ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅକୁ ଶାରୀରିକ ତଥା ମାନସିକ ଭାବରେ ବଢ଼ିବା ପାଇଁ ଯେମିତି ସ୍ନେହ ଆଦର ସହ ସଠିକ ପୋଷଣ ଦରକାର, ଝିଅକୁ ବି ଠିକ୍ ସେହିପରି ଦରକାର ୟୁନିସେଫର ଲୋକପ୍ରିୟ କାର୍ଟୁନ୍ ସିରିଜମୀନା ବାଣ୍ଟି ଖାଅ ଅଧା ଅଧାଅଧ୍ୟାୟରେ ମୀନା ଏହି କଥାକୁ ପ୍ରମାଣିତ କରିଛି

ଆମ ସମାଜରେ ପୁଅ ଓ ଝିଅ ମଧ୍ୟରେ ଏକ ପାତରଅନ୍ତର ଦେଖିବାକୁ ମିଳୁଛି। ହେଲେ ଆମକୁ ଏକଥା ବୁଝିବାକୁ ହେବ ଯେ, ପୁଅକୁ ଶାରୀରିକ ତଥା ମାନସିକ ଭାବରେ ବଢ଼ିବା ପାଇଁ ଯେମିତି ସ୍ନେହ ଓ ଆଦର ସହ ସଠିକ ପୋଷଣ ଦରକାର, ଝିଅକୁ ବି ଠିକ୍ ସେହିପରି ଦରକାର। ଉଭୟ ପୁଅ ଓ ଝିଅକୁ ସମାନ ଦୃଷ୍ଟିରେ ଦେଖିବେ। ୟୁନିସେଫ୍‌ କାର୍ଟୁନ୍ ସିରିଜ ‘ମୀନା’ର ଏହି ଅଧ୍ୟାୟରେ ନିଜେ ମୀନା ଏହି କଥାକୁ ପ୍ରମାଣିତ କରିଛି।

ଗୋଟେ ସମୟରେ ମହିଳାମାନଙ୍କ ଜୀବନ ଘର କୋଣରେ କଟୁଥିଲା। ହେଲେ ବର୍ତ୍ତମାନ ସମଗ୍ର ବିଶ୍ୱରେ ମହିଳାମାନେ ଆଗଧାଡ଼ିରେ ରହୁଛନ୍ତି। ତେଣୁ ଝିଅ ମଧ୍ୟ କମ ନୁହନ୍ତି। ପୁଅ ଭଳି ଝିଅମାନଙ୍କୁ ମଧ୍ୟ ସମାନ ସ୍ନେହ, ଶ୍ରଦ୍ଧା ଓ ଅଧିକାର ମିଳିବା ଦରକାର। ବଢ଼ିବା ପାଇଁ ସଠିକ୍ ପୋଷଣ ଦରକାର।

ପୁଅ ଏବଂ ଝିଅ ଭିତରେ କୌଣସି ଫରକ ନାହିଁ। ପୁଅଙ୍କ ଭଳି ଝିଅଙ୍କୁ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମାନ ଅଧିକାର ମିଳିବା ଦରକାର। ଝିଅଙ୍କ ପ୍ରତି ସମାଜରେ ଥିବା ଏହି ହେୟ ଚିନ୍ତାଧାରାକୁ ମୀନା ସିରିଜର ଏହି ଅଧ୍ୟାୟ ବଦଳାଇରେ ସକ୍ଷମ ହୋଇଛି।

ମୀନାକେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ ’ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment