ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତା ସୋନୁ ସୁଦ। ରୋଜଗାର ସନ୍ଧାନରେ ମୁମ୍ବାଇ ଆସିଥିବା ଶ୍ରମିକମାନେ ଲକଡାଉନ ଘୋଷଣା ହେବା ପରେ ଏଠାରେ ଫସି ରହିଥିଲେ। ସୋନୁ ସମସ୍ତ ଶ୍ରମିକଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରି ସେମାନଙ୍କୁ ସାହାଯ୍ୟ କରିଛନ୍ତି। ଏଥିପାଇଁ ବିଭିନ୍ନ ମହଲରେ ସୋନୁଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି। କିନ୍ତୁ ଆପଣ ଜାଣନ୍ତି କି ଆଜି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସୋନୁ ଦିନେ ୫ ହଜାର ୫ ଶହ ଟଙ୍କା ମୁମ୍ବାଇକୁ କାମ ଖୋଜିବାକୁ ଆସିଥିଲେ।

ସୋନୁ ସୁଦ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଦିଲ୍ଲୀରେ ତାଙ୍କ ମଡେଲିଂ ଆରମ୍ଭ କରିଥିଲେ। ତାଙ୍କର ଯୋଜନା ଥିଲା ଯେ ସେ କିଛି ଟଙ୍କା ଜମା କରିବେ ଏବଂ ତା’ପରେ ମୁମ୍ବାଇ ଆସିବେ। ଦିଲ୍ଲୀରେ ଦେଢବର୍ଷ ବିଭିନ୍ନ ସୋ’ରେ ଭାଗ ନେଇ ୫ ହଜାର ୫ ଶହ ଟଙ୍କା ସଞ୍ଚୟ କରିଥିଲେ।  ତା’ ପରେ ମୁମ୍ବାଇ ଆସିଯାଇଥିଲେ।

ସୋନୁ ଭାବିଥିଲେ ସେହି ଟଙ୍କାରେ ସେ ୧ ମାସ ଚଳିଯିବେ, ହେଲେ ମାତ୍ର କେଇଟା ଦିନରେ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ସେହି ସମୟରେ ସେ ଏକ ବିଜ୍ଞାପନରେ କାମ ପାଇଥିଲେ।

ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ତାମିଲ ଫିଲ୍ମ ସହିତ ସୋନୁ ସୁଦ ଅନେକ ଜଣାଶୁଣା କମ୍ପାନିର ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି| ୧୯୯୯ରେ ତାମିଲ ଚଳଚ୍ଚିତ୍ର ‘କାଲାଜଗର’ରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ସୋନୁ ହିନ୍ଦୀ ଫିଲ୍ମ ‘ସହିଦ-ଏ-ଆଜମ ଭଗତ ସିଂ’ରେ ଭଗତ ସିଂ ଭୂମିକା କରି ପରିଚିତ ହୋଇଥିଲେ। ଏହାପରେ ଅନେକ ଫିଲ୍ମରେ କାମ କରିଛନ୍ତି। ଅଧିକାଂଶ ଫିଲ୍ମରେ ତାଙ୍କୁ ଭିଲେନ ଚରିତ୍ରରେ ଦେଖିବାକୁ ମିଳେ। ଏବେ ବେ ପ୍ରାୟ ୧୩୦ କୋଟି ଟଙ୍କାର ମାଲିକ ସୋନୁ ସୁଦ।

 

Comment