଶାବାଳୀ

ଯଦି ମା’ କରୋନା ଆକ୍ରାନ୍ତ, ତେବେ ନବଜାତ ଶିଶୁକୁ COVID-19 ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ, ଶିଶୁଟିକୁ ମା’ଠାରୁ ଅସ୍ଥାୟୀ ଭାବରେ ଅଲଗା କରାଯାଇପାରେ। ମା’ ସୁସ୍ଥ ହେବା ପରେ ଏବଂ ସେ ଡିସଚାର୍ଜ ହୋଇଗଲେ, ସେ ଶିଶୁକୁ ସ୍ତନ୍ୟପାନ କରିପାରିବେ। କିନ୍ତୁ, ସେତେବେଳେ ଶିଶୁକୁ ଧରିବା ପୂର୍ବରୁ ହାତ ଧୋଇବା, ମାସ୍କ ପିନ୍ଧିବା ଭଳି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ହେବ।

ସ୍ତନ୍ୟପାନ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଂଶକୁ ସଫା କରି ସ୍ତନ୍ୟପାନ କରାନ୍ତୁ।

ଶିଶୁକୁ ଧରିବା ବେଳେ ନିଜ ହାତକୁ ଆଲକହଲଯୁକ୍ତ ସାନିଟାଇଜରରେ ପୋଛି ପିଲାକୁ ଧରନ୍ତୁ। ଶିଶୁ ପାଇଁ ବ୍ୟବହୃତ କପଡ଼ା, ପୋଷାକକୁ ପରିସ୍କାର ରଖନ୍ତୁ। ସେ ରହୁଥିବା ଘରକୁ ସଫା ରଖନ୍ତୁ। କରୋନା ସମୟରେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ।

ଯଦି ମା’କୁ ଜ୍ୱର, କାଶ, ଛିଙ୍କ ଓ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ସେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମା’ମାନେ ସ୍ତନ୍ୟପାନ କରାଇବା ବେଳେ ମାସ୍କ ପିନ୍ଧି ସ୍ତନ୍ୟପାନ କରାନ୍ତୁ।

Comment