ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସର ମହାସଙ୍କଟ ମଧ୍ୟରେ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଯାହାର ଫଳସ୍ୱରୂପ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରି ପାରିନାହାନ୍ତି। ଏହାକୁ ନେଇ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ମହାରାଷ୍ଟ୍ରରେ ଆଜି ଯେଉଁ ଶ୍ରମିକମାନଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଯିବାକୁ ଅନୁମତି ମିଳିଲାନି ସେମାନେ ସେଠାରେ ହଙ୍ଗାମା ସୃଷ୍ଟି କରିଛନ୍ତି। ମହାରାଷ୍ଟ୍ରର ନାଗପାଡ଼ା ଅଞ୍ଚଳରେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ଭିଡ଼ ଏପରି ହୋଇଥିଲା ଯେ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରି ଭିଡ଼କୁ ଘଉଡାଇବାକୁ ବାଧ୍ୟ ହୋଇଥିଲା।

ଅନ୍ୟପଟେ ଗୁଜରାଟର କଚ୍ଛ ଅଞ୍ଚଳରେ ରହୁଥିବା ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନ ବିରୋଧରେ ଠିଆ ହୋଇଛନ୍ତି। କଚ୍ଛର ଗାନ୍ଧୀଧାମ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ଶ୍ରମିକମାନେ ଏକାଠି ହୋଇ ରାଜପଥକୁ ବନ୍ଦ କରିଦେଇଥିଲେ। ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରୁ ସେମାନେ ପୋଲିସ ଉପରକୁ ପଥରମାଡ଼ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ସେହିପରି ଭାବେ ଉତ୍ତର ପ୍ରଦେଶର ସହାରନପୁର, ପଞ୍ଜାବର ବଠିଣ୍ଡା, ମଧ୍ୟପ୍ରଦେଶ ଓ ବିହାରର ବିଭିନ୍ନ ଅଞ୍ଚଳରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। କେତେକ ସ୍ଥାନରେ ଶ୍ରମିକମାନେ ଚାଲିଚାଲି ରେଳଷ୍ଟେସନ ଆସିଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ପୁଣି ନିଜ ଘରକୁ ଫେରିଛନ୍ତି।

ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାକୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନର ଆରମ୍ଭ କରିଛନ୍ତି। ହେଲେ ଏହି ଟ୍ରେନ ପ୍ରବାସୀ ଶ୍ରମିକମାନଙ୍କୁ ନେବାକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Comment