ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବା ପାଇଁ କଟକ ଆଇଟିଆଇ ନିର୍ମାଣ କଲା ରୋବଟ୍‌।

କଟକ: ସାରା ଦୁନିଆ ଯେତେବେଳେ କୋଭିଡ୍-୧୯ ମହାମାରୀର ମୁକାବିଲା କରୁଛି ସେତେବେଳେ କଟକ ଆଇଟିଆଇର ଯୋଦ୍ଧାମାନେ ରୋବଟ୍‌ ତିଆରି କରିବାକୁ ଆଗେଇ ଆସିଛନ୍ତି। ଦକ୍ଷ ପ୍ରଶିକ୍ଷକମାନଙ୍କର ଏକ ଟିମ୍ ସେମାନଙ୍କ ଲାବରେଟୋରୀରେ ତିଆରି କରିଛନ୍ତି ଦୁଇଟି ରୋବଟ୍।

ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଦୁଇ ସର୍ଭିସ୍ ରୋବଟର ନାମ ହେଉଛି ‘କୋ-ବଟ୍’ ଏବଂ ‘ନିଗା-ବଟ୍’। ମଣିଷ ଶରୀର ଆକାରର ତିଆରି ‘କୋ-ବଟ୍’ରେ ଚଳପ୍ରଚଳ ହେବା ପାଇଁ ଚକା ଲାଗିଛି। ଏହାର ହାତରେ ଏକ ଟ୍ରେ ରହିଛି, ଯାହା ୨୦ କିଲୋଗ୍ରାମ୍ ଭାର ବହନ କରିବାର କ୍ଷମତା ରଖିଛି। ଏହି ରୋବଟ୍ ସଂକ୍ରମଣ ରୋକିବାକୁ ସହାୟକ ହୋଇପାରିବ। କରୋନା ରୋଗୀଙ୍କ ସେବାରେ ଏହାକୁ ନିୟୋଜିତ କରାଯାଇପାରେ।

ରୋଗୀମାନଙ୍କ ପାଖକୁ ଖାଦ୍ୟ, ପାନୀୟ, ଔଷଧ ଆଦି ନେବା ଆଣିବା କରିପାରିବ କୋ-ବଟ୍। ଏହି ରୋବଟରେ ୱେରଲେସ୍ କମ୍ୟୁନିକେସନ୍ ପ୍ରୋଟକଲ୍ ବ୍ୟବହାର କରାଯାଇଛି। ନ୍ୟାଭିଗେସନ୍ ଏବଂ ମ୍ୟାପିଂ ଆଦି ଦ୍ୱାରା ଆହୁରି ଅଧିକ ବିକଶିତ କରାଯାଇପାରିଲେ ଡାକ୍ତରଖାନାର କୌଣସି ୱାର୍ଡରେ ସ୍ୱୟଂଚାଳିତ ହୋଇ କାର୍ଯ୍ୟକ୍ଷମ ହୋଇପାରିବ।

ସେହିପରି ‘ନିଗା-ବଟ୍’ ଏକ ଟେଲି ପ୍ରଜେନ୍ସ ରୋବଟ୍। ଏହା ମାଧ୍ୟମରେ ଡାକ୍ତରମାନେ ରୋଗୀମାନଙ୍କ ଉପରେ ନିଘା ରଖିବା ସହ ନିଜ ନିଜ ଚାମ୍ବରରେ ବସି ସେମାନଙ୍କ ସହ ସିଧାସଳଖ କଥାବର୍ତ୍ତା ହୋଇପାରିବେ। ଏଥିରେ ଲାଇଭ୍ ଭିଡ଼ିଓ ସମ୍ଭବ ହୋଇପାରିବ। ଏଥିରେ ମଧ୍ୟ ଚକ ବ୍ୟବହାର କରାଯାଇଛି, ଯାହାଦ୍ୱାରା ରୋବଟ ୱାର୍ଡରେ ଥିବା ବିଭିନ୍ନ ରୋଗୀଙ୍କ ସହ ଡାକ୍ତରଙ୍କ ଭିଡ଼ିଓ ସଂଯୋଗ କରାଇପାରିବ। ଏହି ରୋବଟ୍ ମାଧ୍ୟମରେ ରୋଗୀର ସମସ୍ତ ଭଲମନ୍ଦ ବୁଝିପାରିବେ ଡାକ୍ତର।

କେବଳ ଡାକ୍ତର ନୁହନ୍ତି, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସଂକ୍ରମଣ ରୋକାଯାଇପାରିବ ବୋଲି କଟକ ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ହୃଷିକେଶ ମହାନ୍ତି ସୂଚନା ଦେଇଛନ୍ତି।

କଟକ ଆଇଟିଆଇ ସବୁ ସମୟରେ କୌଣସି ନା କୌଣସି ପରୀକ୍ଷାମୂଳକ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇ ଆସୁଛି। ଏହା ପୂର୍ବରୁ କୋଭିଡ୍-୧୯ ମୁକାବିଲା ନେଇ ସ୍ୱାବ ଓ ରକ୍ତ ଆଦି ପରୀକ୍ଷା କରିବାକୁ ମୋବାଇଲ୍ ନମୁନା ସଂଗ୍ରହ କିଓସ୍କୋ ନିର୍ମାଣ କରି ଆଇଟିଆଇ ଚର୍ଚ୍ଚାକୁ ଆସିଥିଲା। ୧୯୫୮ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ଏବେ ୨୧ଟି ବିଭାଗରେ ୨୫ଶହରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି।

Comment