ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକା ଝିଅକୁ ନିଜ ପାଖରେ ରଖିବା ପାଇଁ ଜଣେ ମା’ର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି। ଝିଅ ତା’ ମା ପାଖରେ ରହିବା ପାଇଁ ଅନିଚ୍ଛୁକ ବୋଲି କହି ବିଚାରପତି ଉକ୍ତ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଘଟଣା ଅନୁଯାୟୀ, ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ  ସେବତୀ ସାହୁଙ୍କୁ ୨୦୧୫ ଅକ୍ଟୋବର ୨୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୭ ବର୍ଷର ଝିଅ କାବେରୀ ଯିଏ ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଥିଲା ତାର ବୟାନ ଭିତ୍ତିରେ ସେବତୀଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା।

କରୋନା ସଂକ୍ରମଣ ଓ ଆନୁସଙ୍ଗିକ କଟକଣା ଲାଗୁ ହେବା ପରେ ସେବତୀ ନିଜ ଝିଅକୁ ପାଖକୁ ଆଣି ରଖିବା ପାଇଁ ଇଚ୍ଛା ପ୍ରକାଶ କରି  ଦୁଇ ମାସ ପାଇଁ ଏକ ଆଭ୍ୟନ୍ତରୀଣ ବେଲ ପିଟିସନ ହାଇକୋର୍ଟରେ ଦାଖଲ କରିଥିଲେ। ଆବେଦନରେ ସେବତୀ ଉଲ୍ଲେଖ କରିଥିଲେ ଯେ, କରୋନା ଯୋଗୁଁ ଅନୁଗୁଳର ଅରଫାନେଜରେ ଯେଉଁଠି ତାଙ୍କ ଝିଅକୁ ରଖାଯାଇଛି ତାହା ଠିକଭାବେ କାମ କରୁନଥିବାରୁ ମୋ ଝିଅକୁ  କିଛି ଦିନ ନିଜପାଖରେ ରଖିବା ପାଇଁ ମୁଁ ଚାହୁଁଛି।

ହାଇକୋର୍ଟର ନିର୍ଦ୍ଦେଶ ପରେ ଅନୁଗୁଳ ଜିଲ୍ଲାପାଳ ସେବତୀଙ୍କ ଆବେଦନ ଭିତ୍ତିରେ ଉକ୍ତ ଶିଶୁ ଆଶ୍ରୟସ୍ଥଳୀ ଯାଇ ଅଭିଯୋଗର ତଦନ୍ତ କରିଥିଲେ। ଏହି ତଦନ୍ତ ବେଳେ ଜଣା ପଡିଲା ଯେ, କାବେରୀ ତା’ ମା’ ପାଖରେ ରହିବା ପାଇଁ ଆଦୌ ଚାହୁଁନାହିଁ। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ଅନସାରୀ ଓ ଜଷ୍ଟିସ ମଞ୍ଜୁ ପଣ୍ଡା କାବେରୀଙ୍କ ଜାମିନ ଆବେଦନକୁ ଆଜି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ବିଚାରପତି ଦ୍ୱୟ ତାଙ୍କ ରାୟରେ କହିଛନ୍ତି ଯେ,  ଘଟଣା ଓ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଝିଅ ନିଜେ ତା’ ମା ପାଖରେ ରହିବା ପାଇଁ ଚାହୁଁନଥିବା କାରଣରୁ ଓ ସେ ଜଣେ ପ୍ରତିଭାବାନ ଛାତ୍ରୀ ହେବା ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇ ଭଲ ପ୍ରଦର୍ଶନ କରୁଥିବା ହେତୁ  ଆମେ ତାର ପାଠପଢା ଓ ଅନ୍ୟ କାର୍ଯ୍ୟକଳାପରେ ବାଧା ଦେବା ପାଇଁ ଚାହୁନାହୁଁ। ତେଣୁ କାବେରୀ ସାହୁଙ୍କ ଜାମିନ ଆବେଦନ ବା ଇଣ୍ଟରଲକ୍ୟୁଟରି ଆପ୍ଲିକେସନକୁ ଆମେ ଅଗ୍ରାହ୍ୟ କରୁଛୁ।

Comment