ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଯୋଗୁଁ ଦେଶରେ କମ୍ପାନିଗୁଡ଼ିକରେ ଚାକିରି ଯିବାର ଯେଉଁ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ଅନେକ ଗୁଡ଼ିଏ କଥା ଚିନ୍ତା କରୁଛନ୍ତି। ସରକାରଙ୍କ ଲକ୍ଷ୍ୟ ଆଗାମୀ ଦିନରେ ଦେଶରେ ଯେମିତି କର୍ମଚାରୀ ଛଟେଇ ନହୁଏ। ବର୍ତ୍ତମାନର ବ୍ୟବସ୍ଥା ଭିତ୍ତିରେ କମ୍ପାନିମାନେ ଲୋକଙ୍କ ଚାକିରି ନନେଇ ଅନେକ ବିକଳ୍ପ ପନ୍ଥା ଅବଲମ୍ବନ କରି ପାରନ୍ତି।

ବିଭିନ୍ନ ଚାକିରି ନିୟମକୁ ବଦଳାଇବା ସହ କର୍ମଚାରୀ ଯେମିତି ନିଜ ନିଜ ରୋଜଗାରକୁ ବଜାୟ ରଖି ପାରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡିଛି। କରୋନା କାରଣରୁ ଚାକିରି ଓ ରୋଜଗାର  କ୍ଷେତ୍ରରେ ଯେଉଁ ସମସ୍ୟା ସୃଷ୍ଟି ହେବ ତାହାର ସମାଧାନ ପାଇଁ ଏହି ସବୁ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ଖବର ଆସୁଛି। ଏହିଭଳି କରିବାର ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ ଓ କମ୍ପାନିମାନଙ୍କ ପାଇଁ ମଧ୍ୟ ଆର୍ଥିକ ସମସ୍ୟା ସୃଷ୍ଟି ହେବ ନାହିଁ।

ବୋନସ

କମ୍ପାନି ଚାକିରି ବଞ୍ଚାଇବାର ପ୍ରଥମ ପଦକ୍ଷେପ ହେବ ବୋନସ କାଟିବା। ୧୯୬୫ର ପେମେଣ୍ଟ ଅଫ ବୋନସ ଆକ୍ଟ କହୁଛି କି କିଛି ଶ୍ରେଣୀର କର୍ମଚାରୀଙ୍କୁ କମ୍ପାନିମାନେ ଉତ୍ପାଦକତା ଭିତ୍ତିକ ବୋନସ ଦେବେ। ପ୍ରତିବର୍ଷ ନିହାତି କମ୍‌ରେ ୮.୩୩ ପ୍ରତିଶତ ବୋନସ କମ୍ପାନିମାନେ ଦେଇଥାନ୍ତି। ଏଣୁ ଚିନ୍ତା କରାଯାଉଛି ବୋନସ ଆକ୍ଟରେ ସଂଶୋଧନ ଅଣାଯିବ ଯାହା ଫଳରେ କି କମ୍ପାନିମାନେ ଆଉ ବୋନସ ଦେବାକୁ ବାଧ୍ୟ ହେବେ ନାହିଁ।

ଇଂକ୍ରିମେଣ୍ଟ

ଚଳିତ ବ୍ୟବସ୍ଥା ଅନୁଯାୟୀ ଖାଉଟି ମୂଲ୍ୟ ସୂଚୀ ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କ ନ୍ୟୁନତମ ବେତନ ସଂଶୋଧନ କରାଯାଇ ପ୍ରତିବର୍ଷ ୮-୧୨ ପ୍ରତିଶତ ଦରମା ବୃଦ୍ଧି କରାଯାଇଥାଏ। ସରକାରଙ୍କ ଚିନ୍ତା ହେଉଛି ଯଦି ଏହି ଇଂକ୍ରିମେଣ୍ଟ କିଛି ସମୟ ପାଇଁ ବନ୍ଦ କରି ଦିଆଯାଏ କମ୍ପାନିମାନଙ୍କ ପାଖରେ ଦରମା ଦେବା ପାଇଁ ଯଥେଷ୍ଟ ଅର୍ଥ ରହିବ।

୧୨ ଘଣ୍ଟା ଡ୍ୟୁଟି

ଆଉ ଏକ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି। ତାହା ହେଲା କଳ କାରଖାନାରେ ଓ କମ୍ପାନିଗୁଡ଼ିକରେ କାମର ସମୟକୁ ବାର ଘଣ୍ଟା କରିବେ। ଶିଳ୍ପ ଆଇନ ଅନୁଯାୟୀ ଆଠ ନଅ ଘଣ୍ଟାରୁ ଅଧିକ କାମ କଲେ ଦୁଇ ଗୁଣ ମଜୁରୀ ମିଳିବା କଥା। ଏବେ କିନ୍ତୁ ୮ ଘଣ୍ଟା ବାହାରେ ଯେତିକି ଓଭର ଟାଇମ ହେବ ତାକୁ ଦୁଇ ଗୁଣା ନଦେଇ ନ୍ୟୁନତମ ମଜୁରୀ ଭିତ୍ତିରେ ପେମେଣ୍ଟ କରାଯିବ। ଏହା ଫଳରେ କମ୍ ଲୋକରେ ଅଧିକ ଉତ୍ପାଦନ କରାଯାଇପାରିବ ଓ ଆର୍ଥିକ ଚାପରୁ କମ୍ପାନି ମୁକ୍ତି ପାଇବେ।

ସିଆଇଆଇ ବା ଭାରତୀୟ ଶିଳ୍ପ ମହାସଂଘର ସୌଗତ ରାୟ ଚୌଧୁରୀଙ୍କ କହିବା ଅନୁଯାୟୀ ସରକାରଙ୍କ ପାଖରେ ଯେହେତୁ ଅର୍ଥ ନାହିଁ ସବୁ ପକ୍ଷକୁ ଡାକି ସରକାର ଏଭଳି କିଛି ମଧ୍ୟମ ପନ୍ଥା ବାହାର କରିବା ଉଚିତ ଯାହାଦ୍ୱାରା କମ୍ପାନୀମାନେ ବଞ୍ଚିବେ ଓ କର୍ମଚାରୀଙ୍କ ବି ଛଟେଇ ହେବନାହିଁ।

Comment